ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ହିଂସାକାଣ୍ଡ ପାଇଁ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଦାୟୀ କରିଛନ୍ତି ବିରୋଧୀ। ଦାମ ଦାବି କଲେ ଇସ୍ତଫା।

ପୁରୀ ବନ୍ଦ ବେଳେ ଦେଖାଦେଇଥିବା ହିଂସାକାଣ୍ଡକୁ ୫ ଦିନ ବିତିଲାଣି। ୫ ଦିନ ପରେ ଏହି ହିଂସାକାଣ୍ଡକୁ ନେଇ ରାଜନୀତି ଥମୁନି। ବିଜେପି, କଂଗ୍ରେସ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଉପରେ ଆଙ୍ଗୁଳି ଉଠାଇଥିବା ବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମହେଶ୍ୱରଙ୍କ ଇସ୍ତଫା ଦାବି କରିଛନ୍ତି। ମହେଶ୍ୱର ମଧ୍ୟ ଏହାର ଜବାବ ଦେଇଛନ୍ତି।

ଅକ୍ଟୋବର ୩ ତାରିଖରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଜଗନ୍ନାଥ ଧାମ ପୁରୀରେ ଏକ ସମ୍ବେଦନଶୀଳ ଘଟଣା ଘଟିଥିଲା। ଯେଉଁ ପୁରୀକୁ ସାରା ବିଶ୍ୱରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି ସେଠି ନିଆଁ ଜଳିଥିଲା। ପୋଲିସ-ବିଷକ୍ଷାଭକାରୀ ମୁହାଁମୁହିଁ ହୋଇଥିଲା। ଘଟଣାର ୫ ଦିନ ଭିତରେ ପୋଲିସ ପ୍ରାୟ ୪୦ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ସହ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ହିଂସାକାଣ୍ଡ ପଛରେ କାହାର ହାତ ଥିଲା ତାକୁ ନେଇ ଶାସକ ଏବଂ ବିରୋଧୀ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି।

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ସାମ୍ବାଦିକ ସମ୍ମିଳନୀ କରି ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଏହି ବିବାଦ ଭିତରକୁ ଟାଣିଛନ୍ତି। ମହେଶ୍ୱରଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ଏହି ହିଂସାକାଣ୍ଡ ଘଟିଥିଲା ଏବଂ ଏବେ ପୋଲିସ ତାଙ୍କରି ନିର୍ଦ୍ଦେଶରେ ଯାହାକୁ ପାରୁଛି ତାକୁ ଗିରଫ କରୁଥିବା ସେ ଅଭିଯୋଗ କରିଛନ୍ତି।

“ହିଂସାକାଣ୍ଡରେ ଯେଉଁମାନେ ଜଡ଼ିତ ସେମାନଙ୍କୁ ଗିରଫ କରୁନି ପୋଲିସ। ଭିଡିଓ କ୍ଲିପ୍ ଯାଞ୍ଚ ନକରି ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଶାନ୍ତି କମିଟି ସଦସ୍ୟ ଏବଂ ସେବାୟତମାନଙ୍କୁ ଗିରଫ କରାଯାଉଛି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ”, କହିଛନ୍ତି କେଭି ସିଂହଦେଓ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପୁରୀ ହିଂସାକାଣ୍ଡରେ ରାଜନୀତିର ରଙ୍ଗ ବୋଳିଛନ୍ତି। ସେ କହିଛନ୍ତି ଯେ ପୋଲିସ କଂଗ୍ରେସ କର୍ମୀଙ୍କୁ ଗିରଫ କରୁଛି। ଯେଉଁମାନେ ପ୍ରକୃତ ଅଭିଯୁକ୍ତ ସେମାନଙ୍କୁ ଛାଡ଼ି ଦେଉଛି। ଏହା ଠିକ୍ ନୁହେଁ।

ବିରୋଧୀ କଂଗ୍ରେସ ଏବଂ ବିଜେପି ପୁରୀ ହିଂସାକାଣ୍ଡରେ ଶାସକ ଦଳକୁ ଘେରିଥିବା ବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଚୁପ୍ ରହି ନାହାନ୍ତି। ସେ ମହେଶ୍ୱରଙ୍କୁ ଟାର୍ଗେଟ କରିଛନ୍ତି। ମହେଶ୍ୱର ମହାନ୍ତି ହିଂସାକାଣ୍ଡ ପାଇଁ ଦାୟୀ ଏବଂ ସେ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଦାମ ଦାବି କରିଛନ୍ତି।

ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ବିରୋଧ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସୋସିଆଲ ମିଡିଆରେ ଲାଇଭ୍ କରି ଶ୍ରୀମନ୍ଦିର ପ୍ରତି ବାହାରୁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି ବିଜୟ।

ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ବେଳେ ହିଂସାକାଣ୍ଡ ଦେଖାଦେଇଥିଲା। ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହ ବଡ଼ଦାଣ୍ଡରେ ଥିବା ଟେଣ୍ଡରେ ନିଆଁ ଲଗାଇ ଦେଇଥିଲେ।

ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ କରିବା ସହ ଲୁହ ବୁହା ଗ୍ୟାସ ଏବଂ ରବର ବୁଲେଟ୍ ମାଡ଼ କରିଥିଲା।

Comment