ଭାସ୍କର ପରିଛା

ଓଡ଼ିଶା ସହ ମହାତ୍ମା ଗାନ୍ଧିଙ୍କ ସମ୍ପର୍କ କ’ଣ ଥିଲା? କହିବାକୁ ଗଲେ ବହୁତ କିଛି। ୧୯୨୧ରୁ ୧୯୪୬ ଏହି ପଚିଶ ବର୍ଷ ଭିତରେ ଗାନ୍ଧିଜୀ ବହୁବାର ଓଡ଼ିଶା ଆସିଛନ୍ତି, ଏଠାକାର ସମସ୍ୟା ସମ୍ପର୍କରେ ନିଜକୁ ଅବଗତ କରାଇଛନ୍ତି ଓ ସମାଧାନର ସୂତ୍ର ମଧ୍ୟ ବାହାର କରିବା ପାଇଁ ଉଦ୍ୟମ କରିଛନ୍ତି। ଗାନ୍ଧିଜୀ ଓଡ଼ିଶାକୁ ପ୍ରଚୁର ପରିମାଣରେ ଭଲ ପାଉଥିଲେ ଖାସ୍ ଏଥିପାଇଁ ଯେ ଏଠାକାର ଲୋକଙ୍କ ଦୁର୍ଦ୍ଦଶା ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା। ତାଛଡ଼ା ଓଡ଼ିଶାକୁ ସେ ଭାରତର ଆଇନା ଭାବରେ ଦେଖୁଥିଲେ।

ମହାତ୍ମା ଗାନ୍ଧି ସର୍ବପ୍ରଥମେ ଓଡ଼ିଶା ଆସିଥିଲେ ଅସହଯୋଗ ଆନ୍ଦୋଳନ ପରେ ପରେ। କଟକ କାଠଯୋଡ଼ି ବାଲିପଠାରେ ଏଥିପାଇଁ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଗାନ୍ଧିଜୀଙ୍କ ସହ କସ୍ତୁରବା ବି ଆସିଥିଲେ। ତାହା ଥିଲା ୧୯୨୧ ମାର୍ଚ୍ଚ ୨୩ ତାରିଖ। ତା’ ପରଠାରୁ ପ୍ରାୟ ଦୁଇ ତିନି ବର୍ଷ ବ୍ୟବଧାନରେ ସେ ଓଡ଼ିଶା ଆସିଛନ୍ତି, ବିଭିନ୍ନ ସ୍ଥାନରେ ପଦଯାତ୍ରା କରିଛନ୍ତି ଓ ଏଠାକାର ନେତୃତ୍ୱ ଓ ସାଧାରଣ ଲୋକଙ୍କୁ ଭେଟିଛନ୍ତି। ଓଡ଼ିଶା ଆସିବା ଭିତରେ ବାପୁଜୀ ପ୍ରାୟ ୮୦ଟି ଛୋଟ ବଡ଼ ଗାଁ ଓ ସହରରେ ପାଦ ପକାଇଛନ୍ତି। ତେବେ ୧୯୩୮ ପରେ ଗାନ୍ଧିଜୀ ଆଉ ଓଡ଼ିଶା ଆସି ପାରିନଥିଲେ।

ଡେଲାଙ୍ଗ-ବେରବୋଇରେ ଅନୁଷ୍ଠିତ ଗାନ୍ଧୀ ସେବା ସଂଘ ସମ୍ମିଳନୀରେ ଯୋଗଦେବା ଥିଲା ଗାନ୍ଧିଜୀଙ୍କ ସବୁଠାରୁ ବଡ଼ ଓ ଶେଷ କାର୍ଯ୍ୟକ୍ରମ।୧୯୪୬ ଜାନୁଆରୀ ୨୦ ତାରିଖରେ ଆସାମରୁ ମାନ୍ଦ୍ରାଜ ଯିବା ବାଟରେ ଅବଶ୍ୟ ଗାନ୍ଧିଜୀ କଟକ ଓ ବ୍ରହ୍ମପୁର ଷ୍ଟେସନରେ କେବଳ କିଛି ସମୟ ଅଟକିଥିଲେ ଏବଂ ଦର୍ଶନାତୁର ଜନତାଙ୍କୁ ସଂକ୍ଷିପ୍ତ ଉଦବୋଧନ ଥିଲେ।

ବାପୁଜୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ପ୍ରକୃତରେ ଏକ ଅନବଦ୍ୟ ଇତିହାସ କାରଣ ଜାତୀୟ ସଂଗ୍ରାମର ଏହା ଥିଲା ଏକ ଅବିଛେଦ୍ୟ ଅଙ୍ଗ। ଆନନ୍ଦର କଥା ଯେ, ଏହି କାହାଣୀ ଓ ଇତିହାସକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ସଜାଡ଼ି ପାରିଛନ୍ତି ଡକ୍ଟର ପାବକ କାନୁନଗୋ ଆଲୋଚ୍ୟ ପୁସ୍ତକରେ। ଗାନ୍ଧିଜୀଙ୍କ ସହ ଓଡ଼ିଶାର ଲୋକଙ୍କର ଯେଉଁ ଭାବାତ୍ମକ ସମ୍ପର୍କ ଥିଲା, ଯେଉଁଭଳି ଓଡ଼ିଆମାନେ ବାପୁଜୀଙ୍କୁ ଭଲ ପାଉଥିଲେ ଓ ଭଗବାନ ଭଳି ତାଙ୍କୁ ଦେଖୁଥିଲେ ତାହା ଅନ୍ୟତ୍ର ବିରଳ। ହୁଏତ ଏଇଥିପାଇଁ ଆଜି ବି ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରତି ଲୋକଙ୍କର ରହିଛି ଅସୀମ ସ୍ନେହ ଓ ଭକ୍ତି। ଡକ୍ଟର କାନୁନଗୋ ସେହି ସମଗ୍ର ପୃଷ୍ଠଭୂମି ଓ ଐତିହାସିକ ଭିତ୍ତିକୁ ଏହି ପୁସ୍ତକରେ ସଂଯୋଜିତ କରିଛନ୍ତି। ଉତ୍କଳଭୂମିରେ ମହାତ୍ମାଙ୍କ ପଦାର୍ପଣ ସନ୍ଦର୍ଭରେ ଏହା ଏକ ଉଲ୍ଲେଖନୀୟ ପୁସ୍ତକ ଏବଂ ଏକ ଅପହରିହାର୍ଯ୍ୟ ଗ୍ରନ୍ଥ। ଏହାକୁ ଥରେ ପଢ଼ିଲେ ଗାନ୍ଧିଙ୍କର ଓଡ଼ିଶା ସହ କି ପ୍ରକାର ସମ୍ପର୍କ ଥିଲା ସେ ବିଷୟରେ ଜାଣିବା ପାଇଁ ଆଉ ଏକ ଗ୍ରନ୍ଥର ଆବଶ୍ୟକତା ପଡିବ ନାହିଁ।

ପୁସ୍ତକର ପ୍ରାରମ୍ଭରେ ଡକ୍ଟର କାନୁନଗୋ ଲେଖିଛନ୍ତି, “ଓଡ଼ିଶା ସହିତ ଜାତିର ଜନକଙ୍କର କିଭଳି ଆନ୍ତରିକ ସମ୍ବନ୍ଧ ଥିଲା, ତାହା ଜାଣିଲେ ଭବିଷ୍ୟତ ବଂଶଧର ନିଜକୁ ଗୌରବାନ୍ୱିତ ମନେ କରିବେ। ତେଣୁ ଅନେକ ଦିନୁ ଇଛା ଥିଲା ଏ ଦିଗରେ କିଛି କରିବାକୁ। ଓଡ଼ିଶାରେ ଗାନ୍ଧିଜୀଙ୍କ ଯାତ୍ରା ସମ୍ପର୍କରେ ସ୍ୱାଧୀନତା ସଂଗ୍ରାମର ଅମ୍ଳାନ ରଥୀ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଓ ବିନୋଦ କାନୁନଗୋ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଛନ୍ତି। ଅନ୍ୟ ମାନେ ମଧ୍ୟ କିଛି କିଛି ଲେଖିଛନ୍ତି। କିନ୍ତୁ ଏ ବିଷୟରେ ସୁବିସ୍ତୃତ ଆଲୋଚନା ଏ ପର୍ଯ୍ୟନ୍ତ ହୋଇନଥିଲା।ଏହି ଅଭାବ ପୂରଣ କରିବାକୁ ମୁଁ ଯଥାଶକ୍ତି ଉଦ୍ୟମ କରିଛି।”

