ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତୀ ମୃତ୍ୟୁର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ। ମାମଲା ରୁଜୁ କରି ତଦନ୍ତ ଚଳାଇଛି ୩ ଜଣିଆ ଟିମ୍।

ଢେଙ୍କାନାଳ ଜିଲ୍ଲାରେ ୭ଟି ହାତୀଙ୍କର ମୃତ୍ୟୁ ହେବା ପଛରେ କେଉଁ ବିଭାଗ ଦାୟୀ? ଜଙ୍ଗଲ ବିଭାଗ ସେସୁ ଉପରେ ଦୋଷ ଲଦିଥିବା ବେଳେ ସେସୁ ପକ୍ଷରୁ ସନ୍ତୋଷଜନକ ଉତ୍ତର ମିଳୁନି। ହାତୀ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।

କ୍ରାଇମବ୍ରାଞ୍ଚ ଟିମ୍ କମଳାଙ୍ଗ ଗାଁ ନିକଟକୁ ଯାଇ ତଦନ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଗତ ଶନିବାର ଭୋର୍ ସମୟରେ କମଳାଙ୍ଗ ଗାଁ ନିକଟରେ ୧୧ କିଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କର ମୃତ୍ୟୁ ଘଟିଥିଲା। ବିଦ୍ୟୁତ ତାର ତଳକୁ ଓହଳି ରହିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହି ଘଟଣାରେ ଜଙ୍ଗଲ ବିଭାଗ ଏବଂ ସେସୁ ୬ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ।

ଢେଙ୍କାନାଳ ଜଙ୍ଗଲ ବିଭାଗର ଆସିଷ୍ଟାଣ୍ଟ କଞ୍ଜର୍ଭଟେର ଅଫ୍ ଫରେଷ୍ଟ କଣ୍ଟାବଣିଆ ଥାନାରେ ଏତଲା ଦେଇଥିଲେ। ପୋଲିସ କେସ୍ ନମ୍ବର ୧୧୬/୨୦୧୮ରେ ମାମଲା ରଜୁ କରିଥିଲା। ଏହି ମାମଲାକୁ କ୍ରାଇମବ୍ରାଞ୍ଚ ଗ୍ରହଣ କରିଛି।

ସେହିପରି କ୍ରାଇମବ୍ରାଞ୍ଚ ୱାଇଲ୍ଡ  ଲାଇଫ୍ ସେଲ୍ ପକ୍ଷରୁ କେସ୍ ନମ୍ବର ୨୩ ଏବଂ ଆଇପିସି ଦଫା ୧୬୬, ୪୨୯, ୩୪ ଏବଂ ୧୪୬ ଇଲେକ୍ଟ୍ରିସିଟି ଆକ୍ଟ, ୫୧ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ କରିଛି।

ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ପି ସମ୍ପଦ ସନ୍ଦୀପ ମାଡ଼କରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ ହୋଇଛି।

Comment