ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ୨୦୧୯ ନିର୍ବାଚନ। ଏହି ନିର୍ବାଚନରେ ସାରା ଦେଶରେ ପଦ୍ମ ଫୁଟାଇବାକୁ ବିଜେପି ପ୍ରସ୍ତୁତ କରୁଛି ରାଜନୈତିକ ନକ୍ସା। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳକୁ ପଛରେ ରଖି ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଦିଲ୍ଲୀ ସିଂହାସନ ଅକ୍ତିଆର କରିବାକୁ ଯୋଜନା କରୁଥିବା ବେଳେ ଏବେ ‘ମି ଠୁ’ ଆନ୍ଦୋଳନ ଅଡ଼ୁଆ ବଢ଼ାଇଛି।

ବିଜେପି ନେତା ଏମ୍‌ ଜେ ଆକବରଙ୍କ ବିରୋଧରେ ପ୍ରାୟ ୨୦ ଜଣ ମହିଳା ‘ମି ଠୁ’ ଆନ୍ଦୋଳନରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଆକବର ବିଜେପିର ଜଣେ ସାଧାରଣ ନେତା ନଥିଲେ, ସେ ଥିଲେ ମୋଦି ସରକାରର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ।

ମୋଦିଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କ ବିରୋଧରେ ଏକାଧିକ ମହିଳା ଅଭିଯୋଗ ଆଣିବାରୁ ରିସ୍କ ନେବାକୁ ଚାହିଁ ନାହାନ୍ତି ପ୍ରଧାନମନ୍ତ୍ରୀ। ବିବାଦ ଆସିବାର ୧୦ ଦିନ ଭିତରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆକବର। ପିଏମ୍‌ଓର ନିର୍ଦ୍ଦେଶ ଅନୁସାରେ ଆକବର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

ମୋଦିଙ୍କ ବିଶ୍ୱାସ ହରାଇଲେ ଆକବର!

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସହ ଏମ୍‌ ଜେ ଆକବରଙ୍କର ଘନିଷ୍ଠ ସମ୍ପର୍କ ଥିଲା। ରାଜୀବ ହିଁ ଆକବରଙ୍କୁ ରାଜନୀତିକୁ ଆଣିଥିଲେ। ହେଲେ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆକବର ବିଜେପିରେ ସାମିଲ ହୋଇଥିଲେ। ମୋଦି ମଧ୍ୟ ଆକବରଙ୍କ ଉପରେ ଯଥେଷ୍ଟ ଭରସା ରଖିଥିଲେ।

ଆକବର ପ୍ରଥମେ ବିଜେପିର ମୁଖପାତ୍ର ରହିବା ସହ ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୬ ଜୁଲାଇ ୫ରେ ଆକବର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ମନ୍ତ୍ରୀ ପଦ ପାଇବାର ଦୁଇ ବର୍ଷ ପରେ ଆକବର ବିବାଦରେ ଛନ୍ଦି ହୋଇଛନ୍ତି। ଯାହାଙ୍କ ଉପରେ ମୋଦି ଭରସା କରିଥିଲେ ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିବାରୁ ବିଜେପି ଉପରେ ଆଙ୍ଗୁଳି  ଉଠିଛି। ଏଣୁ ୨୦୧୯ ନିର୍ବାଚନ ଏବଂ ଆସନ୍ତା ଡିସେମ୍ବରରେ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ପୂର୍ବରୁ ଆକବରଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ କୁହାଯାଇ ଥାଇପାରେ ବୋଲି କୁହାଯାଉଛି।

ବିଦେଶ ଗସ୍ତ ବେଳେ ପ୍ରଥମ ଅଭିଯୋଗ

ଏମ୍‌ ଜେ ଆକବର କିଛିଦିନ ତଳେ ଆଫ୍ରିକା ଗସ୍ତରେ ଯାଇଥିଲେ। ସେ ଆଫ୍ରିକାରେ ଥିବା ବେଳେ ହିଁ ‘ମି ଠୁ’ ଆନ୍ଦୋଳନ ଜରିଆରେ ତାଙ୍କ ବିରୋଧରେ ଆସିଥିଲା ପ୍ରଥମ ଅଭିଯୋଗ। ମହିଳା ସାମ୍ବାଦିକ ପ୍ରିୟା ରମାଣୀ ଆକବରଙ୍କୁ ଅଡ଼ୁଆରେ ପକାଇଥିଲେ। ଆକବର ଏକ ଦୈନିକ ଖବରକାଗଜର ସମ୍ପାଦକ ଥିବା ବେଳେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଝଡ଼ ସୃଷ୍ଟି କରିଥିଲେ।

ବିଦେଶ ଗସ୍ତରୁ ଆସିବା ପରେ ମୋଦି ଆକବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଲା। କିନ୍ତୁ ସେମିତି କିଛି ଘଟିଲା ନାହିଁ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଆକବର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଅଣାଯାଇଥିବା ସେ କହିଥିଲେ।

ପ୍ରିୟା ରମାଣୀଙ୍କ ଅଭିଯୋଗ ତାଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ଆଞ୍ଚ ଆଣିଥିବାରୁ ଆକବର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପ୍ରିୟାଙ୍କ ବିରୋଧରେ ଆକବର ଫୌଜଦାରୀ ମାନହାନି ମକଦ୍ଦମା କରିଛନ୍ତି।

ଏହି ମାମଲା କୋର୍ଟରେ ବିଚାରାଧିନ ରହିଛି। ଅଭିଯୋଗର କେତେ ସତ୍ୟତା ରହିଛି ତାହା ବି ଜଣାନାହିଁ। କିନ୍ତୁ ଜଣକ ପରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ଆକବରଙ୍କୁ ଇସ୍ତଫା ଦେବାକୁ ପଡ଼ିଛି।

ସବୁଠୁ ବଡ଼ କଥା ହେଉଛି ଆଗକୁ ନିର୍ବାଚନ ଆସୁଥିବାରୁ ଆକବରଙ୍କ ପ୍ରସଙ୍ଗକୁ ବିରୋଧୀ ଅସ୍ତ୍ର କରିଥିଲେ। ଆକବରଙ୍କ ଇସ୍ତଫା ଦାବି କରୁଥିଲା କଂଗ୍ରେସ। ଚାପ ବଢ଼ିବାରୁ ପଦବୀରୁ ଇସ୍ତଫା ଦେଇଛନ୍ତି ଆକବର।

Comment