ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପରୁ ଟଳିଲା ବାତ୍ୟା ‘ତିତଲି’ର ଭୟ।

ସ୍ଥଳଭାଗ ଛୁଇଁ ସାରିଛି ‘ତିତଲି’। ‘ତିତଲି’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାଛଡ଼ା ୧୯ ଜିଲ୍ଲାରେ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉତ୍ତର ଆନ୍ଧ୍ରପ୍ରଦେଶର ପଲାସାଠାରେ ‘ତିତଲି’ ସ୍ଥଳଭାଗ ଛୁଇଁବାପରେ ପବନରେ ବେଗ ୧୬୦ କିମିରୁ ଅଧିକ ରହିଥିଲା। ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

‘ତିତଲି’ ପ୍ରଭାବରୁ ଗଜପତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିଛି। ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ ଏବଂ ଟେଲି ଯୋଗାଯୋଗ ଠପ୍ ହୋଇପଡ଼ିଛି। ବାତ୍ୟା ‘ତିତଲି’ ପାଇଁ ବୁଧବାର ରାତି ସୁଦ୍ଧା ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଦକ୍ଷିଣ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଭୋର ୪ଟା ୩୦ରୁ ୫ଟା ୩୦ ସମୟରେ ‘ତିତଲି’ ସ୍ଥଳଭାଗ ଛୁଇଁଥିଲା। “ତିତଲି’ ପ୍ରଭାବରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, ଗଜପତି, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ଜିଲ୍ଲା ବେଶି ପ୍ରଭାବିତ ହୋଇଛି। ବିଶେଷକରି ପାରଳାଖେମୁଣ୍ଡିରେ ‘ତିତଲି’ର ପ୍ରଭାବ ଅଧିକ ପଡ଼ିଥିଲା। ସେଠାରେ ଅଧିକାଂଶ ଗଛ ଭାଙ୍ଗି ପଡ଼ିଥିବାରୁ ଗମନାଗମନରେ ବାଧାପ୍ରାପ୍ତ ହୋଇଛି।

ଏହାବ୍ୟତୀତ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନରୁ ଜଣାପଡ଼ିଛି। ଶୁକ୍ରବାର ସକାଳ ସାଢ଼େ ୮ଟା ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ତିତଲି’ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ରାୟଗଡ଼, ଗଜପତି, କନ୍ଧମାଳ ଜିଲ୍ଲା ଦେଇ ଗତିକର ପଶ୍ଚିମବଙ୍ଗରେ ପହଁଞ୍ଚିବ। ‘ତିତଲି’ର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗୁଛି। “ବନ୍ୟାର ସମ୍ଭାବନା ନାହିଁ” ବୋଲି କହିଛନ୍ତି, ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ରମେଶ କୁମାର ନାୟକ।

Comment