ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ପୁଣି ଜୋର୍ ଧରିଛି ଚର୍ଚ୍ଚା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏକ ଆକଳନ ଏବେ କରାଯାଉଛି। ଏହି ଅନୁମାନ ଆଜିର ନୁହେଁ ପାଖାପାଖି ୬ ମାସ ଧରି ଏହି ବିଷୟରେ ଆଲୋଚନା ହେଉଛି। ଏବେ ଏହା ଜୋର ଧରିବାର କାରଣ ହେଉଛି ସାଧାରଣ ନିର୍ବାଚନ ପାଇଁ ଆଉ ବେଶୀ ସମୟ ନାହିଁ। ୨୦୧୯ ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୁଅନ୍ତୁ ଏଭଳି ଏକ ପ୍ରସ୍ତାବ ରାଜ୍ୟ ବିଜେପି ପକ୍ଷରୁ ଆସିବାର ସମ୍ଭାବନା ମଧ୍ୟ ରହିଛି।

ଓଡ଼ିଶା ବିଜେପି ସଭାପତି ବସନ୍ତ କୁମାର ପଣ୍ଡା ନିଜେ ଏହିଭଳି ଏକ ସମ୍ଭାବନା ଦେଖୁଛନ୍ତି। ମୋଦି ପ୍ରାର୍ଥୀ ହେଲେ ଏହି ବେଲ୍ଟରେ ବିଜେପି ଢେର ଭଲ କରିବ ବୋଲି ଏକ ଆକଳନ ମଧ୍ୟ କରାଯାଇଛି।କେବଳ ବିଜେପିର ରାଜ୍ୟ କର୍ମକର୍ତ୍ତା ନୁହେଁ କର୍ମୀମାନେ ମଧ୍ୟ ଚାହୁଁଛନ୍ତି ମୋଦି ପୁରୀରୁ ଲଢ଼ନ୍ତୁ। ଆଗାମୀ ଦିନରେ ଆନୁଷ୍ଠାନିକ ଭାବେ ଏନେଇ ଏକ ପ୍ରସ୍ତାବ ମଧ୍ୟ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡର ବିଚାର ପାଇଁ ପଠାଯିବ ବୋଲି ବସନ୍ତ ପଣ୍ଡା କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ପ୍ରାର୍ଥୀ ଭାବେ ପାଇବା ପାଇଁ ଯେ କୌଣସି ରାଜ୍ୟ ଆଶା କରିପାରନ୍ତି। ଏଥିରେ ଅସ୍ଵାଭାବିକତା ନାହିଁ। ସାଧାରଣତଃ ଏହା ଏକ ସମ୍ମାନର ପ୍ରଶ୍ନ ଓ ପ୍ରଧାନମନ୍ତ୍ରୀ ଲଢ଼ିବା ଫଳରେ ହାଇ ଭୋଲ୍ଟେଜ ପ୍ରଚାର ହୁଏ ଓ ଏହାର ପ୍ରଭାବ ଆଖପାଖ ନିର୍ବାଚନମଣ୍ଡଳୀ ଉପରେ ମଧ୍ୟ ପଡ଼ିଥାଏ। କେବଳ ମୋଦିଙ୍କ କ୍ଷେତ୍ରରେ ନୁହେଁ ଯେ କୌଣସି ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଏହା ସତ। ହେଲେ ଓଡିଶାରୁ ମୋଦି ପ୍ରାର୍ଥୀ ହେବା ଏକ ସ୍ୱତନ୍ତ୍ର ବିଷୟ ଓ ବିଜେପିର ରଣନୀତିର ଅଂଶ।

ଓଡ଼ିଶାରେ ପଶିବା ପାଇଁ ବିଜେପି ଅନେକ ଦିନରୁ ଯୋଜନା କରି ଆସିଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ବିଜେପି ଅଧିକ ଫୋକସ କରିବା କଥା ଦଳର ୨୦୧୯ ନିର୍ବାଚନୀ ରଣନୀତିର ଏକ ପ୍ରମୁଖ ଅଙ୍ଗ। ତେବେ ମୋଦି ପୁରୀରୁ ପ୍ରାର୍ଥୀ ହେବେ କି ନା ସେହି ନିଷ୍ପତ୍ତି ବିଜେପିର କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ ଗ୍ରହଣ କରିବ। ଯାହା ଲାଗୁଛି ପୁରୀରୁ ମୋଦି ପ୍ରାର୍ଥୀ ହେବା ଏକ ଆଶ୍ଚର୍ଯ୍ୟଜନକ କଥା ନୁହେଁ। ପୁରୀ ସହିତ ଯେଉଁ ଧାର୍ମିକ ଭାବନା ଯୋଡ଼ି ହୋଇଛି ସେଥିରେ ମୋଦି ନିଜେ ହଁ କରିବେ ଏଭଳି ସମ୍ଭାବନା ମଧ୍ୟ ରହିଛି।

