ଓଡ଼ିଶାଲାଇଭ୍ ବ୍ୟୁରୋ

ସତ୍ୟପାଠ ଦାଖଲ କରିବାପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହେଲେ ଅଭିଜିତ ଆୟାର ମିତ୍ର। 

ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି ଅଭିଜିତ ଆୟାର ମିତ୍ର। ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଜିତ ଆୟାର ମିତ୍ର ଶନିବାର ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇଛନ୍ତି।

ସେ ଶୁକ୍ରବାର ସତ୍ୟପାଠ ଦାଖଲ କରି ପାରି ନ ଥିବାରୁ ଶନିବାର ପୁଣି ଥରେ ଗୃହ କମିଟି ଆଗରେ ହାଜର ହୋଇଛନ୍ତି। ଗତ ଅକ୍ଟୋବର ମାସ ୧୧ ତାରିଖରେ ଅଭିଜିତଙ୍କୁ ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେଦିନ ଅଭିଜିତ ଗୃହ କମିଟି ଆଗରେ ହାଜର ହୋଇପାରି ନଥିଲେ। ଏହାପରେ ଅଭିଜିତଙ୍କୁ ଅକ୍ଟୋବର ୨୩ ତାରିଖରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ସହ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଥିଲା।

ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ଅଭିଜିତ ଶନିବାର ଏହି ସତ୍ୟପାଠ ଦାଖଲ କରିଛନ୍ତି। ଏହାପରେ ବିଧାନସଭା ଗୃହ କମିଟି ଏଘଟଣା ଉପରେ ବୈଠକ ଜାରି ରହିଛି।

ଏହାଛଡ଼ା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗୃହ କମିଟି ଆଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, “ବକ୍ତବ୍ୟ ଓ ସତ୍ୟପାଠର ତର୍ଜମା କରିବା କମିଟି। ଏଥିସହ ତର୍ଜମା ପରେ ସ୍ପଷ୍ଟୀକରଣର ଆବଶ୍ୟକତା ପଡ଼ିଲେ, ପୁଣି ଥରେ ଅଭିଜିତଙ୍କୁ ଡକା ଯାଇପାରେ।”

ଅକ୍ଟୋବର ୨୩ ତାରିଖ ଦିନ ବିଧାନସଭା କମିଟିରେ ହାଜର ହେବାପରେ ଅଭିଜିତ ଆୟର ଗିରଫ ହୋଇଥିଲେ। ଦୀର୍ଘ ସମୟ ପରେ ଅଭିଜିତ ଆୟରକୁ ସହିଦନଗର ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ କୋଣାର୍କ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲେ। ଅଭିଜିତଙ୍କ ମନ୍ତବ୍ୟକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା। ଏହା ପରେ ଓଡ଼ିଶା ପୋଲିସ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା।

ଏହାଛଡ଼ା ସୁପ୍ରିମକୋର୍ଟ ମଧ୍ୟ ଅଭିଜିତଙ୍କ ମନ୍ତବ୍ୟ ନେଇ କଡ଼ା ମନ୍ତବ୍ୟ ରଖିଥିଲେ। ଅଭିଜିତଙ୍କ ଓକିଲ ଯେତେବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କୋର୍ଟକୁ କହିଥିଲେ। ସେତେବେଳେ ସୁପ୍ରିମକୋର୍ଟ କହିଥିଲେ, “ଅଭିଜିତଙ୍କ ପାଇଁ ଜେଲ ସୁରକ୍ଷିତ ସ୍ଥାନ।” ଦଫା ୧୫୩-ଏ ଅର୍ଥାତ୍ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଙ୍ଗ କରିବା ଭଳି ସଙ୍ଗୀନ ମାମଲା ମଧ୍ୟ ଆୟାରଙ୍କ ବିରୋଧରେ ରହିଛି। ଆୟରଙ୍କ ବିରୋଧରେ ଆଇଟି ଆକ୍ଟର ଦଫା ୬୭ରେ ମାମଲା ରୁଜୁ କରାଯାଇଛି।

Comment