୩୫୦ ପୃଷ୍ଠାର ଏହି ପୁସ୍ତକଟି ଜ୍ଞାନମଣ୍ଡଳର ହୀରକ ଜୟନ୍ତୀ ଉପଲକ୍ଷେ ପ୍ରକାଶିତ ହୋଇଛି। ଖୁସିର ବିଷୟ ଯେ ଗାନ୍ଧିଜୀଙ୍କ ଜନ୍ମର ଦେଢ଼ ଶହ ବର୍ଷ ପାଳନ ଅବସରରେ ଏହା ବର୍ତ୍ତମାନ ଉପଲବ୍ଧ। ଲେଖକ ପୁସ୍ତକଟିକୁ ୧୫ଟି ଅଧ୍ୟାୟରେ ବିଭକ୍ତ କରିଛନ୍ତି। ଏଥିରେ ଗାନ୍ଧିଜୀଙ୍କ ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ, ଅସହଯୋଗ ଆନ୍ଦୋଳନ, ଓଡ଼ିଶା ପ୍ରତି ତାଙ୍କର ଆକର୍ଷଣ, ଗାନ୍ଧି ଓ ମଧୁସୂଦନ, ଗାନ୍ଧିଜୀଙ୍କ ଖଦୀ ଗସ୍ତ, ହରିଜନ ଉଦ୍ଧାର, ଗାନ୍ଧି ସେବା ସଂଘ ବୈଠକ ଓ ଗଡ଼ଜାତ ଆନ୍ଦୋଳନ, ଏଭଳି ସମସ୍ତ ବିଷୟ ଏଥିରେ ଆଲୋଚିତ ହୋଇଛି।

ଜଣେ ଅଧ୍ୟାପକ ଓ ଗାନ୍ଧି-ଦର୍ଶନର ବ୍ୟାଖ୍ୟାକର ଭାବରେ ଡକ୍ଟର କାନୁନଗୋଙ୍କ ଏହି ଗବେଷଣାଲବ୍ଧ ପୁସ୍ତକର ଭାଷା ଅତ୍ୟନ୍ତ ସାବଲୀଳ ଏବଂ ତଥ୍ୟରେ ଭରପୂର। ପ୍ରତିଟି ଅଧ୍ୟାୟରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଟିକିନିଖି ବିବରଣୀ ଓ ସେଗୁଡ଼ିକୁ ପ୍ରାସଙ୍ଗିକ ଭାବେ ଉପସ୍ଥାପନ କରିବା ଫଳରେ ପାଠକକୁ ଏ ଦିଗରେ ଅଧିକ ଭାରାକ୍ରାନ୍ତ ହେବାକୁ ପଡ଼ିବ ନାହିଁ। ସେହି କାରଣରୁ ଏହା ଏକ ସ୍ୱୟଂସମ୍ପୁର୍ଣ୍ଣ ପୁସ୍ତକ। ଗାନ୍ଧିଜୀ ବିଭିନ୍ନ ବ୍ୟକ୍ତିଙ୍କ ପାଖକୁ ଲେଖିଥିବା ପତ୍ରକୁ ଆଧାର କରି ସେହି ପୃଷ୍ଠଭୂମିଟିକୁ ଠିକଣା ଢଙ୍ଗରେ ଉପସ୍ଥାପିତ କରାଯାଇଛି ‘ଓଡ଼ିଶା ଓ ଗାନ୍ଧି’ ପୁସ୍ତକରେ। ଠିକ୍ ସେହିଭଳି ବିଭିନ୍ନ ଦଲିଲ ଓ ବିବରଣୀର ସାହାଯ୍ୟ ମଧ୍ୟ ଏଥିରେ ନିଆଯାଇଛି।

ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଗାନ୍ଧିଜୀ ଯେତେବେଳେ ସାବରମତୀ ଆଶ୍ରମ ପ୍ରତିଷ୍ଠା କଲେ ଦଶପଲ୍ଲାର ଜନୈକ ଗୋବିନ୍ଦ ମିଶ୍ର ଥିଲେ ପ୍ରଥମ ଓଡ଼ିଆ ଯିଏ ଗାନ୍ଧିଙ୍କ ନିକଟରେ ପହଞ୍ଚିଥିଲେ। ଗାନ୍ଧିଜୀ ତାଙ୍କୁ ସମ୍ବୋଧନ କରୁଥିଲେ ‘ଗୋବିନ୍ଦଜୀ’ କହି। ତେବେ ଓଡ଼ିଶା ସମ୍ପର୍କରେ ଗାନ୍ଧି ପ୍ରଥମେ ଖବର ପାଆନ୍ତି ପଣ୍ଡିତ ଗୋପବନ୍ଧୁ ଦାସଙ୍କଠାରୁ ଯେତେବେଳେ ଦିହେଁ ପରସ୍ପରକୁ ଜାଣି ବି ନଥିଲେ। ୧୯୨୦ ବେଳକୁ ପୁରୀ ଜିଲ୍ଲାରେ ଯେଉଁ ‘ଡଭାର ଦୁର୍ଭିକ୍ଷ’ ପଡ଼ିଥିଲା ସେ ନେଇ ‘ନବଜୀବନ’ ପତ୍ରିକାରେ ସାହାଯ୍ୟ ପାଇଁ ଗୁଜରାଟୀଙ୍କୁ ବାପୁଙ୍କ ନିବେଦନଠାରୁ ଆରମ୍ଭ କରି ଆସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଶେଷରେ ଭାରତଛାଡ଼ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଗିରଫ ପ୍ରତିବାଦରେ ଓଡ଼ିଶାରେ ଯେଉଁମାନେ ଆନ୍ଦୋଳନରେ ଝାସ ଦେଇଥିଲେ ସେ ପର୍ଯ୍ୟନ୍ତ ଘଟିଯାଇଥିବା ଅସଂଖ୍ୟ ଘଟଣାକୁ ଡକ୍ଟର କାନୁନଗୋ ଏହି ପୁସ୍ତକରେ ଲିପିବଦ୍ଧ କରିଛନ୍ତି।

ପୁସ୍ତକଟିର ଅନ୍ୟ ଏକ କୃତିତ୍ୱ ହେଲା ଯେ ଏହା ସେହି ସମୟର ଓଡ଼ିଶାର ଦୁଃଖଦ ସ୍ଥିତି, ସାମାଜିକ ବ୍ୟବସ୍ଥା, ବିପର୍ଯ୍ୟସ୍ତ ଅର୍ଥନୀତି, ସାଂସ୍କୃତିକ ପରିବେଶ, ମହିଳାଙ୍କ ଅବସ୍ଥା, ପ୍ରଜାମଣ୍ଡଳ ଆନ୍ଦୋଳନ, ସାଧାରଣ ଲୋକଙ୍କ ସରଳ ଜୀବନ ଯାପନ ପ୍ରଣାଳୀ ଆଦିର ଏକ ଜୀବନ୍ତ ଆଲେଖ୍ୟ। ଗାନ୍ଧି ଯେତେବେଳେ ବି ଓଡ଼ିଶାରେ ପଦଯାତ୍ରା କରିଛନ୍ତି ସେହି ସମୟର ରୋଚକ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ଟିକିନିଖି ଭାବରେ ଏଥିରେ ସଂଯୋଜିତ କରାଯାଇଛି। ଗୋଟିଏ ରୋଚକ ଘଟଣା ଥିଲା ଯେତେବେଳେ ସତ୍ୟଭାମାପୁର ବହୁକୁଦର ଜଣେ ଭଣ୍ଡାରୁଣୀ ପଡ଼ିଶାର ମହିଳାଙ୍କଠାରୁ ସୁନା ଗହଣା ମାଗି ପିନ୍ଧି ବାପୁଙ୍କ ସାମ୍ନାରେ ଉପସ୍ଥିତ ହେବା ଓ ତାଙ୍କୁ ଖିଅର କରିବା।

