ଦୀପକ କୁମାର ପଣ୍ଡା

ଲାଣ୍ଡଫଲ କରିଛି ବାତ୍ୟା ତିତଲି। ଗୋପାଳପୁରରୁ ପଶ୍ଚିମବଙ୍ଗ ମୁହାଁ ହୋଇଛି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ତିତଲି। ପଲାସା ଓ ଶ୍ରୀକାକୁଲମ ଦେଇ ଗତି କଲା ବାତ୍ୟା ତିତଲି। ଭୋର୍ ୪ଟା ୩୦ରୁ ୫ଟା ୩୦ ସମୟରେ ଏହା ଅତିକ୍ରମ କରିବା ସମୟରେ ୧୪୦ରୁ ୧୫୦ ପବନର ବେଗ ରହିଥିଲା।

ଏହାର ପ୍ରଭାବରେ ଗୋପାଳପୁରରେ ସର୍ବାଧିକ ୧୨୬କିଲୋମିଟର ପବନର ବେଗ ରହିଥିଲା। ପବନର ବେଗ କମିବାରେ ଲାଗିଛି। ଏହା ଏବେ ଘଣ୍ଟାପ୍ରତି ୧୯କିଲୋମିଟର ବେଗରେ ଗତି କରୁଛି। ଗୁରୁବାର ଅପରାହ୍ନରେ ୬୦ରୁ ୭୦କିଲୋମିଟର ରହିବ ପବନର ଗତି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଜାରି ରହିବ ବର୍ଷା।

ଏହାଛଡ଼ା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୩ତାରିଖ ବେଳକୁ ଓଡ଼ିଶାରେ ସ୍ୱାଭାବିକ ହେବ ପାଣିପାଗ।

ଗତ ୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପରେ ସାମୁଦ୍ରିକ ଝଡ଼ ତିତଲିର ରୂପ ନେଇଥିଲା। ତିତଲି କ୍ରମଶଃ ଜଳଭାଗରେ ଅଧିକ ସମୟ ରହି ଶକ୍ତି ସଂଗ୍ରହ କରିବା ସହ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିଲା।

ଏହା କ୍ରମଶଃ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁରୁବାର ଗୋପାଳପୁର ଦକ୍ଷିଣରେ ପଲାସା ନିକଟରେ ସ୍ଥଳଭାଗରେ ମାଡ଼ ହୋଇଛି। ଏବେ ଏହା ଏକ କର୍ଭ ନେଇ ଓଡ଼ିଶା ଉପରେ ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ ବୋଲି ପାଣିପାଗ ବିଭାଗ କହିଛି। ଏହାଛଡ଼ା ବାତ୍ୟା ତିତଲି ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।

ଗୁରୁବାର ତିତଲି ଭୋର ୫ଟା ୨୫ ମିନିଟ ସମୟରେ ପଲାସା-ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଛି। ଅପରପକ୍ଷେ ତିତଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି। ତେବେ ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜବେଷ୍ଟସ୍ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି।

ସେହିପରି ହାଇମାଷ୍ଟ ଲାଇଟ୍ ପୋଷ୍ଟ ମଧ୍ୟ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ସହରର ଦିଗପହଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏହାସହ ଭଞ୍ଜନଗର, ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଶହେରୁ ଊର୍ଦ୍ଧ୍ୱ ଗଛ ଉପୁଡ଼ି ପଡ଼ିଲାଣି। ଅଟୋ, କାର ସମେତ କିଛି ଘର ମଧ୍ୟ ନଷ୍ଟ ହୋଇଥିବା ପ୍ରାଥମିକ ସୂଚନାରୁ ମିଳିଛି।

ବ୍ରହ୍ମପୁର ନୀଳକଣ୍ଠ ନଗରର ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବାତ୍ୟା ତିତଲି ପ୍ରଭାବରେ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ଯୋଗୁଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁରରେ ଶହ ଶହ ଯାନବାହନ ଅଟକି ରହିଛି। ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲପାଳ ସମ୍ବାଦିକ ସମ୍ମିଳନୀ ଡାକି ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଉପରେ ସୂଚନା ଦେଇଥିଲେ।

Comment