ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷିବ। ସର୍ତକ ସୂଚନା ଦେଲା ପାଣିପାଗ ବିଭାଗ।

ବାତ୍ୟା ‘ତିତ୍‌ଲି’ ସ୍ଥଳଭାଗକୁ ଛୁଇଁବା ପରେ ଓଡ଼ିଶା ଅତିକ୍ରମ କରୁଛି। ଏହାର ପ୍ରଭାବରେ ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏନେଇ ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି।

ଗୁରୁବାରଠାରୁ ଶୁକ୍ରବାର ସକାଳ ସାଢ଼େ ଆଠଟା ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବ ସହ ପବନ ବୋହିପାରେ। ଏହାଛଡ଼ା ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହେବ।

ସେହିଭଳି ଶୁକ୍ରବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଏ ସମୟରେ ସମୁଦ୍ରକୁ ମାଛ ମାରିବାକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି।

ଏହାବ୍ୟତୀତ ପାଣିପାଗ ବିଭାଗ କହିଛି, “ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ତିତ୍‌ଲି’ ଉତ୍ତର-ପଶ୍ଚିମ ମୁହାଁ ହୋଇ ଗତି କରିବ। ତା’ପରେ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଆଡ଼କୁ ଯିବ। ଗୁରୁବାର ମଧ୍ୟାହ୍ନ ବେଳକୁ ଏହା ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଓ ଗୁରୁବାର ସନ୍ଧ୍ୟା ବେଳକୁ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଶୁକ୍ରବାର ସକାଳ ସୁଦ୍ଧା ଏହା ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇଯିବ।“

Comment