ଓଡ଼ିଶାଲାଇଭ୍ ବ୍ୟୁରୋ

- ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର
- ମାଗଣାରେ ତୀର୍ଥ ଦର୍ଶନ
- ଆଗ୍ରା- ଫତେପୁର ସିକ୍ରି- ମଥୁରା ଗଲେ ୧ ହଜାର ତୀର୍ଥଯାତ୍ରୀ
ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ପୁଣିଥରେ ବରିଷ୍ଠ ନାଗରିକଙ୍କୁ ନେଇ ଗଡ଼ିଲା ତୀର୍ଥଯାତ୍ରା ଟ୍ରେନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବରିଷ୍ଠ ନାଗରିକ ସପ୍ତମ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ପ୍ରାୟ ଏକ ହଜାର ତୀର୍ଥଯାତ୍ରୀ ଆଗ୍ରା-ଫତେପୁର ସିକ୍ରି ଦେଇ ମଥୁରା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ବର୍ଷକୁ ୩ଟି ଟ୍ରେନ୍ରେ ପ୍ରାୟ ୩ ହଜାର ଯାତ୍ରୀ ତୀର୍ଥଯାତ୍ରାରେ ଯାଉଛନ୍ତି। ଚଳିତବର୍ଷଠାରୁ ଏହାକୁ ଦୁଇ ଗୁଣ କରାଯାଇ ୬ଟି ଟ୍ରେନ୍ରେ ୬ ହଜାର ଯାତ୍ରୀ ତୀର୍ଥଯାତ୍ରା କରିବେ। ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି। ଏହାସହିତ ଚଳିତବର୍ଷ ବାଲେଶ୍ୱର ସହିତ ଟିଟିଲାଗଡ଼ ଓ ରାୟଗଡ଼ାରୁ ମଧ୍ୟ ତୀର୍ଥଯାତ୍ରୀମାନେ ଟ୍ରେନ୍ ଯୋଗେ ଯାତ୍ରା କରିବେ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ତଥା ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ପ୍ରମୁଖ ସଚିବ ଓ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ମଧ୍ୟ ଗତ ଏପ୍ରିଲ ମାସରେ ସମ୍ବଲପୁର ଷ୍ଟେସନରୁ ଏକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାରୁ ହଜାରରୁ ଅଧିକ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଏହି ଟ୍ରେନ ୭ ଦିନ ଧରି ସିରିଡି, ନାସିକ ଓ ତ୍ରୟମ୍ବକେଶ୍ୱର ଯାତ୍ରା କରିଥିଲା।
ଏହାବ୍ୟତୀତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଦେଶର ପ୍ରମୁଖ ତୀର୍ଥସ୍ଥଳୀମାନଙ୍କରେ ଯାତ୍ରା କରିବାପାଇଁ ୨୦୧୬ରୁ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

















