ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ସ୍ମୃତି ଇରାନି
  • ନବୀନଙ୍କ ନାଁ ନେଇ ବର୍ଷିଲେ
  • ଓଟିଏମ୍ ପୁନରୁଦ୍ଧାର କରିବାରେ ରାଜ୍ୟ ସରକାର ଫେଲ୍
  • ରୋଜଗାର ଦେବାରେ ନବୀନ ବାବୁ ଫେଲ୍
  • ମହିଳାମାନଙ୍କୁ ସୁରକ୍ଷା ଦେବାରେ ବି ଓଡ଼ିଶା ସରକାର ବିଫଳ

“୧୮ ବର୍ଷ ହେଲା ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ସରକାର ଚାଲିଛି। ହେଲେ ନବୀନ ସରକାର ସବୁଥିରେ ଫେଲ୍ ମାରିଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପୂରଣ କରିବାରେ ନବୀନ ବାବୁ ବିଫଳ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି।

ଭୁବନେଶ୍ୱର ବିଜେପି ପାର୍ଟି ଅଫିସରେ ରାଜ୍ୟ ବିଜେପିର ଚାଲିଛି କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି। ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି।

ସ୍ମୃତି ଇରାନି କହିଛନ୍ତି, “ମହିଳାଙ୍କୁ ସମ୍ମାନ ଦେବା କଥା ରାଜ୍ୟ ସରକାର କହୁଛନ୍ତି। ହେଲେ ଓଡ଼ିଶାର ମହିଳାମାନେ ଅସୁରକ୍ଷିତ। ସେମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ। ଓଟିଏମ୍‌ ଉପରେ ଶହ ଶହ ଲୋକ ନିର୍ଭର କରି ଚଳୁଥିଲେ। କିନ୍ତୁ ନବୀନ ବାବୁଙ୍କ ସରକାର ଓଟିଏମ୍‌ର ପୁନରୁଦ୍ଧାର କରିପାରିଲେ ନାହିଁ। ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଓଟିଏମ୍‌ର ପୁନରୁଦ୍ଧାର କରାଯିବ।”

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଆହୁରି କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାର ତୁମ୍ବି ତୋଫାନ କରୁଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଟିକସ କମାଇଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଟିକସ ହ୍ରାସ କରୁ ନାହାନ୍ତି?

ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି କହିଛନ୍ତି ସ୍ମୃତି।

“ଓଡ଼ିଶାରେ ବିଜେପି ୨୦୧୯ରେ ସରକାର ଗଠନ କରିବ। ମିଶନ ୧୨୦ ଲକ୍ଷ୍ୟ ନିଶ୍ଚିତ ଭାବେ ହାସଲ କରିବୁ। ନବୀନ ବାବୁଙ୍କୁ ଶାସନ ଗାଦିରୁ ତଡ଼ିବା ପାଇଁ ଆମେ ସଙ୍କଳ୍ପ ନେଇଛୁ”, ଦୃଢ଼ତାର ସହ କହିଛନ୍ତି ସ୍ମୃତି।

Comment