ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୋଆରେ ୫ ଦିନିଆ ୨୬ତମ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ
  • ଯୋଗ ଦେବେ ଦେଶ ଓ ଦେଶ ବାହାରରୁ ୮୦୦ରୁ ଅଧିକ ଛାତ୍ରଛାତ୍ରୀ
  • ଅଂଶଗ୍ରହଣ କରିପାରିବେ ୧୦ରୁ ୧୭ ବର୍ଷ ବୟସ ଛାତ୍ରଛାତ୍ରୀ
  • ବିଜ୍ଞାନ କଂଗ୍ରେସର ଥିମ୍ ରହିଛି ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପରିବର୍ତ୍ତନ

ଓଡ଼ିଶାରେ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆସନ୍ତା ଡିସେମ୍ବର ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଏହି ଶିଶୁ ବିଜ୍ଞାନ କଂଗ୍ରେସ ଆୟୋଜନ କରାଯିବ। ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ୧୯୯୩ ମସିହାରୁ ପ୍ରଥମେ ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ ହୋଇଥିଲା।

ଭୁବନେଶ୍ୱରରେ ବୁଧବାର ଦିନ ଚଳିତ ବର୍ଷର ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଲୋଗୋ ଉନ୍ମୋଚନ ହୋଇଯାଇଛି। ମୁକ୍ତେଶ୍ୱର ମନ୍ଦିରର ତୋରଣକୁ ଏ ବର୍ଷର ଲୋଗୋ ରୂପେ ଦର୍ଶାଯାଇଛି।

ନ୍ୟାସନାଲ କାଉନସିଲ ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନସ (ଏନସିଏସିଟିସି) ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଥାଏ। ୧୦ରୁ ୧୭ ବର୍ଷ ବୟସର ଦେଶର ପ୍ରାୟ ୮୦୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୪୦୦ ଶିକ୍ଷକ, ଗାଇଡ୍, ଶିଶୁଙ୍କ ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ସହିତ ଏସିଆ ଏବଂ ଗଲଫ୍ ଦେଶର ଶିଶୁମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଏ ବର୍ଷର ମୁଖ୍ୟ ପ୍ରସଙ୍ଗ ହେଉଛି ‘ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପରିବର୍ତ୍ତନ।’ ଏହି ବିଷୟବସ୍ତୁ ଉପରେ ଛାତ୍ରାଛାତ୍ରୀମାନେ ସେମାନଙ୍କର ନୂଆ ନୂଆ ବିଜ୍ଞାନ ସମ୍ବନ୍ଧୀୟ ପ୍ରୋଜେକ୍ଟଗୁଡ଼ିକ ଉପସ୍ଥାପନ କରିବେ।

ଏନସିଏସିଟିସିର ଚେୟାରମ୍ୟାନ୍ ଡକ୍ଟର ଟି.ପି ରଘୁନାଥନ୍ ଓଡ଼ିଶା ଲାଇଭ୍‌କୁ କହିଛନ୍ତି ଯେ, “ଏହି ବିଜ୍ଞାନ କଂଗ୍ରେସରେ ସ୍କୁଲରେ ପାଠପଢ଼ୁଥିବା ପିଲା, ଭିନ୍ନକ୍ଷମ ଓ ସ୍କୁଲ ଯାଉନଥିବା ଶିଶୁ, ଅଧାରୁ ପାଠ ଛାଡ଼ିଥିବା ଶିଶୁମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଭାଷା ମୁଖ୍ୟତଃ ପିଲାମାନଙ୍କ ପାଇଁ ବାଧକ ସାଜିଥାଏ। ତେଣୁ ଶିଶୁମାନେ ନିଜ ନିଜର ମାତୃଭାଷାରେ ହିଁ ସେମାନଙ୍କର ଫୋକାଲ ଥିମ୍ (ମୁଖ୍ୟ ବିଷୟ) ଏବଂ ଆଇଡିଣ୍ଟିଫାଏଡ ସବ୍‌ଥିମ୍ (ଚିହ୍ନିତ କରାଯାଇଥିବା ଆନୁସଙ୍ଗିକ ବିଷୟଗୁଡ଼ିକ) ଉପରେ ବର୍ଣ୍ଣନା କରିପାରିବେ।“

ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି ଯେ, “ସମାଜରେ ରହିଥିବା ସମସ୍ୟା ଏବଂ ଏସବୁକୁ ବିଜ୍ଞାନଭିତ୍ତିକ ଚିନ୍ତାଧାର ଅନୁଯାୟୀ କିପରି ସମାଧାନ କରାଯିବ ସେଦିଗରେ ପିଲାମାନେ ଚିନ୍ତା କରି ନିଜ ନିଜର ପ୍ରୋଜେକ୍ଟକୁ ପ୍ରସ୍ତୁତ କରିବେ।“

Comment