ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଆଉ ଜଣେ ସିବିଆଇ ଅଧିକାରୀ ବି ଗିରଫ।

ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ୩ କୋଟି ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଫସିଲେ ଆସ୍ଥାନା। ଏହି ଅଫିସରଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ହାଇଦ୍ରାବାଦର ଜଣେ ବ୍ୟବସାୟୀ ସତୀଶ ସାନାଙ୍କଠାରୁ ୩ କୋଟି ଟଙ୍କା ଲାଞ୍ଚ ନେଇ ଆସ୍ଥାନା ଫସିଛନ୍ତି।

ଏପଟେ ସିବିଆଇ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ ଆଜି  ସିବିଆଇ ଗିରଫ କରିଛି।

ମାଂସ ରପ୍ତାନୀକାରୀ ମୋଇନି କୁରେସିଙ୍କ ବିରୋଧରେ ୫ କୋଟି ଟଙ୍କାର ମନି ଲଣ୍ଡରିଂ ଅଭିଯୋଗ ରହିଥିଲା। ସିବିଆଇ ଏନେଇ ଖୋଳତାଡ଼ କରୁଥିବା ବେଳେ ହାଇଦ୍ରାବାର ଜଣେ ବ୍ୟବସାୟୀ ସତୀଶ ସାନାଙ୍କ ନାଁ ଆଗକୁ ଆସିଥିଲା। ମୋଇନି କୁରେସିଙ୍କ ସହ ସତୀଶଙ୍କର ଲିଙ୍କ୍ ରହିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ସତୀଶଙ୍କ ନାଁକୁ ବାଦ୍ ଦେବା ପାଇଁ ରାକେଶ ଆସ୍ଥାନାଙ୍କ ସହ ୫ କୋଟି ଟଙ୍କାର ଡିଲ୍ ହୋଇଥିବା ଜଣାପଡ଼ିଛି। ଏନେଇ ସିବିଆଇ ମାମଲା ରୁଜୁ କରି ଛାନଭିନ ଚଳାଇଛି।

ରାକେଶ ଆସ୍ଥାନାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ସିବିଆଇ ଦର୍ଶାଇଛି ଯେ ସତୀଶ ସାନା ଅଡ଼ୁଆରେ ପଡ଼ିଥିବା ବେଳେ ତାଙ୍କୁ ଦୁବାଇର ଜଣେ ବ୍ୟବସାୟୀ ମନୋଜ ପ୍ରସାଦ ଏବଂ ତାଙ୍କ ଭାଇ ସୋମେଶ ପ୍ରସାଦ ଭେଟିଥିଲେ। ସତୀଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ରଫାଦଫା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏନେଇ ସୋମେଶ ରାକେଶ ଆସ୍ଥାନାଙ୍କ ସହ ଫୋନରେ କଥା ହୋଇଥିଲେ। ମାମଲା ରଫାଦଫା ପାଇଁ ସେ ୫ କୋଟି ଟଙ୍କା ମାଗୁଥିବା ସୋମେଶ ସତୀଶଙ୍କୁ ଜଣାଇଥିଲେ। ଆଡଭାନ୍ସ ୩ କୋଟି ଏବଂ କାମ ପରେ ଆଉ ୨ କୋଟି ଟଙ୍କା ଦେବାକୁ ସତୀଶଙ୍କୁ କହିଥିଲା ସୋମେଶ। ଏନେଇ ସତୀଶ ୩ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି।

ତେବେ ଜଣେ ବରିଷ୍ଠ ସିବିଆଇ ଅଧିକାରୀ ଲାଞ୍ଚ କାରବାରରେ ଫସିବା ପରେ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ କରି ରାହୁଲ ଗାନ୍ଧି ତୀର ମାରିଛନ୍ତି।

Comment