ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥରର ଛାତ୍ର ସଂସଦ ନିର୍ବାଚନରେ ସମସ୍ତଙ୍କ ନଜର ବିଶ୍ୱବିଦ୍ୟାଳୟ ଅପେକ୍ଷା ମହାବିଦ୍ୟାଳୟ ଉପରେ ରହିଛି।

ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୀତିକ ଦଳମାନଙ୍କ ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ୨୦୧୮ ଛାତ୍ର ନିର୍ବାଚନର ଗୋଟିଏ ଅଭାବନୀୟ ଖବର ହେଉଛି ଏଥର ବିଶ୍ୱବିଦ୍ୟାଳୟ ଉପରୁ ନଜର ହଟି ମହାବିଦ୍ୟାଳୟ ଉପରେ କେନ୍ଦ୍ରୀଭୂତ ହୋଇଛି। ରାଜ୍ୟର ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ ହେବା ପରେ ସ୍ୱାଭାବିକ ଭାବରେ ସମସ୍ତେ ଏବେ କଲେଜ ଆଡ଼କୁ ମୁହାଁଇଛନ୍ତି।

ଖବର ଅନୁସାରେ, ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ଯେଉଁ ପାଣ୍ଠି ବରାଦ କରିଥିଲେ ତାହା ବର୍ତ୍ତମାନ କଲେଜରେ ଖର୍ଚ୍ଚ କରାଯିବ। ଏଣୁ କଲେଜରେ ଲଢେଇ ଜୋରଦାର ହେବ ଏହା ଅନୁମାନ କରାଯାଉଛି। ଆହୁରି ମଧ୍ୟ, ଅକ୍ଟୋବର ୧୧ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି। କାରଣ ଆସନ୍ତା ଏପ୍ରିଲ ମାସରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି।

ବାଣୀବିହାର ଓ ରେଭେନ୍ସାରେ ନିର୍ବାଚନ ବାତିଲ ହେବା ପରେ ଏବେ ରମାଦେବୀ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ ଓ ଖ୍ରୀଷ୍ଟ କଲେଜ ଉପରେ ସମସ୍ତଙ୍କ ଦୃଷ୍ଟି। କଟକ ଖ୍ରୀଷ୍ଟ କଲେଜରେ ନିର୍ବାଚନ ପ୍ରଚାରର ମାହୋଲକୁ ଯଦି ଲକ୍ଷ୍ୟ କରାଯାଏ, ପାରମ୍ପରିକ ଓ ଆଧୁନିକ ଏହିଭଳି ମିଶ୍ରିତ ଧରଣର ପ୍ରଚାର ଅଭିଯାନ ଆଖିରେ ପଡ଼ିବ। ଭୋଜି, ଖିଆପିଆ ବ୍ୟତୀତ ପ୍ରାର୍ଥୀମାନଙ୍କ ପକ୍ଷରୁ ଦାମୀ ଉପହାର ଦିଆଯିବା ଦେଖାଯାଉଛି। ଏପରିକି ସ୍ମାର୍ଟ ଫୋନ ମଧ୍ୟ ଦିଆଯାଉଥିବା କଥା କହିଛନ୍ତି ଜଣେ ଛାତ୍ରୀ।

କ୍ୟାମ୍ପସରେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ପରସ୍ପର ପ୍ରତି ଆକ୍ଷେପ ମଧ୍ୟ ଏକ ଧରାବନ୍ଧା କଥା ହୋଇଯାଇଛି। ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ ପ୍ରଧାନ ବିଜେଡ଼ି ଛାତ୍ର ନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଅର୍ଥ ପ୍ରଲୋଭନ ଦେଖାଉଛି।

ପ୍ରଧାନଙ୍କ ଆଉ ଏକ ଅଭିଯୋଗ ହେଉଛି ଯେ, ଯେଉଁ ସବୁ କଲେଜରେ ବିଜେଡ଼ି ଜିତିବାର ସମ୍ଭାବନା ନାହିଁ ସେଠି ବିଜେଡ଼ି ଛାତ୍ର ନେତାମାନେ ଜାଣିଶୁଣି ଗଣ୍ଡଗୋଳ ଭିଆଉଛନ୍ତି। ଏବିଭିପିର ଜାତୀୟ ସମ୍ପାଦକ ଅଭିଳାଷ ପଣ୍ଡା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେଡ଼ି କଳେ ବଳେ କୌଶଳେ ନିର୍ବାଚନ ଜିତିବା ପାଇଁ ଚାହୁଁଛି।

ଏଣେ ଗଣ୍ଡଗୋଳ ଯୋଗୁଁ ଟୁଇନ ସିଟିର ଆଉ କିଛି କଲେଜରେ ନିର୍ବାଚନ ବାତିଲ କରି ଦିଆଯାଇଛି। ଦୁଇ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥପତ୍ର ନାକଚ ହେବା ପରେ ଗୁରୁବାର ଦିନ ରାଜଧାନୀ ଓ ଦେବରାୟ କଲେଜରେ ନିର୍ବାଚନ ବନ୍ଦ କରିବାକୁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏ ଦୁଇ କଲେଜରେ ସାଇନେ ଡାଏ ମଧ୍ୟ ଘୋଷଣା କରାଯାଇଛି।

ବିଜେଡ଼ି ଛାତ୍ର ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏନଏସୟୁଆଇ ଓ ଏବିଭିପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ କହିଛନ୍ତି ଯେ, ବିଗତ କିଛି ବର୍ଷ ଧରି ବିଜେଡ଼ିର ଛାତ୍ର ପ୍ରତିନିଧିମାନେ ରାଜ୍ୟର ୯୦ ପ୍ରତିଶତ କଲେଜରେ ନିର୍ବାଚନ ଜିତି ଆସୁଛନ୍ତି ଓ ଏ ବର୍ଷ ମଧ୍ୟ ସେୟା ହିଁ ହେବ।

Comment