ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୋଟିଏ ପ୍ଲାଟଫର୍ମରେ କ୍ରେତା ଓ ବିକ୍ରେତା
  • ଯୋଗଦେବେ ୨୩ଟି ଦେଶର ୬୦ ବିଦେଶୀ ପର୍ଯ୍ୟଟନ ପରିଚାଳକ
  • ଆୟୋଜିତ ହେବ ୧୮୦୦ ବିଟୁବି ବୈଠକ
  • ଓଡ଼ିଶା ପର୍ଯ୍ୟଟନ ଉତ୍ପାଦର ପ୍ରଚାର ଓ ପ୍ରସାର ହେବ ମୂଳ ଲକ୍ଷ୍ୟ

ଆଗାମୀ ଅକ୍ଟୋବର ୫ରୁ ତିନିଦିନ ଧରି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ ବଜାରର ୨ୟ ସଂସ୍କରଣ। ଏହି ତିନିଦିନର ମେଗା ଟ୍ରାଭେଲ ବଜାରରେ ମୋଟ୍ ୨୩ଟି ରାଷ୍ଟ୍ରରୁ ୬୦ ଜଣ ବିଦେଶୀ ଟୁର୍ ଅପରେଟରଙ୍କ ସହ ସମଗ୍ର ଦେଶରୁ ୧୬ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।

‘ଓଡ଼ିଶାର ପର୍ଯ୍ୟଟନକୁ ସୁଦୃଢ଼ ଓ ସୂଦୁରପ୍ରସାରୀ କରିବା ଏହି ଟ୍ରାଭେଲ ବଜାରର ମୂଳ ଲକ୍ଷ୍ୟ’ ବୋଲି କହିଛନ୍ତି ଫିକି ଓଡ଼ିଶା ଚାପ୍ଟର ଟୁରିଜିମ ପ୍ୟାନେଲ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍ର ସିଏମଡି ଜେ.କେ ମହାନ୍ତି।

ସେହିପରି ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଲ ଦେବ କହିଛନ୍ତି ଯେ, ଗତବର୍ଷ ତୁଳନାରେ ବିଦେଶୀ କ୍ରେତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତବର୍ଷ ଏହି ସଂଖ୍ୟା ୪୫ ଥିବାବେଳେ ଚଳିତବର୍ଷ ଏହା ୬୦ରେ ପହଞ୍ଚିଛି। ସେହିପରି ପର୍ଯ୍ୟଟନ ପରିଚାଳକଙ୍କ ସଂଖ୍ୟା ଗତବର୍ଷ ୧୦ ଥିଲାବେଳେ ଚଳିତବର୍ଷ ତାହା ୧୬କୁ ବୃଦ୍ଧିପାଇଛି। ଯାହା ଓଡ଼ିଶା ପର୍ଯ୍ୟଟନ ପାଇଁ ବିକାଶ ସୂଚକ।

ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କ୍ରେତା ଓ ବିକ୍ରେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ଆଦିବାସୀ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ହସ୍ତକଳା, ହସ୍ତତନ୍ତ, ପରିବେଶ, ବନ୍ୟଜନ୍ତୁ ପର୍ଯ୍ୟଟନ ସହିତ ତୀର୍ଥଯାତ୍ରୀ ପର୍ଯ୍ୟଟନର ପ୍ରଚାର ଓ ପ୍ରସାରକୁ ଏଥିରେ ଗୁରୁତ୍ୱ ଦିଆଯିବ।

ଓଡ଼ିଶାର ପର୍ଯ୍ୟଟନ ଉତ୍ପାଦକୁ ଦେଶ ବିଦେଶରେ ପ୍ରର୍ଦଶନ କରିବାଲାଗି ଟ୍ରାଭେଲ ଏଜେନ୍ସିମାନଙ୍କ ସହ ଓଡ଼ିଶାର ୫୬ଜଣ ସେଲର୍ ଆଲୋଚନା କରିବେ। ଏହାଛଡ଼ା ଓଡ଼ିଶା ପର୍ଯ୍ୟଟନର ବିକାଶଲାଗି ଅଧିକରୁ ଅଧିକ ପୁଞ୍ଜିନିବେଶ ମଧ୍ୟ ଏହାର ଅନ୍ୟ ଏକ ଲକ୍ଷ୍ୟ ରହିବ।

ଆମନ୍ତ୍ରିତ ହୋଇଥିବା ବିଦେଶୀ ପର୍ଯ୍ୟଟନ ପରିଚାଳକ ଓ ଘରୋଇ ପର୍ଯ୍ୟଟନ ପରିଚାଳକମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ବିଷୟରେ ଅବଗତ କରାଇବା ଲାଗି ତିନିଦିନ ମଧ୍ୟରେ ସେମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲାଇବାକୁ ନିଆଯିବା ଚଳିତବର୍ଷ ଓଡ଼ିଶା ଟ୍ରାଭେଲ ବଜାରରେ ୨୩ଟି ଦେଶ ଯେପରିକି ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବୁଲ୍‌ଗେରିଆ, ଚାଇନା, ଫିନ୍‌ଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରୀ, ଇଣ୍ଡୋନେସିଆ, ଇଟାଲୀ, ମାଲେସିଆ, ଫିଲିପିନ୍ସ, ପୋଲାଣ୍ଡ, ରୋମାନିଆ, ଋଷିଆ, ସିଙ୍ଗାପୁର, ସ୍ପେନ୍, ସ୍ୱିଡେନ୍, ଥାଇଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ୟୁକେ, ୟୁଏସ୍ଏର ୬୦ ବିଦେଶୀ ପର୍ଯ୍ୟଟନ ପରିଚାଳକ(ଏଫଟିଓ) ଏବଂ ଅହମ୍ମଦାବାଦ, ଚେନ୍ନାଇ, କୋଇମ୍ବାଟୋର୍, ଗୁୱାହାଟୀ, ହାଇଦ୍ରାବାଦ, ମୁମ୍ବାଇ, ପୁନେ, ରାୟପୁର, ରାଜକୋଟ, ରାଞ୍ଚି, ବାରାଣାସୀ ଓ ବିଶାଖାପାଟନମ୍‌ରୁ ୧୬ ଘରୋଇ ପର୍ଯ୍ୟଟନ ପରିଚାଳକ(ଡିଟିଓ)ମାନଙ୍କର ଅଂଶଗ୍ରହଣ ସାକ୍ଷ୍ୟ ପ୍ରଦାନ କରୁଛି।

ସେହିଭଳି ପୁର୍ବ ନିର୍ଦ୍ଧାରିତ ୧୮୦୦ଟି ବିଜନେସ୍ ଟୁ ବିଜନେସ୍ (ବିଟୁବି) ବୈଠକରେ ଓଡ଼ିଶା ଟୁରିଜିମ୍ ବିକ୍ରତାମାନଙ୍କ ସହ ସିଧାସଳଖ ଆଲୋଚନା କରାଯିବ। ଉଦ୍‌ଘାଟନୀ ସମାରୋହ ପରେ “ଟେକିଂ ଓଡ଼ିଶା ଟୁରିଜିମ୍ ଟୁ ଦି ନେକ୍ସଟ୍ ଲେବଲ’ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯିବ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହେଉଥିବା ବେଳେ ଏଥିରେ ଅନ୍ୟାନ୍ୟ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ୍‌ଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଭାରତ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି। ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହେବା ଦ୍ୱାରା ଆମ ପର୍ଯ୍ୟଟନ ଆହୁରି ସମୃଦ୍ଧ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ହୋଇ ପାରିବ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଆକର୍ଷଣ ସମ୍ପର୍କରେ ଦେଶ ବିଦେଶର ଲୋକେ ଜାଣିବାର ସୁଯୋଗ ପାଇବେ। ତେଣୁ ଓଡ଼ିଶା ପର୍ଯ୍ୟଟନର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି।

୨୦୧୭ରେ ଅକ୍ଟେବର ୧୫ରୁ ୧୭ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଟ୍ରାଭେଲ ବଜାର। ଏଥିରେ ଦେଶ ବିଦେଶର ବହୁ ଟୁର୍‌ ଏବଂ ଟ୍ରାଭେଲ ଅପରେଟର ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Comment