ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିବା ପରେ ବିରୋଧୀ କରିଛନ୍ତି ସମାଲୋଚନା।
ସତ୍ୟବାଦୀ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ବିଜେଡି ଶିବିରରେ ଉତ୍ସାହ ଲାଗି ରହିଥିବା ବେଳେ ବିଜେପି ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ବାଣ ମାରିଛନ୍ତି।
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନବୀନ ନାଁ ଲେଖାନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବା ବେଳେ ବିଜେପି କହିଛି ନିର୍ବାଚନ ପୂର୍ବରୁ ଏହା ହେଉଛି ନବୀନଙ୍କ ଓଡ଼ିଆ ପ୍ରେମ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାରୁ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଧନ୍ୟବାଦ ଦେବା ଅବସରରେ ନିରଞ୍ଜନ ନବୀନଙ୍କୁ ସମାଲୋଚନା କରିଛନ୍ତି।
“ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରୁଥିବାରୁ ଧନ୍ୟବାଦ। ଆଶାକରେ ଓଡ଼ିଆ ଶିଖିବା ପାଇଁ ସେ ମଧ୍ୟ ଏଠାରେ ଖୁବ୍ଶୀଘ୍ର ନାମ ଲେଖାଇବେ”, ଟୁଇଟ୍ କରିଛନ୍ତି ନିରଞ୍ଜନ।
ସାମ୍ବାଦିକ ସମ୍ମିଳନୀ କରି ବିଜେପି ମଧ୍ୟ ନବୀନଙ୍କୁ ସମାଲୋଚନା କରିଛି।
ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ନବୀନ ପଟ୍ଟନାୟକ ୧୮ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଓଡ଼ିଆରେ କହି ଶିଖିଲେ ନାହିଁ। ଏହା କ’ଣ ତାଙ୍କର ଓଡ଼ିଆ ପ୍ରେମ? ଯେଉଁ ରାଜ୍ୟର ଶାସକ ନିଜ ମାତୃଭାଷାରେ କଥା କହିପାରିବେ ନାହିଁ ସେ କେମିତି ସାଧାରଣ ଲୋକଙ୍କ କଥା ବୁଝି ପାରିବେ? ସରକାରଙ୍କର ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ନଥିବାରୁ ଆଜିଯାଏଁ ଓଡ଼ିଆ ଭାଷା ସରକାରୀ ସ୍ତରରେ କାର୍ଯ୍ୟକାରୀ ହୋଇନାହିଁ।
ଏପଟେ ବିଜେଡି ବିରୋଧୀଙ୍କୁ କଡ଼ା ଜବାବ ଦେଇଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ମମତା ରହିଛି। ତାଙ୍କ ସମୟରେ ହିଁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ପିସିସି ସଭାପତି ମନ୍ତ୍ରୀ ଥିବା ବେଳେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପରିକଳ୍ପନା କାହିଁକି କରି ନଥିଲେ?








ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିବା ପରେ ବିରୋଧୀ କରିଛନ୍ତି ସମାଲୋଚନା।









