ଓଡ଼ିଶାଲାଇଭ୍ ବ୍ୟୁରୋ

- କେନ୍ଦ୍ରାପଡ଼ାରେ ବୁଧବାର ଭଷାଣୀ
- ଭଷାଣ ଉତ୍ସବରେ ସାମିଲ ହେବେ ୪୬ଟି ମେଢ଼
- ୨୦ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ
ଦୀର୍ଘ ୭ ଦିନ ଧରି କେନ୍ଦ୍ରାପଡ଼ାର ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଉଥିବା ମା’ ଗଜଲକ୍ଷ୍ମୀ ବୁଧବାର ଦିନ ବିଦାୟ ନେବେ। ଏଣୁ ମଙ୍ଗଳବାର ଗଜଲକ୍ଷ୍ମୀ ପୂଜାର ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଛି। ଦେବୀଙ୍କୁ ଶେଷ ଅର୍ଘ୍ୟ ପ୍ରଦାନ କରାଯାଇଛି। ବୁଧବାର ମା’ଙ୍କର ଭଷାଣ ଉତ୍ସବ ଅନୁଷ୍ଠିତ ହେବ।
ସହରରେ ପୂଜା ପଉଥିବା ୬୭ଟି ମେଢ଼ ମଧ୍ୟରୁ ୪୬ ମେଢ଼ ଭଷାଣ ଉତ୍ସବରେ ସାମିଲ ହେବେ। ସାନ୍ତସାହି ପଟରୁ ୨୧ଟି ମେଢ଼ ରହିଥିବା ବେଳେ ନୂଆ ମଟରଷ୍ଟାଣ୍ଡ ଆଡ଼କୁ ୨୫ ମେଢ଼ ରହିଛନ୍ତି।
ବୁଧବାର ସକାଳ ୯ଟା ବେଳକୁ ମେଢ଼ମାନେ ମଣ୍ଡପ ଛାଡ଼ିବାକୁ ପ୍ରସ୍ତାବ ରହିଛି। ପୁରୁଣା ମଟରଷ୍ଟାଣ୍ଡ ଥାନପତି ୯ଟାରୁ ମଣ୍ଡପ ଛାଡ଼ି ସାହି ପରିକ୍ରମା କରି ୩ଟା ସୁଦ୍ଧା ସାନ୍ତସାହି ମେଳଣ ପଡ଼ିଆରେ ଭୋଗ ଖାଇବେ। ଅପରାହ୍ନ ୩ଟାରେ ନୂଆ ମଟରଷ୍ଟାଣ୍ଡ ଥାନପତି ମଣ୍ଡପଛାଡ଼ି ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆ ଆଡ଼େ ବାହାରିବେ।
ରାତି ୧୨ଟା ସୁଦ୍ଧା ସମସ୍ତ ୪୬ଗୋଟି ମେଢ଼ ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆରେ ପହଞ୍ଚିବାକୁ ସ୍ଥିର ହୋଇଛି। ଆସନ୍ତା ୧ ତାରିଖ ସକାଳ ୧୦ଟାରେ ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆରେ ସମୂହ ଭୋଗ ଲାଗି ହେବାର କାର୍ଯ୍ୟକ୍ରମ ରହିଛି।
ପାଗ ଅନୁକୂଳ ରହିଥିବାରୁ ଏଥର ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନ ଗହଳି ହୋଇଥିଲା। ମେଳଣ ଉତ୍ସବରେ କେନ୍ଦ୍ରାପଡ଼ା ସହରରେ ଲକ୍ଷାଧିକ ଜନ ସମାଗମକୁ ଆଖି ଆଗରେ ରଖି ଆଇନଶୃଙ୍ଖଳା ଦିଗ ପ୍ରତି ଅଧିକ ଜୋର ଦେଇଛି ପ୍ରଶାସନ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚି ଜିଲ୍ଲା ପୋଲିସ ଓ ବରିଷ୍ଠ ମେଢ଼ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି।
ମେଳଣ ଓ ଭଷାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ଆସନ୍ତାକାଲିଠାରୁ ସହରରେ ବ୍ୟାପକ ପୋଲିସ ମୁତୟନ କରିଛି ପ୍ରଶାସନ। କେନ୍ଦ୍ରପଡ଼ା ଜିଲ୍ଲାପାଳ ଦାସରଥୀ ଶତପଥୀ ଓ ଏସ୍ପି ନୀତିଶେଖରଙ୍କ ସହିତ ଆଇନ ଶୃଙ୍ଖଳା ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି।
ସହରରେ ୨୦ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି। ଏହାଛଡ଼ା ୨ ଜଣ ଅତିରିକ୍ତ ଏସ୍ପି, ୧୨ ଜଣ ଡିଏସପି, ଇନ୍ସପେକ୍ଟର ୨୦ ଜଣ, ଏସ୍ଆଇ ଓ ଏଏସ୍ ଆଇ ୧୧୦ ଜଣ, ୩୦୦ କନଷ୍ଟେବଳ ଓ ହାବିଲଦାର, ୪୫୦ ଜଣ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ଏହାଛଡ଼ା ମେଳଣ ସମୟରେ ଯଦି କୌଣସି ଗଣ୍ଡଗୋଳ ହୁଏ ତାକୁ ସମ୍ଭାଳିବାକୁ ୧୦୦ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସଙ୍କୁ ଅଣାଯାଇଛି।
ଏହାଛଡ଼ା ସହରର ସମ୍ବେଦନଶୀଳ ସ୍ଥାନମାନଙ୍କରେ ସ୍ଥାନମାନଙ୍କରେ ସିସି ଟିଭି, ଭିଡିଓ ଗ୍ରାଫି ଓ ବାଇନାକୁଲାର ବ୍ୟବସ୍ଥା ରହିଛି। ସହରର ପୁରୁଣା ମଟରଷ୍ଟାଣ୍ଡ କାକାଟ ଛକ ଓ ସାନ୍ତ ସାହିରେ ପୋଲିସ ୱାଚିଂ ଟାୱାର କରାଯାଇଛି। ଭିଡ଼ ରାସ୍ତାକୁ ଏକପାଖିଆ କରାଯାଇଛି।
ମେଳଣ ଓ ଭଷାଣି ଉତ୍ସବରେ ଯୋଗ ଦେବାକୁ ଆସୁଥିବା ଲକ୍ଷାଧିକ ଭକ୍ତ ମାନଙ୍କର ସୁବିଧା ପାଇଁ ୨୪ ଘଣ୍ଟିଆ ପାଇପ୍ ପାନୀୟ ଜଳ ବ୍ୟବସ୍ଥା ସହିତ ନିରବଛିନ୍ନ ବିଜୁଳି ବ୍ୟବସ୍ଥା, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ।
ମେଳଣ ସମୟରେ ବିଭିନ୍ନ ଜଳଖିଆ ଦୋକାନରେ ବାସି ଖାଦ୍ୟ ବିକ୍ରୟକୁ କଡ଼ାକଡ଼ି ଭାବରେ ତନଖି ବ୍ୟବସ୍ଥା କରିଛି ପ୍ରଶାସନ। ଏହି ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଓ ଏସ୍ପି ନୀତିଶେଖର ଉଭୟ ଜନସାଧାରଣ ଓ ପୂଜାମଣ୍ଡପ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି।


















