ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରାପଡ଼ାରେ ବିଜେଡି ମହିଳା ସମାବେଶ
  • କଂଗ୍ରେସ ଓ ବିଜେପି ଉପରେ ବର୍ଷିଲେ ନେତା
  • ଲୋକଙ୍କ ପକେଟ କାଟୁଛି ବିଜେପି
  • କଂଗ୍ରେସ ରାଜ୍ୟବାସୀଙ୍କ ବିଶ୍ୱାସ ହରାଇଛି
  • ବିଜେଡି ଦେଇଛି ସ୍ଥିର ଶାସନ

କେନ୍ଦ୍ରାପଡ଼ା: ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ା ସହରରେ ଆଜି ବିଶାଳ ବିଶାଳ ମହିଳା ସମାବେଶ ଆୟୋଜନ କରିଛି ବିଜେଡି। ଏହି ସମାବେଶରେ ବିଜେଡି ମୁଖପାତ୍ର ସୁଲୋଚନା ଦାସ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ରୋଷ ଅଜାଡ଼ିଛନ୍ତି।

ସୁଲୋଚନା ଦାସ କହିଛନ୍ତି, “କଂଗ୍ରେସ ଦଳରେ ନେତୃତ୍ୱ ସଂକଟ ଯୋଗୁ କେହି କାହାରିକୁ ବିଶ୍ୱାସକୁ ନେଉ ନାହାନ୍ତି। ବିଜେପି ମଧ୍ୟ ଦରଦାମ ବୃଦ୍ଧି କରି ଲୋକଙ୍କ ବିଶ୍ୱାସ ହରାଉଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ ଆଦିର ଦର ହୁ ହୁ ହୋଇ ବଢ଼ି ଚାଲିଛି। ଡିଜେଲ ମହଙ୍ଗା ହେବାରୁ ମାଲ୍ ପରିବହନ ମହଙ୍ଗା ହେଉଛି। ଫଳରେ ଗରିବ ଲୋକଙ୍କ ମୁଣ୍ଡରେ ମହଙ୍ଗ ବୋଝ ଲଦି ଦେଉଛନ୍ତି କେନ୍ଦ୍ର ସରକାର।”

ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ମଧ୍ୟ ଲୋକଙ୍କଠାରୁ ଉଚ୍ଚା ଦର ନେଉଛନ୍ତି। ଏମିତି ଦୈନିକ ସାରାଦେଶର ଲୋକମାନଙ୍କ ପକେଟ କାଟୁଛି ବିଜେପି ସରକାର ବୋଲି ସୁଲୋଚନା କହିଛନ୍ତି।

ଓଡ଼ିଶାକୁ ଆସୁଥିବା ବିଭିନ୍ନ ପ୍ରକଳ୍ପରେ କେନ୍ଦ୍ରୀୟ ଅନୁଦାନକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି। ଯେଉଁ ପ୍ରକଳ୍ପ ଚାଲିଛି ସେଥିରେ ଅନୁଦାନ ହ୍ରାସ କରି ରଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଉଛନ୍ତି କେନ୍ଦ୍ରର ବିଜେପି ସରକାର ବୋଲି ସେ କହିଛନ୍ତି।

କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ସୁଲୋଚନା।  ସେ କହିଛନ୍ତି ଯେ ରାଜ୍ୟ କଂଗ୍ରେସର ମାଳମାଳ ନେତା ରହିଥିବାରୁ କେହି କାହରିକୁ ମାନିବାକୁ ନାରାଜ। ଅନେକ ନେତା ଦଳ ମଧ୍ୟରେ ରହି ପରସ୍ପରର ଗୋହି ଖୋଳାଖୋଳିରେ ବ୍ୟସ୍ତ ରହୁଛନ୍ତି। ଏହି ଦଳମାନଙ୍କୁ ଆଉ ବିଶ୍ୱାସକୁ ନେଉ ନାହାନ୍ତି ରାଜ୍ୟର ଜନ ସାଧାରଣ। ଯେଉଁ ରାଜନୈତିକ ଦଳ ଜନ ସାଧରଣଙ୍କ ବିଶ୍ୱାସ ଭଙ୍ଗ କରୁଛି ସେମାନଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ଆଉ ଭୋଟ ଦେବେ ନାହିଁ ଲୋକେ।

“ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ସ୍ଥିର ଶାସନ ଦେଇ ଆସିଛି। ଲୋକମାନଙ୍କର ବିଶ୍ୱାସଭାଜନ ହୋଇପାରିଛି। ଏହାଛଡ଼ା ଜନ୍ମଠାରୁ ମୃତ୍ୟ, ବିବାହଠାରୁ ପ୍ରସବ ସବୁଠାରେ ସବୁ ସମୟରେ ନବୀନ ବାବୁ ଲୋକମାନଙ୍କ ନିକଟରେ ରହିଛନ୍ତି। ଅନୁସୁଚୀତ ଜାତି ଓ ଜନଜାତି, ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ସାମାଜିକ ନ୍ୟାୟ ଦେବାରେ ପାତର ଅନ୍ତର କରିନାହାନ୍ତି ବିଜେଡି ସରକାର। ଏଣୁ ପୁଣି ୫ମ ଥର ପାଇଁ ରାଜ୍ୟରେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ କେହି ଅଟକାଇ ପାରିବେ ନାହିଁ”, କହିଛନ୍ତି କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ।

ଏହି ବିଶାଳ ମହିଳା ସମାବେଶ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ଲୋକପ୍ରିୟତା ଓ ନବୀନ ପଟ୍ଟନାୟକଙ୍କୁ ଭଲପାଇବା ସୂଚନା ଦେଉଥିବା କହିଛନ୍ତି କେନ୍ଦ୍ରାପଡ଼ା ଜିଲାପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା।

ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ପାଇଁ ବିକାଶର ଯୋଜନା କରି ନବୀନ ପଟ୍ଟନାୟକ ଗାଁ ଗହଳିର ଲୋକମାନଙ୍କ ନିକଟତର ହୋଇପାରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ।

କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହିଳା ସମାବେଶରେ ରାଜ୍ୟ ତଥା ଜିଲ୍ଲା ବିଜେଡିର ଛାମୁଆ ନେତ୍ରୀ ଓ ନେତାମାନେ ଯୋଗଦେଇ ବିଜୁ ଜନତା ଦଳର ସଫଳତାର କାହାଣୀ ବଖାଣିଥିଲେ।

ଏହି ସମାବେଶରେ ପ୍ରାୟ ୬ ହଜାରରୁ ଅଧିକ ମହିଳା ଯୋଗଦେଇ ଆଗାମୀ ନିର୍ବାଚନରେ ବିଜୁ ଜନତାଦଳକୁ ପୁଣି କ୍ଷମତାସୀନ କରାଇବାକୁ ଶପଥ ନେଇଛନ୍ତି।

Comment