ଓଡ଼ିଶାଲାଇଭ୍ପଲିଟିକାଲ ବ୍ୟୁରୋ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଏକ ଚଉଦ ଜଣିଆ ମୁଖପାତ୍ର ଗୋଷ୍ଠୀଙ୍କ ନାମ ଘୋଷଣା କରିଛନ୍ତି। ଏହି ତାଲିକା ଘୋଷଣା ହେବା ପରେ ଶାସକ ଦଳର ରାଜିନୀତିରେ ସେଭଳି ଗୋଟିଏ ବଡ଼ ଧରଣର ଭୂମିକମ୍ପ ଆସିଛି ତାହା ନୁହେଁ। କିନ୍ତୁ ଏହାକୁ ନେଇ କିଛି ରାଜନୀତି ବି ଆରମ୍ଭ ହୋଇଛି।

ବାଦ ପଡ଼ିଲେ ବିଧାୟକ ଅମର

ମୁଖପାତ୍ର ତାଲିକାରୁ ବଡ଼ଚଣା ବିଧାୟକ ତଥା ବିଧାନସଭାରେ ଦଳର ମୁଖ୍ୟ ସଚେତକ ଥିବା ଅମର ପ୍ରସାଦ ଶତପଥୀଙ୍କ ନାମ ବାଦ ଦିଆଯିବା ଘଟଣାକୁ ନେଇ କିଛି ରୋଚକ ଚର୍ଚ୍ଚା ଚାଲିଛି। ଗୋଟିଏ ଚର୍ଚ୍ଚା ହେଉଛି ଯେ ଢ଼େର ଦିନ ଧରି ନବୀନ ଅମରଙ୍କ ଉପରେ ବିଭିନ୍ନ କାରଣ ଯୋଗୁଁ ଖୁସି ନଥିଲେ।

ଯଦିଓ ମୁଖପାତ୍ର ହିସାବରେ ଅମର ତାଙ୍କ ଦାୟିତ୍ୱ ଠିକଣା ଭାବରେ ଚଳାଇ ଆସିଥିଲେ ତାଙ୍କୁ ମୁଖପାତ୍ର ପଦରୁ ହଟାଇବା ପଛରେ ଆଉ ଏକ କାରଣ ହୋଇପାରେ ଯେ, ଆସନ୍ତା ନିର୍ବାଚନରେ ତାଙ୍କୁ ବଡ଼ଚଣାରୁ ଟିକେଟ ନ ମିଳିପାରେ। ତେବେ ଅମରଙ୍କୁ ଦଳର ମୁଖପାତ୍ରରୁ ନିକାଲିବା ପଛରେ ଗୋଟିଏ ବଡ଼ କାରଣ ଟିଟୋ ସହିତ ତାଙ୍କ ସମ୍ପର୍କ ବୋଲି ଅନୁମାନ କରାଯାଉଛି।

ଏ ନେଇ ଗଣମାଧ୍ୟମରେ ଖବର ଆସିବା ପରେ ନବୀନ ଠିକଣା ସମୟକୁ ଅପେକ୍ଷା କରିଥିଲେ। ଆହୁରି ମଧ୍ୟ ବେଙ୍ଗାଳୁରୁରେ ଓଡ଼ିଶାର ବିକାଶ ଉପରେ ଏକ କନକ୍ଳେଭକୁ ଅମର ଶତପଥୀଙ୍କୁ ଡକାଯାଇଛି। ପ୍ରଶାସନ ଓ ସରକାରରେ କେହି କେହି ଏହାକୁ ପସନ୍ଦ କରିନଥିବା କୁହାଯାଉଛି। ପ୍ରଶାସନର ଯୁକ୍ତି ହେଉଛି ଏଠିତ ଆମେ କନକ୍ଳେଭ କରୁଛୁ, ସେଠି ପୁଣି କି କନକ୍ଳେଭ? ଏଭଳି ବିଭିନ୍ନ କାରଣରୁ ଅମରଙ୍କୁ ଦୁଆର ଦେଖାଇ ଦିଆଯାଇ ଥାଇପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା।

ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି

୨୦୧୯ ନିର୍ବାଚନ ପୂର୍ବରୁ ଯାହାକୁ ଯେମିତି ଯେଉଁଠି ଥଇଥାନ କରିବା କଥା ନବୀନ ପଟ୍ଟନାୟକ ତାହା ପ୍ରାୟତଃ କରିସାରିଲେଣି। ଇତି ମଧ୍ୟରେ ଅନ୍ୟ ଦଳରୁ ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିରେ ଯୋଗଦେବା ଜାରି ଅଛି। ବିଗତ କିଛି ଦିନ ମଧ୍ୟରେ ବେଶ୍ କିଛି ପ୍ରଶାସକଙ୍କୁ ମଧ୍ୟ ଦଳ ଭିତରେ ନିଆଯାଇଛି। ମୁଖପାତ୍ର ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟ କାମ ବୋଲି କୁହାଯାଉଛି। ଯେହେତୁ ମୁଖପାତ୍ରମାନେ ବରାବର ଟିଭି କ୍ୟାମେରା ଆଗରେ ରହିବେ ସେଥିପାଇଁ ଏଥର ଯେଉଁମାନଙ୍କୁ ନୂଆ କରି ନିଆଯାଇଛି ସେମାନଙ୍କର ଗଣମାଧ୍ୟମରେ ପତିଆରା ଟିକିଏ ବେଶୀ।

ଆଗରୁ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ସମୀର ଦାଶ, ସୁଲୋଚନା ଦାସ, ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ ପ୍ରମୁଖ ମୁଖପାତ୍ର ଥିଲେ। ଏମାନଙ୍କ ବ୍ୟତୀତ ପୁଷ୍ପେନ୍ଦ୍ର ସିଂଦେଓ, ଅମର ପଟ୍ଟନାୟକ, ଦେବାଶିଷ ମାରାଣ୍ଡି, ପ୍ରଶାନ୍ତ ନନ୍ଦ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ ଓ ରବି ନାରାୟଣ ନନ୍ଦ ଏବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସୁରକ୍ଷା ଦେବେ। ଯେଉଁ ତିନି ଜଣଙ୍କୁ ନୂଆ କରି ମୁଖପାତ୍ର କରାଯାଇଛି ସେମାନଙ୍କ ଭିତରେ ପୂର୍ବତନ ପ୍ରମୁଖ ଅକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକଙ୍କୁ ସ୍ଥାନ ମିଳିବା ଗୁରୁତ୍ୱପୂର୍ଣ୍ଣ। ସେ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ।

ସେହିଭଳି ଅତନୁସବ୍ୟସାଚୀଙ୍କୁ ମୁଖପାତ୍ର କରାଯିବା ଫଳରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଦୁଇ ଜଣ ମୁଖପାତ୍ର ରହିବେ। ପ୍ରତାପ ଦେବ ଏମିତି ବି ବଡ଼ ବଡ଼ ଓ ବିବାଦୀୟ ପ୍ରସଙ୍ଗରେ ବିବୃତ୍ତି ରଖିଥାନ୍ତି। ମାରାଣ୍ଡିଙ୍କୁ ମୁଖପାତ୍ର ନିଯୁକ୍ତ କରାଯାଇଛି ଏଥିପାଇଁ ଯେ, ନିକଟରେ ଦଳର ବରିଷ୍ଠ ନେତା ଲକ୍ଷ୍ମଣ ଟୁଡ଼ୁ ବିଜେଡି ଛାଡ଼ି ଜେଏମ୍ଏମ୍‌ରେ ଯୋଗ ଦେଇଛନ୍ତି।

ମାରାଣ୍ଡି ୨୦୧୪ରେ ମୟୂରଭଞ୍ଜ ଲୋକସଭା ଆସନରୁ ଜେଏମ୍ଏମ୍ ଟିକେଟରେ ଲଢ଼ିଥିଲେ। ଏଥର ତାଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯିବ। ମାରାଣ୍ଡି ମୁଖପାତ୍ର ହେବା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ତାଙ୍କୁ ଲୋକେ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

