ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦିନ ପରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ମେଳଣରେ ନୂଆ ଘଟଣା ସାମ୍ନାକୁ ଆସିଛି। ପ୍ରତି ବର୍ଷ ସମସ୍ତ ମେଢ଼ ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆରେ ପହଞ୍ଚିବା ପରେ ଏକାଥରକେ ଭୋଗ ଲାଗି କରାଯାଏ। ଭୋଗ ଲାଗି ପରେ ଲଟେରୀ ମାଧ୍ୟମରେ ମେଳଣ ପଡ଼ିଆରୁ ମେଢ଼ଗୁଡ଼ିକ ବିସର୍ଜନ ଘାଟକୁ ବାହାରିଥାନ୍ତି। ମେଳଣ ପଡ଼ିଆକୁ ନିର୍ଦ୍ଧାରିତ ସମୟଠାରୁ ମେଢ଼ ବିଳମ୍ବରେ ଆସିଲେ ମଧ୍ୟ ସମୂହ ଭୋଗଲାଗି କରାଯିବାକୁ କେନ୍ଦ୍ରିୟ ପୂଜା କମିଟି ଅପେକ୍ଷା କରିଥାନ୍ତି। ହେଲେ ଚଳିତ ବର୍ଷ ଏହି ପରମ୍ପରାରେ ବ୍ୟତିକ୍ରମ ସୃଷ୍ଟି ହୋଇଛି।

ପୂର୍ବ ବର୍ଷମାନଙ୍କରେ ମେଢ଼ଗୁଡ଼ିକ ବିଳମ୍ବରେ ମେଳଣ ପଡ଼ିଆରେ ପହଞ୍ଚୁଥିବା ଓ ବିଳମ୍ବରେ ଭୋଗଲାଗି ହେବାରୁ ମେଳଣ ସମୟ ନିର୍ଘଣ୍ଟ ବିଳମ୍ବ ହୋଇ ଯାଉଥିବାରୁ ବହୁ ପ୍ରଶାସନିକ ଅଚଳ ଅବସ୍ଥା ସୃଷ୍ଟି ହୋଇଆସୁଥିଲା। ଏଥର ପ୍ରଶାସନ ଓ ପୂଜା କମିଟିର ସମନ୍ୱୟ ବୈଠକରେ ଏହି ପରମ୍ପରାରେ ରୋକ ଲଗାଇବାକୁ ସମସ୍ତ ପୂଜାକମିଟି ସଦସ୍ୟ ରାଜି ହୋଇଥିଲେ। ସେହି ନିଷ୍ପତ୍ତି ଅନୁସାରେ ଏଥର ମେଳଣରେ ପରମ୍ପରାରେ ରୋକ ଲାଗିଛି।

ଅନ୍ୟପକ୍ଷରେ ମେଳଣ ପଡ଼ିଆକୁ ଆଗରେ ଆସୁଥିବା ମେଢ଼ମାନେ ପଛ ମେଢ଼ମାନଙ୍କୁ ବାଟ ଛାଡ଼ୁ ନଥିବାରୁ ଏପରି ବିଳମ୍ବ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଥିଲେ ମଧ୍ୟ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିଥିବା ପ୍ରଶାସନିକ ଅଧିକାର, ମାଜିଷ୍ଟ୍ରେଟ, ପୋଲିସ ଆଖି ବୁଝିଦେଇଥିଲେ।

ଗତ ବୁଧବାର ରାତି ୧୨ଟା ସୁଦ୍ଧା ମେଳଣ ପଡ଼ିଆରେ ସମସ୍ତ ମେଢ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ରାତି ୧୨ଟା ପରେ ସାଉଣ୍ଡ ବନ୍ଦ ପାଇଁ ପ୍ରଶାସନ କଟକଣା ଲଗାଇ ଦେବାରୁ ଅନେକ ମେଢ଼ ବାଜା ବଜାଇ ପ୍ରସେସନ କରିପାରି ନଥିବାରୁ ନିର୍ଦ୍ଧାରିତ ସମୟ ସୁଦ୍ଧା ପହଞ୍ଚି ପାରିନଥିଲେ।

ମେଢ଼ ମେଳଣ ପଡ଼ିଆକୁ ଆଣିବା ବେଳେ ମେଢ଼ ସହିତ ବାଜା ନବାଜି ଖାଲିଖାଲି ମେଢ଼କୁ ମେଳଣ ପଡ଼ିଆକୁ ନେବାକୁ ଅରାଜି ହୋଇଥିଲେ ପୂଜାମଣ୍ଡପର କର୍ମକର୍ତ୍ତାମାନେ।

ଗୁରୁବାର ସକାଳୁ ମଧ୍ୟ ସେମିତି ସମସ୍ୟା ଦେଖାଦେବାରୁ ଦୁଇଟି ମେଢ଼ ନିର୍ଦ୍ଧାରିତ ସମୟ ସକାଳ ୧୦ଟା ମଧ୍ୟରେ  ମେଳଣ ପଡିଆରେ ପହଞ୍ଚି ପାରିନଥିଲେ। ଫଳରେ ପୁରୁଣା ମଟରଷ୍ଟାଣ୍ଡ ଗଜଲକ୍ଷ୍ମୀ ଥାନପତି ମେଳଣ ପଡ଼ିଆରେ ପହଞ୍ଚିଥିବା ୪୪ଟି ମେଢ଼ ନିକଟରେ ଭୋଗ ଲଗାଇ ଦେଇଥିଲେ।

ପୂର୍ବ ବର୍ଷମାନଙ୍କରେ ଏହିସବୁ କାରଣରୁ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀଙ୍କର ଦୁଇ ଦିନିଆ ମେଳଣ ଓ ଭଷାଣ ଉତ୍ସବ ୩ ଦିନରେ ପଞ୍ଚୁଥିଲା।

ଚଳିତ ବର୍ଷ ମେଳଣ ଓ ଭଷାଣ ଉତ୍ସବକୁ ଦୁଇଦିନରେ ସୀମିତ ରଖିବାକୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ହେଲେ ଆଜି ମଧ୍ୟ ମେଳଣ ପଡ଼ିଆରୁ ବିସର୍ଜନ ଘାଟକୁ ମେଢ଼ ବାହାରିବାରେ ପୁଣି ଅଚଳାବସ୍ଥା ସୃଷ୍ଟି ହୋଇଛି। ରାତି ୧୨ଟା ସୁଦ୍ଧା ଆଜି ଭଷାଣ ଶେଷ କରିବାକୁ ଆଶା କରିଥିବା ପ୍ରଶାସନକୁ ପୁଣି ଦୁଇଦିନ ବଦଳରେ ୩ ଦିନ ଲାଗିବ ବୋଲି ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here