ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜାତୀୟ ସ୍ତରରେ ଓଡ଼ିଶା ଟିମର ଶ୍ରେଷ୍ଠତ୍ୱ ପ୍ରଦର୍ଶନ
  • ପ୍ରତିଭା ଦେଖାଇଲେ ପ୍ରତିଯୋଗୀ
  • ଓଡ଼ିଶାକୁ ମିଳିଲା ୪ ସ୍ୱର୍ଣ୍ଣ, ୯ଟି ରୌପ୍ୟ, ୬ଟି କାଂସ୍ୟ ପଦକ

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ୍‌ସ – ୨୦୧୮ ପ୍ରତିଯୋଗିତାରେ ଓଡ଼ିଶା ଟିମ୍ କ୍ଲିନସୁଇପ୍ କରିଛି। ଦକ୍ଷତା ଭିତ୍ତିକ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ନିଜର ପ୍ରତିଭା ଦେଖାଇ ଜାତୀୟ ସ୍ତରରେ ଓଡ଼ିଶାକୁ ନମ୍ବର ୱାନ କରିଛନ୍ତି।

ଏହି ପ୍ରତିଯୋଗିତାରେ ଓଡ଼ିଶା ଟିମ୍ ୪ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ, ୬ଟି କାଂସ୍ୟ ପଦକ ହାସଲ କରିଛି। ପଦକ ହାସଲ କରିବାରେ ଓଡ଼ିଶା ଟିମ୍ ସାରା ଦେଶରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିପାରିଛି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍‍ଚୀ।

ଓଡ଼ିଶା ଟିମ୍‌ ୨୦୧୯ରେ ଋଷିଆରେ ହେବାକୁ ଥିବା ବିଶ୍ୱ ସ୍କିଲ୍‌ସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିଥିବା ସୁବ୍ରତ ବାଗ୍‌ଚୀ କହିଛନ୍ତି।

ଇଣ୍ଡିଆ ସ୍କିଲ୍‌ସ ୨୦୧୮ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ୩୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ।

ଭୁବନେଶ୍ୱରରେ ଗତ ଜୁଲାଇ ମାସରେ ତିନି ଦିନ ଧରି ଚାଲିଥିଲା ଇଣ୍ଡିଆ ସ୍କିଲ୍‌ସ ରିଜିଓନାଲ କମ୍ପିଟିସନ (ପୂର୍ବ ସଂଭାଗ)। ଏହି କାର୍ଯ୍ୟକ୍ରମରେ ୨୭ଟି ଦକ୍ଷତା ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଟୋମୋବାଇଲ, ମୋବାଇଲ ରୋବୋଟିକ୍ସ, କୁକିଂ, ବ୍ରିକ୍ଲେୟିଂ, ୱେବ ଡିଜାଇନିଂ, ବିଉଟିଥେରାପି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଝାଡ଼ଖଣ୍ଡ ଏବଂ ମେଘାଳୟର ପ୍ରାୟ ୨୨୫ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

୨୦୧୭ ମସିହାରେ ଆବୁଧାବିଠାରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାରତ ୧ଟି ରୌପ୍ୟ, ୧ଟି ବ୍ରୋଞ୍ଜ ଓ ଉଚ୍ଚକୋଟୀର ପ୍ରଦର୍ଶନ ହେତୁ ୯ଟି ମେଡାଲିଅନ ଅଫ ଏକ୍ସିଲେନ୍ସ ବା ପଦକ ହାସଲ କରିଥିଲା। ଭାରତ ଅନେକ ବିକଶିତ ରାଷ୍ଟ୍ରଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୫୯ଟି ଦେଶମାନଙ୍କ ମଧ୍ୟରୁ ୧୯ତମ ସ୍ଥାନ ଅଧିକାର କରିଥିଲା।

LEAVE A REPLY

Please enter your comment!
Please enter your name here