ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ‘ତିତଲି‘। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ଅବପାତର ରୂପ ନେଇସାରିଛି। ଯାହାକି ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ରେ ରୂପାନ୍ତର ହେବ ବୋଲି କହିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ପକ୍ଷରୁ ଏପରି ସୂଚନା ମିଳିବା ପରେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ସତର୍କ କରି ଦେଇଛନ୍ତି।

ପୂର୍ବରୁ ଫାଇଲିନ୍ ବାତ୍ୟା, ହୁଡ୍ହୁଡ୍ ପରି ବାତ୍ୟାକୁ ସାମନା କରିଥିବା ଗଞ୍ଜାମବାସୀ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଶେଷ ବିଚଳିତ ହୋଇନଥିଲେ ବି ଜିଲ୍ଲା ପ୍ରଶାସନ କିନ୍ତୁ ପୂରା ମାତ୍ରାରେ ସଜାଗ ରହିଛି। ଆବଶ୍ୟକ ସ୍ଥଳେ ସମୁଦ୍ର କୁଳିଆ ତଳିଆ ଅଞ୍ଚଳ ଓ ବସ୍ତିବାସିନ୍ଦାଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା କେଉଁଠାରେ ସ୍ଥଳଭାଗକୁ ଛୁଇଁବ, ତାହା ନିର୍ଦ୍ଧାରିତ ହୋଇନଥିବା ବେଳେ ତା’ର ପ୍ରଭାବରେ କିନ୍ତୁ ଗଞ୍ଜାମ ଜିଲ୍ଲାରେ ବର୍ଷା ହେବା ସହ ପବନ ବୋହିବ ବୋଲି ଗୋପାଳପୁରଠାରେ ଥିବା ଡପଲାର୍ ୱେଦର ରାଡର୍ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସ କହିଛନ୍ତି।

















