ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିତ୍‌ଲି ଯୋଗୁଁ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ୪୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବିଜେପି ଅଭିଯୋଗ କରିଛି।

ତିତ୍‌ଲିକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛି। ରାଜ୍ୟ ସରକାର ତିତ୍‌ଲି ପ୍ରସଙ୍ଗରେ ଭୁଲ୍ ତଥ୍ୟ ଦେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

“ରାଜ୍ୟସରକାରଙ୍କ ଜିରୋ କାଜୁଆଲିଟି ସଂପୂର୍ଣ୍ଣ ରୂପେ ଫେଲ ମାରିଛି। ପ୍ରଶାସନ ଏବଂ ସରକାର ପହଞ୍ଚିବା ପୂର୍ବରୁ ବିଜେପି ଓ ଅନ୍ୟ କିଛି ସ୍ୱେଚ୍ଛାସେବୀ ପ୍ରଭାବିତ ଅଞ୍ଚଳକୁଯାଇ ଲୋକଙ୍କ ଦୁର୍ଦ୍ଦଶାରେ ସାମିଲ ହୋଇଥିଲେ। ଅନେକ ମୃତଦେହ ରାସ୍ତାକଡ଼ ଓ ପାହଡ଼ ତଳେ ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ୪୫ରୁ ଅଧିକ ଲୋକଙ୍କର ମୃତ୍ୟୁ ଏହି ବାତ୍ୟା ପ୍ରଭାବରେ ହୋଇଛି। ସେହିପରି ଏହି ବାତ୍ୟାରେ ଅନେକ ଲୋକ ନିଖୋଜ ମଧ୍ୟ ଅଛନ୍ତି। ହେଲେ ରାଜ୍ୟ ସରକାର ତଥ୍ୟ ଲୁଚାଉଛନ୍ତି”, କହିଛନ୍ତି ଭୃଗୁ ବକ୍ସିପାତ୍ର।

ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ସଚିବାଳୟରେ ବସି ଗଣମାଧ୍ୟମରେ ଭୁଲ ତଥା ବିଭ୍ରାନ୍ତିକର ତଥ୍ୟ ଦେଉଥିବା ବିଜେପି ଅଭିଯୋଗ କରିଛି।

ତିତଲି ପ୍ରଭାବରେ ଗଂଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ହେଲେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗତକାଲି ପର୍ଯ୍ୟନ୍ତ ଜିରୋ କାଜୁଆଲିଟିକୁ ଘୋଷି ହୋଇ କୌଣସି ମୃତ୍ୟୁ ହୋଇ ନଥିବା କହିବା ଦୁର୍ଭାଗ୍ୟଜନକ।

ବିଜେପି ଅଭିଯୋଗ କରିଛି ଯେ ଗଜପତି ଜିଲ୍ଲାରେ ୩୬ ଜଣଙ୍କ ମୃତ୍ୟୁ ଏବଂ ୧୧ ଜଣ ନିଖୋଜ ଅଛନ୍ତି । ସେହିପରି ଗଂଜାମ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି ଜିଲ୍ଲାର ରାୟଗଡ଼ ବକ୍ଲର ୩୧ ଜଣ, ଗୋସାଣୀ ବ୍ଲକର ୨ ଜଣ, ଆର. ଉଦୟଗିର, କାଶିନଗର ଏବଂ ଗୁମ୍ମା ବ୍ଲକର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

Comment