ଓଡ଼ିଶାଲାଇଭ୍ ବ୍ୟୁରୋ

  • ମାଡ଼ି ଆସୁଛି ବାତ୍ୟା ‘ତିତଲି’
  • ଗୋପାଳପୁରଠାରୁ ୫୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ
  • ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି
  • ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା
  • ସର୍ତକ ରହିବାକୁ କହିଛି ପାଣିପାଗ ବିଭାଗ
  • ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯାଇଛି ପ୍ରାୟ ୩୦୦ଟି ବୋଟ୍‌

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେଇପାରେ। ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ତିତଲି’ ରଖାଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ।

ଏବେ ଏହା ଗୋପାଳପୁରଠାରୁ ୫୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଦକ୍ଷିଣପୂର୍ବରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି। ଏହାଛଡ଼ା ୭୨ ଘଣ୍ଟା ଭିତରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ ‘ତିତଲି’। ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାବ୍ୟତୀତ ଏହା ପ୍ରଭାବରେ ଆସନ୍ତା ୧୦ ଓ ୧୧ତାରିଖରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାସହ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଏହାଛଡ଼ା ମଙ୍ଗଳବାରଠାରୁ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ହେବାସହ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବ।

ବୁଧବାର ଅପରାହ୍ନରୁ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବ। ଏହାବ୍ୟତୀତ ୧୦ ତାରିଖ ରାତିରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାର ପ୍ରଭାବରେ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରରେ ବୁଧବାରଠାରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ବାତ୍ୟା ଆଶଙ୍କାକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କାହାରିକୁ ଛୁଟିରେ ଯିବାକୁ ଅନୁମତି ନ ଦେବାକୁ ଡେପୁଟି ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୩୦୦ଟି ବୋଟ୍‌କୁ ପ୍ରସ୍ତୁତ ରଖାଯାଇଛି। ୧୧ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କା ମଧ୍ୟ ଉପୁଜିପାରେ।

Comment