ଗାନ୍ଧିଜୀଙ୍କ ସମ୍ପାଦିତ ‘ହରିଜନ’ ସମେତ ଭିନ୍ନ ଭିନ୍ନ ପତ୍ର ପତ୍ରିକାରେ ଓଡ଼ିଶାକୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଯେଉଁସବୁ ପତ୍ରର ଆଦାନ ପ୍ରଦାନ ହୋଇଥିଲା ସେଥିରୁ ଓଡ଼ିଶାର ତତ୍କାଳୀନ ରାଜନୀତି, ଭୌଗୋଳିକ ଅବସ୍ଥିତି ଏବଂ ଓଡ଼ିଆ ଆନ୍ଦୋଳନକୁ ଗାନ୍ଧିଜୀଙ୍କ ସମର୍ଥନ ଆଦି ସମ୍ପର୍କରେ ବେଶ୍ ଧାରଣା କରିହେବ। ସେ ସବୁର ଆଲୋଚନା ଓ ଉଲ୍ଲେଖ ମଧ୍ୟ ପୁସ୍ତକରେ ହୋଇଛି।

ଡକ୍ଟର ପାବକ କାନୁନଗୋଙ୍କ ‘ଓଡ଼ିଶା ଓ ଗାନ୍ଧି’ ଏକ ପ୍ରାମାଣିକ ଗ୍ରନ୍ଥ କେବଳ ନୁହେଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏହା ଏକ ପୁରସ୍କୃତ ପୁସ୍ତକ ମଧ୍ୟ। ଗାନ୍ଧିଙ୍କୁ ଓ ଗାନ୍ଧି ଦର୍ଶନକୁ ନେଇ ଡକ୍ଟର କାନୁନଗୋ ଅବଶ୍ୟ ଆଉ କିଛି ପୁସ୍ତକ ବି ଲେଖିଛନ୍ତି। କିନ୍ତୁ ଆଲୋଚ୍ୟ ଗ୍ରନ୍ଥଟିର ରଚନାରେ ସେ ଯେତିକି ମନୋନିବେଶ କରିଛନ୍ତି ଓ ନିଷ୍ଠା ପ୍ରତିପାଦନ କରିଛନ୍ତି ତାହା ଏକକ ଓ ସ୍ଵତନ୍ତ୍ର। ଡକ୍ଟର କାନୁନଗୋ ଜଣେ ଲେଖକ, ଗବେଷକ, ସ୍ତମ୍ଭକାର ଓ ଅଧ୍ୟାପକ ଭାବରେ ହୁଏତ ଓଡ଼ିଶାରେ ବେଶ୍ ପରିଚିତ। ତେବେ ତାଙ୍କ ଅସଲ ପରିଚୟ ହେଉଛି ଏହି ‘ଓଡ଼ିଶା ଓ ଗାନ୍ଧି’ ପୁସ୍ତକ।

ଓଡ଼ିଶା ଓ ଗାନ୍ଧି ଲେଖକ: ଡକ୍ଟର ପାବକ କାନୁନଗୋ, ପ୍ରକାଶକ: ଜ୍ଞାନମଣ୍ଡଳ ଫାଉଣ୍ଡେସନ ସି-୧, ନୀଳକଣ୍ଠ ନଗର, ଭୁବନେଶ୍ୱର- ୭୫୧୦୧୨, ମୂଲ୍ୟ ୪୦୦ ଟଙ୍କା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment