ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ସଭା ପରେ ଦାମ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଦେଲା ଜବାବ।

ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡି ବିରୋଧୀ ଅଭିଯାନକୁ ଜୋରଦାର କରିଛନ୍ତି। କୁଜଙ୍ଗ, ମାହାଙ୍ଗା, ନିମାପଡ଼ା ପରେ ଦାମ ବାରିପଦାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ହେଲେ ବାରିପଦା ସଭାକୁ ଭଣ୍ଡୁର କରିବା ପାଇଁ ବିଜେଡି ନେତାମାନେ ଉଦ୍ୟମ କରିଥିଲେ ବୋଲି ଦାମ କହିଛନ୍ତି। ଏଥିପାଇଁ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ଦାୟୀ କରି ବାଣ ମାରିଛନ୍ତି ଦାମ।

“ବାରିପଦା ସଭାକୁ ନେଇ ବିଜେଡି ନେତାମାନେ ଭୟଭୀତ ହୋଇଯାଇଥିଲେ। ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମୋ’ ସଭା ଭଣ୍ଡୁର କରିବା କାମରେ ଲଗା ଯାଇଥିଲା। ଅରୁଣ ତାଙ୍କ ସମର୍ଥକ ପଠାଇ ସଭା ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ହେଲେ ସଫଳ ହୋଇ ନାହାନ୍ତି। ସଭା ଯେମିତି ଚାଲିବା କଥା ଚାଲିଥିଲା। ସଭା ଭଣ୍ଡୁର କରିବା ପାଇଁ ଦୁଇ ଦିନ ହେଲା ଅରୁଣ ବାରିପଦାରେ ଡେରା ପକାଇଥିଲେ”, ଏମିତି ଅଭିଯୋଗ ଆଣିଛନ୍ତି ଦାମୋଦର ରାଉତ।

ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରିପଦାର ଛଉ ପଡ଼ିଆରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମହାସଂଗ୍ରାମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ବୈଜୟନ୍ତ ଏହି ସଭାରେ ଯୋଗ ଦେଇ ନଥିଲେ। ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏହି ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ି ଖୋଲିଥିଲେ।

ଦାମ କହିଥିଲେ, “୧୮ ବର୍ଷ ହେଲା ଓଡ଼ିଶାରେ କୁ ଶାସନ ଚାଲିଛି। ଓଡ଼ିଶାର ବିକାଶ ହୋଇଛି ବୋଲି ରାଜ୍ୟ ସରକାର କହୁଥିଲେ ମଧ୍ୟ କେଉଁଠି ଏହି ବିକାଶ ହୋଇଛି?”

ଦାମଙ୍କୁ ବିଜେଡି ଜବାବ ଦେଇଛି। ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଦାମ ବାବୁଙ୍କର ମତିଭ୍ରମ ହୋଇଛି। ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜଣାପଡ଼ୁଛି। ଏଥିପାଇଁ ସେ ପ୍ରଥମେ ନିଜର ଚିକିତ୍ସା କରନ୍ତୁ।”

Comment