ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜତନ୍ତ୍ର କେବେଠୁ ଗଲାଣି। ଏବେ ରାଜା ନାହାନ୍ତି କି ତାଙ୍କ ଶାସନ ବି ନାହିଁ। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏବେ ବି ରାଜାରାଜୁଡ଼ା ଅମଳର ପରମ୍ପରା ବଜାୟ ରହିଛି। ମା’ ଦୁର୍ଗାଙ୍କୁ ଚାପ ଡଙ୍ଗାରେ ବିଜେ କରାଇ ଲୋକେ ମା’ଙ୍କୁ ବିଦାୟ ଦେଉଥିବାର ଦୃଶ୍ୟ ଆଜି ବି ପ୍ରଚଳିତ ହୋଇ ଆସୁଛି।

ରାଜନଗର କନିକା ରାଜାଙ୍କର ଏହି ପରମ୍ପରା ଦୀର୍ଘ ଷୋଡ଼ଶ ଶତାବ୍ଦୀର ବୋଲି ଐତିହାସିକମାନେ ମତ ଦିଅନ୍ତି। ହେଲେ ବର୍ତ୍ତମାନ ଆଧୁନିକତାର ଛାପରେ ଏହି ପ୍ରଚୀନ ପରମ୍ପରାରେ ମଳିନ ପଡ଼ିନି। ପ୍ରତିବର୍ଷ ଏହି ପରମ୍ପରା ସହିତ ଯୋଡ଼ି ହେଉଛନ୍ତି ବହୁ ଯୁବକ ଯୁବତୀ।  ଦଶହରା ବାସୀ ମା’ ଜଗତଜନନୀ ଦୁର୍ଗାଙ୍କୁ ଚାପ ଡଙ୍ଗାରେ ନିଆଯାଇ ନଦୀରେ ଶୋଭାଯାତ୍ରା କରାଇ ଲୋକେ ଅଶ୍ରୁଳ ବିଦାୟ  ଦେଇଥାନ୍ତି।

ଏହି ପରମ୍ପରାକୁ ନେଇ ଏକ ସୁନ୍ଦର ଲୋକ କଥା ରହିଛି। ଏକଦା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳ କନିକା ରାଜାଙ୍କ ସାମ୍ରାଜ୍ୟ ମଧ୍ୟରେ ରହିଥିଲା। କୁହାଯାଏ ଷୋଡ଼ଶ ଶତାବ୍ଦୀରେ କନିକା ରାଜା ଭୁଜବଳ ଭଞ୍ଜଦେବ ରାଜୁତି କରୁଥିବାବେଳେ ଏଠାରେ ହଇଜା ଲାଗିଥିଲା। ଡାକ୍ତରୀ ସୁବିଧା ନଥିବାରୁ ଲୋକେ ପୋକମାଛି ପରି ମରିବାକୁ ଲାଗିଲେ। ଏ ସମ୍ପର୍କରେ ଲୋକେ ରାଜାଙ୍କୁ ଜଣାଇଲେ। ଏଥିରେ ରାଜା ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ। ଦେବୀ ଦୁର୍ଗାଙ୍କୁ ଠିକ୍ ଭାବରେ ପୂଜା ଆରାଧନା କଲେ ବାଡ଼ି ବୁଢ଼ୀ ଶାନ୍ତି ହେବେ ବୋଲି ରାଜ ପୁରୋହିତ ରାଜାଙ୍କୁ ପରାମର୍ଶ ଦେଲେ। ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହେଲା ଦୁର୍ଗାପୂଜା।  ସାରା ସାମ୍ରାଜ୍ୟର ଲୋକମାନେ ସାମିଲ ହେଲେ ପୂଜାରେ। ଏଠାରେ ହଇଜାର ପ୍ରକୋପ କମିଯାଇଥିଲା।

ସେବେଠାରୁ ରାଜା ଆରମ୍ଭ କରିଥିବା ଦୁର୍ଗାପୂଜା ଏଠାରେ ଅନୁଷ୍ଠିତ ହୋଇ ଆସୁଛି। ହେଲେ ରାଜାଙ୍କ ଦ୍ୱାରା ପ୍ରଚଳିତ ଦୁର୍ଗା ଦେବୀଙ୍କର ବିଦାୟ ବେଳାର ଅନନ୍ୟ ପରମ୍ପରା ଏବେ ମଧ୍ୟ ପାଳନ କରି ଆସୁଛନ୍ତି ରାଜନଗର ଲୋକେ।