ମୁଖପାତ୍ରଙ୍କୁ ନେଇ ଚାଲିଛି ରାଜନୀତି

ରାଜ୍ୟରେ ମୁଖପାତ୍ରମାନଙ୍କୁ ନେଇ ରାଜନୀତି କିନ୍ତୁ ପ୍ରବଳ। ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳମାନଙ୍କର ପରସ୍ପର ଉପରେ ଆକ୍ରମଣ ମଧ୍ୟ ସେହିଭଳି ଜୋରଦାର ହେଉଛି। ଏଣୁ ଆଗାମୀ ଦିନରେ କିଏ କେତେ ଗଳା ଫଟାଇ ନିଜ ନିଜ ଦଳକୁ ଡିଫେଣ୍ଡ କରିବେ ତାହା ଅପେକ୍ଷା କରି ଦେଖିବାର କଥା।

ତେବେ ଯଦି ସଂଖ୍ୟା ଦୃଷ୍ଟିରୁ ଆମେ ଦେଖିବା ମୁଖପାତ୍ର ତାଲିକାରେ ବିଜେପି ବିଜେଡି ଠାରୁ ଢେର ଆଗରେ ଅଛି। ଗତ ବର୍ଷ ଅକ୍ଟୋବର ମାସରେ ବିଜେପିର ଯେଉଁ ମୁଖପାତ୍ର ତାଲିକା ବାହାରିଥିଲା, ସେଥିରେ ୨୨ ଜଣଙ୍କୁ ନିଯୁକ୍ତ କରାଯାଇଥିଲା।

ବିଜେପିର ଯେଉଁମାନେ ଏବେ ମୁଖପାତ୍ର ଅଛନ୍ତି, ସେମାନେ ହେଲେ: ପ୍ରତାପ ଷଡ଼ଙ୍ଗୀ, ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଦୀପ ପୁରୋହିତ, ରବି ନାୟକ, ସୁକେଶୀ ଓରାମ, ଲେଖାଶ୍ରୀ ସାମନ୍ତସିଂହାର, କାଳନ୍ଦୀ ସାମଲ, ଦିଲ୍ଲୀପ ମଲିକ, ପିତାମ୍ବର ଆଚାର୍ଯ୍ୟ, ପ୍ରଭାତୀ ପରିଡ଼ା, ଟଙ୍କଧର ଶତପଥୀ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁରଥ ବିଶ୍ୱାଳ, ସତ୍ୟବ୍ରତ ପଣ୍ଡା, ଗୌତମ ରାୟ, ଉର୍ମିଳା ମହାପାତ୍ର, ପିଙ୍କି ପ୍ରଧାନ, ଜ୍ଞାନଦେଵ ବେଉରିଆ, ଅମର ନାୟକ ଓ ରାଜେନ୍ଦ୍ର ପଣ୍ଡା।

କଂଗ୍ରେସର କେହି ନାହାଁନ୍ତି?

ମଜା କଥା ହେଉଛି, ବିଜେଡି ଓ ବିଜେପିରେ ମୁଖପାତ୍ର ବ୍ୟବସ୍ଥା ଥିବାବେଳେ ଓଡ଼ିଶା କଂଗ୍ରେସରେ କିନ୍ତୁ ଏହି ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ। ଦଳ କମିଟି ଉପରେ ବେଶୀ ଜୋର ଦେଉଥିବାରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ନିରଞ୍ଜନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ କମିଟି ଗଠନ କରିଛନ୍ତି ଓ ସେଥିରେ ସବୁ ଛୋଟ ବଡ଼ ନେତାଙ୍କୁ ଠେସି ଦିଆଯାଇଛି। ଅନ୍ୟ ଅର୍ଥରେ କଂଗ୍ରେସ ଦଳ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ମୁଖପାତ୍ର କେହି ନାହାନ୍ତି। ସେହି କାମଟି ପିସିସି ସଭାପତି ନିଜେ କରୁଛନ୍ତି।

LEAVE A REPLY

Please enter your comment!
Please enter your name here