ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ଉପୁଜିଲାଣି ବିବାଦ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ବିବାଦ ସୃଷ୍ଟି ହୋଇଛି। ଏହାବ୍ୟତୀତ ଦଳ ଭିତରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଥିବାର ଏକ ଖବର ଆସୁଛି। ଏହି ଘଟଣାଟି ଓଡ଼ିଆରେ ଥିବା ସେହି ପ୍ରବାଦକୁ ଚରିତାର୍ଥ କରୁଛି: ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ। ଯଦି କଂଗ୍ରେସ ଜିତେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଦଳର ନେତାମାନେ ଏବେଠାରୁ ଝାଳନାଳ ହୋଇ ପଡ଼ିଥିବା ଦେଖାଯାଉଛି।

 

ପ୍ରକୃତରେ ଏହି ବିବାଦ ଆରମ୍ଭ ହେଲା ଯେତେବେଳେ ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ବିବୃତ୍ତି ଦେଲେ ଯେ, “ଯଦି କଂଗ୍ରେସ ୨୦୧୯ ବିଧାନସଭା ନିର୍ବାଚନରେ ଭଲ ଫଳ ଦେଖାଏ ଓ କଂଗ୍ରେସ ସରକାର ଗଢ଼ିବାର ସ୍ଥିତିରେ ରହ, ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ।“

ଚିରଞ୍ଜୀବଙ୍କ ଏହି ବିବୃତ୍ତି ପରେ ବିବାଦ ଘନେଇବା ଆରମ୍ଭ କରିଛି ଓ ଏ ନେଇ ଦଳ ଭିତରେ ଦୁଇଟି ଗୋଷ୍ଠୀ ତିଆରି ହୋଇଯାଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିରଞ୍ଜୀବଙ୍କ ବିବୃତ୍ତି ଆସିବା ପରେ କହିଛନ୍ତି ଯେ, “ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବା ଚିରଞ୍ଜୀବଙ୍କ ବ୍ୟକ୍ତିଗତ ମତ ହୋଇପାରେ ଏଥିରେ ଦଳର କିଛି ନେଣଦେଣ ନାହିଁ।“

ଖାଲି ସେତିକି ନୁହେଁ, ନିରଞ୍ଜନଙ୍କ ନାମ ଉଠାଯାଇ ଜାଣିଶୁଣି ଏକ ବିବାଦ ସୃଷ୍ଟି କରାଯାଇଛି ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି। ଶ୍ରୀକାନ୍ତ ଜେନାଙ୍କ କହିବା କଥା ଯେ, “ଯଦି ସରକାର ଗଠନ କରିବାର ସୁଯୋଗ ଆସେ, ତାହାହେଲେ ମୁଖ୍ୟମନ୍ତ୍ରୀ ଚୌକିରେ ଅନୁସୂଚିତ ଜାତି ବା ଜନଜାତିର କେହିଜଣେ ବସିବେ।“ ଜେନା ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଧାରଣା ଓ ସ୍ଲୋଗାନ ନେଇ କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇବା ଦରକାର। ଉଲ୍ଲେଖଯୋଗ୍ୟ ଯେ ସମଗ୍ର ରାଜ୍ୟରେ ଏବେ ଦଳର ଜନ ସମ୍ପର୍କ ଯାତ୍ରା ଚାଲିଛି ଓ ଦଳକୁ ଜିତାଇବା ପାଇଁ ସମସ୍ତେ ଲାଗିପଡ଼ିଛନ୍ତି।

ଏହି ବିବାଦର ଅନ୍ତ ଘଟିଛି କି ନା ସିମୁଳିଆର ପ୍ରାକ୍ତନ ବିଧାୟକ ଯିଏ ତିନି ଥର ଏହି ଆସନରୁ ନିର୍ବାଚିତ ହୋଇଥିଲେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଅଭିଯୋଗ ହେଉଛି ଯେ, ରାଜ୍ୟସ୍ତରରେ ଆଭ୍ୟନ୍ତରୀଣ କନ୍ଦଳ ଓ ପ୍ରବଳ ଗୋଷ୍ଠୀ ବିବାଦ ଯୋଗୁଁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଅନୁମାନ କରାଯାଉଛି ପଣ୍ଡା ବିଜେପିରେ ଯୋଗ ଦେବେ।

Comment