ଓଡ଼ିଶାଲାଇଭ୍ ବ୍ୟୁରୋ
ନିଆଳିରେ ଦୁର୍ନୀତି ବିରୋଧୀ ସଭାରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତଙ୍କୁ ବିରୋଧ କରିଛନ୍ତି ଅଙ୍ଗନବାଡ଼ି କର୍ମୀ।
ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ପିଛା ଛାଡ଼ୁନି ବିରୋଧ। ଦାମ ଯେଉଁଠି ଦୁର୍ନୀତି ବିରୋଧୀ ସଭା ଆୟୋଜନ କରୁଛନ୍ତି ସେଠି ତାଙ୍କୁ ବିରୋଧର ଶିକାର ହେବାକୁ ପଡ଼ୁଛି। ବାରିପଦା ସଭା ପରେ ଆଜି ଦାମଙ୍କୁ କଟକ ଜିଲ୍ଲା ନିଆଳିରେ ବିରୋଧ କରାଯାଇଛି। ଅଙ୍ଗନବାଡ଼ି କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଦାମଙ୍କୁ ବିରୋଧ କରିଛନ୍ତି।
ବାରିପଦାର ଛଉ ପଡ଼ିଆରେ ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୨୧ ତାରିଖରେ ଆୟୋଜନ କରାଯାଇଥିଲା ସଭା। ଏଥିରେ ଦାମ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ହେଲେ ସଭା ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିଲା। କିଛି ଯୁବକ ଫୁଲତୋଡ଼ା ଦେବା ପାଇଁ ସଭାମଞ୍ଚକୁ ଆସି ସଭା କାର୍ଯ୍ୟରେ ବାଧା ଦେଇଥିଲେ। ଏଥିପାଇଁ ଦାମ ମୟୂରଭଞ୍ଜ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଦାୟୀ କରିଥିଲେ।
ବାରିପଦା ସଭାକୁ ନେଇ ଚର୍ଚ୍ଚା ନଥମୁଣୁ ଆଜି ଦାମ ନିଆଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସଭାରେ ଯୋଗଦେବା ପାଇଁ ଯାଇଥିଲେ। ତାଙ୍କ ସହ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ରବି ଦାଶ ମଧ୍ୟ ସାମିଲ ଥିଲେ।
ସଭାସ୍ଥଳକୁ ଦାମ ଏବଂ ଅନ୍ୟ ଅତିଥିମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ଅଙ୍ଗନବାଡ଼ି କର୍ମୀମାନେ ଦାମଙ୍କୁ ବିରୋଧ କରିଥିଲେ। ସଭାସ୍ଥଳରେ ପହଞ୍ଚିବା ପରେ ନିଆଳି ଏବଂ କଣ୍ଟାପଡ଼ା ବ୍ଲକର ଅଙ୍ଗନବାଡ଼ି କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଦାମ ବିରୋଧୀ ସ୍ଲୋଗାନ ଦେଇଥିଲେ।
ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି କିଛିଦିନ ତଳେ ନକରାତ୍ମକ ଟିପ୍ପଣୀ ଦେଇଥିବାରୁ ଦାମ କ୍ଷମା ମାଗନ୍ତୁ ବୋଲି କର୍ମୀମାନେ ଦାବି କରିଥିଲେ।
“ଅଙ୍ଗନବାଡ଼ି କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଉଛନ୍ତି। କିନ୍ତୁ ଦାମ ବାବୁ ମନ୍ତ୍ରୀ ଥିବା ବେଳେ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ଅଙ୍ଗନବାଡ଼ି କର୍ମୀ ଏବଂ ନାରୀ ଜାତି ପାଇଁ ଅସମ୍ମାନ। ଯେଉଁ ବ୍ୟକ୍ତି ନାରୀଙ୍କୁ ସମ୍ମାନ ଦେଇ ଶିଖି ନାହାନ୍ତି ସେ ଏମିତି ସଭା କରିବାକୁ ଆମେ ବିରୋଧ କରୁଛୁ”, କହିଛନ୍ତି କଣ୍ଟାପଡ଼ା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ସ୍ନେହଲତା ମିଶ୍ର।
ଖାଲି ସେତିକି ନୁହେଁ, ହାଇସ୍କୁଲ ପଡ଼ିଆରେ ସଭା ଚାଲିଥିବା ବେଳେ ସଭାମଞ୍ଚକୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବିଜେଡି ନେତାଙ୍କ ବିରୋଧରେ ଲଗାମଛଡ଼ା ମନ୍ତବ୍ୟ ଦେଉଛନ୍ତି। କୁଜଙ୍ଗ, ମାହାଙ୍ଗା, ନିମାପଡ଼ା, ବାରିପଦା ପରେ ଦାମ ନିଆଳିରେ ଶକ୍ତି ପ୍ରଦର୍ଶନ କରିଛନ୍ତି।








ନିଆଳିରେ ଦୁର୍ନୀତି ବିରୋଧୀ ସଭାରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତଙ୍କୁ ବିରୋଧ କରିଛନ୍ତି ଅଙ୍ଗନବାଡ଼ି କର୍ମୀ।









