ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଦୋଳନ ସ୍ଥଗିତ ରଖିଲେ ବ୍ଲକଗ୍ରାଣ୍ଟ ଶିକ୍ଷକ। ଦାବି ପୂରଣ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ନଭେମ୍ବର ୩୦ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଶିକ୍ଷକ ପ୍ରତିନିଧିମାନେ ଆଲୋଚନା କରିଥିଲେ। ଶିକ୍ଷକମାନେ ଯେଉଁ ଦାବି କରୁଛନ୍ତି ସେନେଇ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନଭେମ୍ବର ୩୦ ତାରିଖ ସୁଦ୍ଧା ଦାବି ପୂରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି।

ସପ୍ତମ ବେତନ କମିଶନ ଲାଗୁ କରିବା, ଚାକିରି ସର୍ତ୍ତବଳୀ ଲାଗୁ କରିବା, ନୂଆ ଗ୍ରାଣ୍ଟ ଇନ୍ ଏଡ୍ ବ୍ୟବସ୍ଥାରେ ଚାକିରି ନିୟମିତ କରିବା ଆଦି ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷକ। ଅଗଷ୍ଟ ୧୬ ତାରିଖରୁ ବ୍ଲକଗ୍ରାଣ୍ଟ ଶିକ୍ଷକ ଏବଂ ୬୬୨ ବର୍ଗ କଲେଜ ଅଧ୍ୟାପକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମାସେରୁ ଅଧିକ ଦିନ ଧରି ଆନ୍ଦୋଳନ ଚଳାଇଥିଲେ ଶିକ୍ଷକ। ହେଲେ ସରକାର ଦାବି ଶୁଣି ନଥିଲେ। ଶିକ୍ଷକଙ୍କ ଦାବି ପୂରଣ କରିବା ପାଇଁ ଦୁଇ ଦୁଇ ଥର ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା। ହେଲେ କୌଣସି ନିଷ୍କର୍ସ ବାହାରି ନଥିଲା। ଶେଷରେ ଭୁବନେଶ୍ୱରରୁ ଆନ୍ଦୋଳନ ହଟାଇ ଶିକ୍ଷକମାନେ ପ୍ରତି ପଞ୍ଚାୟତରେ ପଦଯାତ୍ରା କରିଥିଲେ।

Comment