ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ବାରିଘର ଗ୍ରାମରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପାହାଡ଼ ଧସିବା ଫଳରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ଥିବା ସୂଚନା ମିଳିଛି।

ମୃତ ବ୍ୟକ୍ତିମାନେ ହେଲେ ଦଣ୍ଡପାଣି ଭୂୟାଁ, ସୁମିତ୍ରା ଭୂୟାଁ, ସୋମନାଥ କାଥରେନ୍, ଜଗନ କାଠି, ମିନାକ୍ଷୀ ଶବର, ଦିଲି ଶବର, ଗଙ୍ଗାଧର ବେହେରା, ଦିନେଶ ଭୂୟାଁ, ଲାଲୁ ବେହେରା, ଜୟଚନ୍ଦ୍ର ଭୁଟାନ, ସୁରମତୀ ଜାନି, ଚମ୍ପା ଭୁଟାନ। ଏହାଛଡ଼ା ୪ ଜଣ ନିଖୋଜ ବ୍ୟକ୍ତିମାନେ ହେଲେ କଟି ଭୂୟାଁ, ବାସନ୍ତୀ ଭୂୟାଁ, ବାସୁମତି ଭୂୟାଁ ଓ ବିଶମ୍ବର ଶବର।

ଗତ ଗୁରୁବାରଠାରୁ ସାରା ରାଜ୍ୟରେ ତିତଲିର ପ୍ରଭାବ ଦେଖିବାକୁ ମିଳିଥିଲା। ଯାହାଫଳରେ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଗଜପତି ଜିଲ୍ଲାରେ ମଧ୍ୟ ତିତଲିର ପ୍ରଭାବ ଦେଖିବାକୁ ମିଳିଥିଲା।

ସେଥିପାଇଁ ସମସ୍ତେ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ପାହାଡ଼ ତଳେ ଆଶ୍ରୟ ନେଇଥିଲେ। ସେତିକି ବେଳେ ଏହି ଅଘଟଣଟି ଘଟିଥିଲା। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସିଯିବାରୁ ଏହାର ଅତି ନିକଟରେ ଥିବା ବାରିଘର ସମେତ ଅନ୍ୟ କିଛି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇସାରିବା ପରେ ସେମାନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଏସ୍ଆରସି(ସ୍ୱତନ୍ତ୍ର ରିଲିଫ୍ କମିଶନ)ସୂଚନା ଦେଇଛନ୍ତି।

Comment