ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶବ୍ୟାପୀ କଂଗ୍ରେସ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନେଇ ରାଜନୀତିରେ ଝଡ଼। ସିବିଆଇ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ଆସିବା ପରେ କଂଗ୍ରେସ ଏହାକୁ ଅସ୍ତ୍ର କରିଛି। ସାରା ଦେଶରେ ଆଜି କଂଗ୍ରେସ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀରେ ହୋଇଥିବା ବିକ୍ଷୋଭରେ ସାମିଲ ହୋଇଥିଲେ। ଏପଟେ ଭୁବନେଶ୍ୱର ସିବିଆଇ ଅଫିସ ଘେରାଉରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ।

ଦିଲ୍ଲୀର ଦୟାଲ ସିଂ କଲେଜଠାରୁ ରାହୁଲଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲା। ବହୁ କଂଗ୍ରେସ କର୍ମୀ ଏବଂ ନେତା ପଦଯାତ୍ରାରେ ଆସି ସିବିଆଇ ଅଫିସ ଘେରିଥିଲେ।

ବିକ୍ଷୋଭରେ ସାମିଲ ହୋଇଥିବା ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା। ପ୍ରାୟ ଏକ ଘଣ୍ଟା ପରେ ରାହୁଲ ଲୋଧି ରୋଡ୍ ଥାନାରୁ ମୁକୁଳିଥିଲେ। ଥାନାରୁ ବାହାରିବା ପରେ ରାହୁଲ ବିଜେପି ଏବଂ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।

“ପ୍ରଧାନମନ୍ତ୍ରୀ ରାଫେଲ୍ ଡିଲ୍‌ରେ ଦୁର୍ନୀତି କରିଛନ୍ତି। ଏହା ସମଗ୍ର ଦେଶବାସୀ ଜାଣି ସାରିଲେଣି। ପ୍ରଧାନମନ୍ତ୍ରୀ ଏଥିରୁ ବର୍ତ୍ତି ପାରିବେ ନାହିଁ। ମତେ ଯେତେ ଥର ଗିରଫ କଲେ ବି କିଛି ଫରକ ପଡ଼ିବନି”, କହିଛନ୍ତି ରାହୁଲ ଗାନ୍ଧି।

ରାହୁଲ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶର ସବୁ ସଂସ୍ଥା ଉପରେ ଆକ୍ରମଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନିଜକୁ ଦେଶର ଚୌକିଦାର କହୁଛନ୍ତି। କିନ୍ତୁ ଚୌକିଦାର ହୋଇ ସେ ଚୋରି କରୁଛନ୍ତି। ହେଲେ କଂଗ୍ରେସ ତାଙ୍କୁ ଚୋରି କରିବା ପାଇଁ ସୁଯୋଗ ଦେବ ନାହିଁ।

Comment