ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଏମ୍ପ୍ଲଏମେଣ୍ଟ ଅଫିସରେ ତାଲା ପକାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜେଡି କେନ୍ଦ୍ରୀୟ ଅଫିସକୁ ଟାର୍ଗେଟ କରିଛି।

ନଭେମ୍ବର ୫ ତାରିଖରେ ମୁହାଁମୁହିଁ ହେବେ ବିଜେପି ଏବଂ ବିଜେଡି। ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ବିଜେପି ରାଜ୍ୟର ସବୁ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ଅଫିସରେ ତାଲା ପକାଇବାକୁ ସଜ ହେଉଥିବା ବେଳେ ବିଜେଡି କେନ୍ଦ୍ରୀୟ ଅଫିସକୁ ଟାର୍ଗେଟ କରିବ।

ବିଜେପି ଏବଂ ବିଜେଡିର ଆନ୍ଦୋଳନ ପ୍ରସ୍ତୁତିକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଯାଇଛି।

ଓଡ଼ିଶାରେ ନିଯୁକ୍ତି ସୁଯୋଗ ପ୍ରହସନରେ ପରିଣତ ହୋଇଛି। ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ସରକାରୀ କ୍ଲବରେ ପରିଣତ ହୋଇଛି। ଏହାର ପ୍ରତିବାଦ କରି ନଭେମ୍ବର ୫ରେ ବିଜେପି ଯୁବ ମୋର୍ଚ୍ଚା ଏମ୍ପ୍ଲଏମେଣ୍ଟ ଅଫିସରେ ତାଲା ପକାଇବ। ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ।

ବିଜେପି ଗତ ଦୁଇ ଦିନ ତଳେ ଏହି ଘୋଷଣା କରିବା ପରେ ଆଜି ବିଜେଡି ଏହାର କାଉଣ୍ଟର କରିବାକୁ ପ୍ରସ୍ତୁତ ହୋଇଛି। ନଭେମ୍ବର, ୫, ୬ ଓ ୮ ତାରିଖରେ ରାଜ୍ୟର ବିଭିନ୍ନ କେନ୍ଦ୍ରୀୟ ଅଫିସ ଆଗରେ ବିକ୍ଷୋଭ କରିବ ବୋଲି ଘୋଷଣା କରିଛି ଦଳ। ଯୁବ ଓ ଛାତ୍ର ବିଜେଡି କର୍ମୀ ଏହି ବିକ୍ଷୋଭରେ ସାମିଲ ହେବେ ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।

ସଞ୍ଜୟ ଦାସବର୍ମା କହିଛନ୍ତି, “କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି। ଶିଳ୍ପ କରିଡ଼ରରେ ଓଡ଼ିଶାକୁ ସାମିଲ ନକରିବା ଦୁର୍ଭାଗ୍ୟଜନକ। ଖଣିଜସମ୍ପଦଭରା ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ବିଜେଡି ଉଦ୍ୟମ କରୁଛି। କିନ୍ତୁ ୨୦୧୪ ନିର୍ବାଚନ ବେଳେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିନାହିଁ।”

କେନ୍ଦ୍ର ସରକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି। ଓଡ଼ିଶାରେ ଥିବା ରାଷ୍ଟ୍ରୀୟ ଉଦ୍ୟୋଗଗୁଡ଼ିକରେ କେତେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରଶ୍ନ କରିଛି।

Comment