ସେତେବେଳେ ନଦୀନାଳ ଘେରା ରହିଥିଲା ଏହି ଅଞ୍ଚଳ। ରାସ୍ତାଘାଟର ସୁବିଧା ନଥିବାରୁ ଦୁର୍ଗା ଦାବୀଙ୍କ ବିଦାୟ ଦେବା ପାଇଁ ଶୋଭାଯାତ୍ରା କରାଯିବାକୁ ସ୍ଥାନବି ନଥିଲା। ରାଜା ସେତେବେଳେ ଚାପଡଙ୍ଗା ସାହାଯ୍ୟରେ ଦେବୀଙ୍କୁ ନେଇ ପାଖରେ ବହି ଯାଇଥିବା ହଂସୁଆ ନଦୀରେ ସାତ ଘେରା ବୁଲାଇ ବିଦାୟ ଦେଇ ଆସୁଥିଲେ । ଏବେ ମଧ୍ୟ ସେମିତି ପରମ୍ପରାରେ ଯୋଡ଼ି ହୋଇଛନ୍ତି ଆଖପାଖରେ ପୂଜା ପାଉଥିବା ୩ଟି ପୁଜାମଣ୍ଡପର ଠାକୁରାଣୀ।

ରାଜତନ୍ତ୍ରର ପତ୍ତନ ପରେ ଦୁର୍ଗାପୂଜା ସହିତ ପ୍ରତୀକ ଭାବରେ ରାଜନଗର ଥାନାର ଥାନା ଅଫିସର କର୍ତ୍ତା ହୁଅନ୍ତି। ଦଶହରା ବାସୀ ମା’ଙ୍କର ମେଲାଣି ପର୍ବ ଆରମ୍ଭ ହୁଏ। ପୂଜା ମଣ୍ଡପରୁ ମା’ଙ୍କୁ କାନ୍ଧରେ ବୋହି ହଂସୁଆ ନଦୀ ଘାଟକୁ ଅଣାଯାଏ। ନଦୀରେ ଆଗରୁ ସୁସଜ୍ଜିତ ହୋଇ ରହିଥିବା ଡଙ୍ଗାରେ ମା’ଙ୍କୁ ବିଜେ କରାନ୍ତି ଭକ୍ତଗଣ। ଏହି ଜଳ ଶୋଭାଯାତ୍ରାରେ ସାମିଲ ହୁଅନ୍ତି  ଗଙ୍ଗା ମାତା, ବନଦୁର୍ଗା ଓ ଗୋପାଳପୁରର ଶାରଳା ମେଢ଼। ଅଲଗା ଅଲଗା ଡଙ୍ଗାରେ ସବୁ ମେଢ଼ ବସି ସାରିବା ପରେ ଆରମ୍ଭ ହୁଏ ଜଳ ଶୋଭାଯାତ୍ରା। ବାଜା, ଶଙ୍ଖ ମହୁରୀ, ଘଣ୍ଟ ଘଣ୍ଟା ବି ଏହି ଡଙ୍ଗାରେ ନିଆଯାଇଥାଏ। ଏହି ଅନନ୍ୟ ଉତ୍ସବକୁ ଦେଖିବାକୁ  ସାରା ଜିଲ୍ଲା ଓ ଜିଲ୍ଲା ବାହାରର ଲୋକେ ବି ଆସିଥାନ୍ତି। କୁମ୍ଭୀର ପ୍ରବଣ ତଥା ଅକାତକାତ ପାଣିରେ ଚାଲେ ମା’ଙ୍କର ଜଳ ଶୋଭାଯାତ୍ରା।

ପାଣି ଭିତରେ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଠାରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରିଥାନ୍ତି।

ନଦୀରେ ୭ ଘେରା ବୁଲିବା ପରେ ଥାନା ଘାଟ ନିକଟରେ ମା’ଙ୍କୁ ବିଦାୟ ଦିଅନ୍ତି ଭକ୍ତମାନେ। କୁମ୍ଭୀର ପ୍ରବଣ ଏହି ହଂସୁଆ ନଦୀରେ ଭକ୍ତମାନେ ପୂର୍ବରୁ ପହଁରି ପହଁରି  ମା’ଙ୍କର ଏହି ପର୍ବରେ ବିଚରଣ କରୁଥିଲେ ମଧ୍ୟ କେବେହେଲେ କୁମ୍ଭୀର କାହାରିକୁ କ୍ଷତି କରି ନଥିବା ବିଶ୍ୱାସ ରହିଛି।

Comment