ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକ ଯୌତୁକ ଦାବିରେ ପ୍ରାଣ ହରାଇଲା ବୋହୂ। ନ୍ୟାୟ ପାଇଁ ଆଳି ଥାନା ଘେରିଲେ ବୋହୂର ବାପଘର ଲୋକେ।

କେନ୍ଦ୍ରାପଡ଼ା: ଯୌତୁକ ଜୁଇରେ ପ୍ରାଣ ହାରିଛନ୍ତି ଆଳି ଥାନା ବିଲିକଣା ଗାଁର ସବିତା ପରିଡ଼ା। ହେଲେ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ। ସବିତାଙ୍କ ହତ୍ୟାକାଣ୍ଡକୁ ଏକ ମାସ ବିତିବାକୁ ଯାଉଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାର ନାଁ ଧରୁନି। ଫଳରେ ସବିତାଙ୍କ ବାପଘର ଗାଁ ଲୋକେ ଥାନାକୁ ଘେରାଉ କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଛନ୍ତି।

ଯୌତୁକ ଜୁଇରେ ପ୍ରାଣ ହରାଉଛନ୍ତି ଜଣକ ପରେ ଜଣେ ନବ ବଧୂ। ବଧୂ ହତ୍ୟା ରୋକିବା ପାଇଁ ସଚେତନତା କରାଯାଉଥିଲେ ମଧ୍ୟ ଏହା କମିବାର ନାଁ ଧରୁନି। ଏହାର ନମୁନା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁର ଶରତ ବେହେରାଙ୍କ ଝିଅ ସବିତା ଗତ ୨୦୧୮ ମସିହା ଏପ୍ରିଲ ମାସ ୨୫ ତାରିଖରେ ଆଳି ଥାନା ପତ୍ରପୁର ପଞ୍ଚାୟତର ବିଲିକଣା ଗାଁର କ୍ଷୀରୋଦ ପରିଡ଼ାଙ୍କ ବଡ଼ ପୁଅ ଶୁଭକାନ୍ତକୁ ବିବାହ କରିଥିଲେ। ବାହାଘର ବେଳେ ଶରତ ସମସ୍ତ ଜାନି ଯୌତୁକ ସହିତ ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ବିବାହର କିଛି ଦିନ ହସଖୁସିରେ ଚାଲିଥିଲା ସଂସାର।

ଅଳ୍ପ କେଇଟା ଦିନ ପରେ ସ୍ୱାମୀ ଶୁଭକାନ୍ତ ସ୍ତ୍ରୀ ସବିତାଙ୍କୁ ଅଧିକ ୧ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହିଥିଲେ। ଏହି ଟଙ୍କାରେ ଶୁଭକାନ୍ତ ଚାହୁଁଥିଲା କି  ବ୍ୟାଙ୍କରୁ ଆଉ ଗୋଟିଏ ବୋଲେରୋ ଗାଡି ଋଣରେ ଆଣିବା ପାଇଁ। ଋଣ ପାଇଁ ବ୍ୟାଙ୍କରେ ମୂଳ ଜମା ବାବଦକୁ ଯେଉଁ ଅର୍ଥ ଦେବାକୁ ପଡ଼ିବ ତାହା ଶୁଭକାନ୍ତଙ୍କ ପାଖରେ ନଥିଲା।

ଶୁଭକାନ୍ତ ଘରେ ବାପା, ମା’ ଓ ଭାଇ ଭଉଣୀଙ୍କୁ ଏକଥା କହିବାରୁ ଘରେ ସମସ୍ତେ ଶୁଭକାନ୍ତର କଥାକୁ ସମର୍ଥନ କରିଥିଲେ। ଅଧିକ ଯୌତୁକ ଦାବିରେ ସବିତାଙ୍କ ଉପରେ ଆରମ୍ଭ ହେଲା ମାନସିକ ନିର୍ଯାତନା। ସବିତା ଏକଥା ତାଙ୍କ ବାପଘରକୁ ଖବର ଦେଇଥିଲେ। ବାପା ଶରତ ଝିଅକୁ କହିଥଲେ କି ନିକଟରେ ବାହାଘର ଶେଷ ହୋଇଥିବାରୁ ଆଉ ୧ ଲକ୍ଷ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଉ କିଛି ଦିନ ଅପେକ୍ଷା କରିବାକୁ କହି ଝିଅକୁ ବୁଝାଇ ଦେଇଥିଲେ ଶରତ। ହେଲେ ଶଶୂଘର ଲୋକେ ବୁଝିବାକୁ ନାରାଜ।

ଯୌତୁକ ପାଇଁ ସବିତାଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଥିଲେ ମଧ୍ୟ ବାପା ଶରତ ଘଟଣା ଉପରେ ସେତେଟା ଗୁରୁତ୍ୱ ଦେଇନଥିଲେ। ଫଳରେ ସବିତାଙ୍କ ଉପରେ ଭାରି ପଡ଼ିଲା ଯୌତୁକ ଗଞ୍ଜଣା।

ଗତ ସେପ୍ଟେମ୍ବର ୧୮ ତାରିଖରେ ସବିତା ଆତ୍ମହତ୍ୟା କରିଥିବା ଶାଶୂଘର ଲୋକ ସବିତାର ଘରକୁ ଖବର ଦେଇଥିଲେ। ସବିତାଙ୍କ ବାପଘର ଲୋକେ ଶୁଭକାନ୍ତଙ୍କ ଘରେ ପହଞ୍ଚିବା ପରେ ଦେଖିଲେ କି ସବିତାର ମୃତଦେହ ତଳେ ପଡ଼ିଛି। ଏହାକୁ ନେଇ ସବିତାର ବାପା ଶରତଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା।

ମୃତ୍ୟୁର ଦିନକ ପୂର୍ବରୁ ସବିତା ବାପଘର ଲୋକମାନଙ୍କ ସହିତ ଫୋନରେ ଭଲରେ କଥା ହୋଇଥିଲା। ତା’ର ମନର ଅବସ୍ଥା ମଧ୍ୟ ଭଲ ଥିଲା। ହେଲେ ଆଜି ଆତ୍ମହତ୍ୟା କାହିଁକି କରିଲା ବୋଲି ସନ୍ଦେହରେ ଶରତ ଆଳି ଥାନାରେ ସ୍ୱାମୀ ଶୁଭକାନ୍ତ, ଶ୍ୱଶୁର କ୍ଷୀରୋଦ, ଶାଶୂ ଅହଲ୍ୟା, ନଣନ୍ଦ ଦୀପା ଓ ଲିପା ଏବଂ ଦିଅର ଲିପୁ ପରିଡ଼ାଙ୍କ ବିରୋଧରେ ଯୌତୁକ ହତ୍ୟା ଅଭିଯୋଗ କରିଥିଲେ। ପୋଲିସ ସବିତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ପୋଲିସ ଧରି ପାରିନି। ଅଭିଯୁକ୍ତମାନେ ବାହାରେ ଆରାମରେ ବୁଲୁଥିବା ବେଳେ ପୋଲିସ କେବଳ ହାତବାନ୍ଧି ବସି ରହିଛି।

ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ଦେବାକୁ ପୋଲିସ ସୁଯୋଗ ଦେଉଛି ବୋଲି ସବିତାଙ୍କ ପରିବାର ଓ ତାଙ୍କ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଥାନା ଘେରାଉ କରିଛନ୍ତି ଗାଁ ଲୋକେ। ପୋଲିସ ଅଭିଯୁକ୍ତମାନଙ୍କୁ ଶିଘ୍ର ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଛି।

LEAVE A REPLY

Please enter your comment!
Please enter your name here