ଓଡ଼ିଶାଲାଇଭ୍ ବ୍ୟୁରୋ

  • ଛାତ୍ରର ତଣ୍ଟି ଚିପି ହତ୍ୟା
  • ଦୁଷ୍ଟାମୀ ଯୋଗୁଁ ହତ୍ୟା
  • ଅଭିଯୁକ୍ତ ଶିକ୍ଷକ ଗିରଫ
  • ୧୪ ଦିନ ପରେ ମୃତ ଦେହ ଉଦ୍ଧାର

ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ବେଳେ ତଣ୍ଟି ଚିପି ହତ୍ୟା କରାଯାଇଛି। ସେହି ଶିକ୍ଷାନୁଷ୍ଠାନର ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବାଦଲ ଦାସ ନାମକ ଜୈନିକ ଛାତ୍ରର ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଗତ ୨୭ ତାରିଖରେ ଛାତ୍ରର ମୃତ ଦେହ ଶିକ୍ଷାନୁଷ୍ଠାନ ନିକଟସ୍ଥ ମୋରମ ଖାଦାନରୁ ଉଦ୍ଧାର କରାଯାଇଥିଲା।

ପୋଲିସ କହିବାନୁସାରେ, “ବାଦଲ ଦୁଷ୍ଟାମୀ କରୁଥିବାରୁ ଅଭିଯୁକ୍ତ ଶିକ୍ଷକ ରବୀନ୍ଦ୍ର ନାଥ ରାଉତ ତାଙ୍କୁ ଅଫିସ ଗୃହକୁ ଡାକି ମାଡ଼ ମାରିଥିଲେ। ଏହାପରେ ବାଦଲ ଅସୁସ୍ଥ ହେବାସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ଲୁଚାଇବା ପାଇଁ ଅଭିଯୁକ୍ତ ଶିକ୍ଷକ ମୃତ ଦେହକୁ ନେଇ ମୋରମ ଖଣିରେ ଫିଙ୍ଗି ଦେଇଥିଲେ”।

୧୪ ଦିନ ପରେ ଅର୍ଥାତ୍ ଗତ ୨୭ ତାରିଖ ଦିନ ଅପରାହ୍ନରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବାଦଲଙ୍କୁ ମାଡ଼ ମରାଯିବା ବେଳେ ତାଙ୍କ ଚିତ୍କାର ତାଙ୍କ ସହପାଠୀ ଶୁଣିଥିବାର ପ୍ରକାଶ କରିଥିଲେ। ଏହାପରେ ଖଣିରୁ ମୃତ ଦେହ ମିଳିବା ପରେ ବାଦଲଙ୍କ ବାପା, ମା’ ଖଇରା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ସହପାଠୀଙ୍କ ବୟାନ ଶୁଣି ଏହାକୁ ହତ୍ୟାକାଣ୍ଡର ମାମଲା ବୋଲି କହିଥିଲା ଏନେଇ ଖଇରା ପୋଲିସ କେସ୍ ନଂ ୨୩୬/୧୮ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀଙ୍କ ନେତୃତ୍ୱରେ ଅଭିଯୁକ୍ତ ଶିକ୍ଷକଙ୍କ ଫୋନ ଟ୍ରାକିଂ କରିଥିଲେ ଏବଂ ବୁଧବାର ଅନୁଗୁଳରେ ଗିରଫ କରିଥିଲେ। ଅଭିଯୁକ୍ତ ରବିନ୍ଦ୍ର କହିଛନ୍ତି, “ଏହି ଘଟଣାରେ ସେ ସମ୍ପୃକ୍ତ ନାହାଁନ୍ତି। ତାଙ୍କୁ ଫସାଇବାକୁ ଚକ୍ରାନ୍ତ କରାଯାଇଛି”।

Comment