ଯଦି ପୁରୀରୁ ମୋଦି ବାସ୍ତବରେ ପ୍ରାର୍ଥୀ ହୁଅନ୍ତି ସେ କଥା ବହୁତ ଆଗରୁ ଜଣାପଡ଼ିବ। କାରଣ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଭିନ୍ନ ଧରଣର ନିର୍ବାଚନର ଆବଶ୍ୟକତା ପଡ଼ିବ। କିନ୍ତୁ ଏହି ସମ୍ଭାବନାର ଏକ ନକାରାତ୍ମକ ଦିଗ ବି ରହିଛି। ବିଜେପି ବର୍ତ୍ତମାନ ପୂରା ଜୋର ଦେଉଛି ଉତ୍ତରପ୍ରଦେଶ ଉପରେ। ଦଳର ଲକ୍ଷ୍ୟ ଆସନ୍ତା ନିର୍ବାଚନରେ ୮୦ଟି ଯାକ ଆସନ ହାତେଇବ। ଏଣୁ ବର୍ତ୍ତମାନର ବାରାଣସୀ ଆସନକୁ ମୋଦି ନିଶ୍ଚିତ ଭାବରେ ରଖିବେ। ଯଦି ସେ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଚାହିଁବେ ତାଙ୍କ ପାଇଁ ନିଜ ରାଜ୍ୟ ଗୁଜରାଟ ବି ରହିଛି। ଯିଏ ଯେଉଁଠାରୁ ପ୍ରାର୍ଥୀ ହୁଅନ୍ତୁନା କାହିଁକି ପ୍ରତି ରାଜନୈତିକ ଦଳ ପାଇଁ ଜିତିବା ହେଉଛି ବଡ଼ କଥା। ଏଣୁ ମୋଦିଙ୍କୁ ଏଭଳି ଦୁଇଟି ଆସନ ବାଛିବାକୁ ହେବ ଯେଉଁଠାରୁ ସେ ନିଶ୍ଚିତ ଭାବରେ ବିଜୟ ଲାଭ କରିବେ। ଏହି ଦୃଷ୍ଟିରୁ ପୁରୀ ଯେ ତାଙ୍କ ପାଇଁ ନିରାପଦ ହେବ ସେଥିରେ ସନ୍ଦେହ ରହିଛି।

କାହିଁକି ନା ପୁରୀରୁ ପ୍ରାର୍ଥୀ ହେଲେ ମୋଦି ହାରି ବି ଯାଇପାରନ୍ତି। ଏହା ପଛରେ ଯୁକ୍ତି ହେଉଛି ଯେ ଉପକୂଳରେ ଶାସକ ବିଜେଡିର ଦବଦବା ଏଯାଏଁ ରହିଛି। ତା’ ଛଡ଼ା ବିଜେପି ଏହି ଚାରି ବର୍ଷ ମଧ୍ୟରେ ରାଜ୍ୟରେ ସେଭଳି କିଛି ରାଜନୈତିକ ପ୍ରଭାବ ସୃଷ୍ଟି କରି ପାରିନାହିଁ। ଯଦିଓ କିଛି କିଛି ଟିଭି ଚ୍ୟାନେଲ ଅନୁମାନ କରୁଛନ୍ତି ଯେ ଏଥର ଓଡ଼ିଶାରେ ବିଜେପି ଭଲ କରିବ ଓ ୨୧ ମଧ୍ୟରୁ ୧୩ଟି ଆସନରେ ବିଜୟୀ ହେବ,ତଥାପି ବିଜେଡିର ଦୁର୍ଗ ଭାଙ୍ଗି ପଶିବା କଷ୍ଟକର ବ୍ୟାପାର।

ଅଠର ବର୍ଷ ଧରି ଶାସନ କରିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର ଏଥର ଭୋଟରଙ୍କ ରୋଷର ଶିକାର ହୋଇପାରେ ବୋଲି ମଧ୍ୟ କୁହା ଯାଉଛି। ତେବେ ଲୋକସଭା ଆସନ ପାଇଁ ଫଳ ଅଲଗା ହେବାର ସମ୍ଭାବନାକୁ ଏଡେଇ ଦିଆଯାଇ ପାରିବ ନାହିଁ। ‘ଓଡ଼ିଶାରେ ନବୀନ ,ଦିଲ୍ଲୀରେ ମୋଦି’ ଏଭଳି ଏକ କଥା ବି ଭୋଟର ମହଲରେ ଶୁଣାଯାଉଛି। ଏଣୁ ଏସବୁକୁ ଦେଖିଲେ ପୁରୀ ଲୋକସଭା ଆସନଟି ୨୦୧୯ ମହାସମରରେ ନିଶ୍ଚିତ ଭାବରେ ଏକ ଗରମାଗରମ ଆସନ ହେବ, ନରେନ୍ଦ୍ର ମୋଦି ଏଠାରୁ ପ୍ରାର୍ଥୀ ହୁଅନ୍ତୁ କି ନା।

Comment