ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଆସିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ତେଜିଲା। ଏନେଇ ଆଜି ବଡ଼ ବୟାନ ଦେଇଛନ୍ତି ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ ତିଆରି କରନ୍ତୁ ବୋଲି ଭାଗବତ କହିଛନ୍ତି।

ଆର୍‌ଏସ୍‌ଏସ୍‌ର ମୁଖ୍ୟ କାର୍ଯ୍ୟାଳୟ ନାଗପୁରଠାରେ ବିଜୟା ଦଶମୀ ପାଳିତ ହୋଇଛି। ଏହି ଉତ୍ସବ ପାଳନ ବେଳେ ଭାଗବତ ରାମ ମନ୍ଦିର ନିର୍ମାଣ କଥା ଉଠାଇଛନ୍ତି।

ମୋହନ ଭାଗବତ କହିଛନ୍ତି, “ରାମ କେବଳ ହିନ୍ଦୁଙ୍କର ନୁହନ୍ତି। ସେ ସାରା ଭାରତର। ରାମ ମନ୍ଦିର ନିର୍ମାଣ ହେଲେ ଦେଶରେ ସଦଭାବନା ପରିବେଶ ସୃଷ୍ଟି ହେବ। ଏଣୁ ଭାରତରେ ରାମ ମନ୍ଦିର ହେବା ନିହାତି ଜରୁରୀ। ଏଥିପାଇଁ ସରକାର ଆଇନ ଆଣନ୍ତୁ।”

କେବଳ ସେତିକି ନୁହେଁ ଗତବର୍ଷ ଡିସେମ୍ବର ୬ ତାରିଖରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ମହନ୍ତ ଏବଂ ସନ୍ଥମାନେ ମଧ୍ୟ ରାମ ମନ୍ଦିର ନିର୍ମାଣ ସପକ୍ଷରେ ମତ ଦେଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପି ସରକାର ଉପରେ ବିଭିନ୍ନ ମହଲରୁ ଦାବି ପଡ଼ୁଛି। ଏସବୁ ଚାପକୁ କେନ୍ଦ୍ରର ବିଜେପି ସରକାର କେମିତି ସାମ୍ନା କରିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

କେନ୍ଦ୍ରରେ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପାଇଁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଛି ଏବଂ ଅନ୍ୟପଟେ ରାମ ମନ୍ଦିର ପାଇଁ ଚାପ ବଢ଼ୁଛି। ଆଜି ମୋହନ ଭାଗବତଙ୍କ ଉଦବୋଧନରୁ ଏହା ସ୍ପଷ୍ଟ ହୋଇଯାଇଛି। ଏଣୁ ଆସନ୍ତା ଶୀତକାଳୀନ ଅଧିବେଶନ ବେଳେ ମୋଦି ସରକାର ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ବିଲ୍ ଆଗତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment