କଟକରୁ ଅଭିଜିତ ଦାସ

କଟକ ବଡ଼ ମେଡିକାଲକୁ କୌଣସି ଅସହାୟ ରୋଗୀଙ୍କୁ ଦେଖିଲେ ପ୍ରହଲ୍ଲାଦଙ୍କ ହୃଦୟ ତରଳି ଯାଏ।

‘ମାନବ ସେବା ହିଁ ମାଧବ ସେବା’ – ଏହି ଉକ୍ତିକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଛନ୍ତି ପ୍ରହଲ୍ଲାଦ ମହାରଣା। କଟକ ବଡ଼ ମେଡିକାଲକୁ ପ୍ରତିଦିନ ଆସୁଥିବା ଅସହାୟ ଓ ଗରିବ ରୋଗୀଙ୍କଚ ସହାୟତାର ହାତ ବଢ଼ାଇ ପ୍ରହଲ୍ଲାଦ ସେମାନଙ୍କ ପାଇଁ ଦେବଦୂତ ପାଲଟି ଯାଇଛନ୍ତି।

ପ୍ରହଲ୍ଲାଦ ମହାରଣା। ଘର କଟକ ଜିଲ୍ଲା ବାଙ୍କୀର ତାଳବସ୍ତ ଗାଁରେ। ୨୦୧୨ ମସିହାରୁ ସେ ବଡ଼ ମେଡ଼ିକାଲକୁ ନିଜର ଘର ଭାବେ ଧରି ନେଇଛନ୍ତି। ୬ ବର୍ଷ ହେଲା ଅସହାୟ ରୋଗୀମାନଙ୍କୁ ସାହଯ୍ୟ କରି ପ୍ରହଲ୍ଲାଦ ଅନ୍ୟମାନଙ୍କ ପାଇଁ ଉଦହାରଣ ପାଲଟିଛନ୍ତି।

ବାପା, ମା’ଙ୍କୁ ହରାଇଥିବା ପ୍ରହଲ୍ଲାଦଙ୍କ ମୁଣ୍ଡରେ ୨୦୧୨ରେ ଚଡ଼କ ପଡ଼ିଥିଲା। ତାଙ୍କ ସୁଖର ସଂସାରରେ କଳାବାଦଲ ଘୋଟି ଯାଇଥିଲା। ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀ ଦମୟନ୍ତୀ ମହାରଣା ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପ୍ରହଲ୍ଲାଦ। ଶେଷରେ ସେ ନିଜ ଦୁଃଖକୁ ଲାଘବ କରିବା ପାଇଁ ରୋଗୀସେବାକୁ ଆପଣାଇ ନେଇଛନ୍ତି।

ସ୍ତ୍ରୀ ଦମୟନ୍ତୀ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ପଡ଼ିବା ପରେ ପ୍ରହଲ୍ଲାଦ ତାଙ୍କ ପାଖେ ପାଖେ ରହିଥିଲେ। ସେହି ସମୟରେ ସେ ବଡ଼ ମେଡିକାଲରେ ଅନ୍ୟ ଅସହାୟ ରୋଗୀଙ୍କୁ ଦେଖିଥିଲେ। ସେମାନେ କିପରି ଅସୁବିଧା ଭୋଗନ୍ତି ତାହା ଦେଖିବା ପରେ ପ୍ରହଲ୍ଲାଦ ରୋଗୀସେବା କରିବାକୁ ଆଗେଇ ଆସିଛନ୍ତି।

“ବଡ଼ ମେଡିକାଲରେ ମୋ’ ସ୍ତ୍ରୀର ସେବା କରିବା ବେଳେ ଅତ୍ୟନ୍ତ ଗରିବ ଶ୍ରେଣୀର ରୋଗୀମାନଙ୍କୁ ପାଖରୁ ଦେଖିଥିଲି। ସେମାନଙ୍କ ସେବା କରିବା ପାଇଁ ସେତେବେଳେ ମୁଁ ସ୍ଥିର କରିଥିଲି। ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ମୁଁ ରୋଗୀସେବାକୁ ନିଜର କରିନେଇଛି”, କହିଛନ୍ତି ପ୍ରହଲ୍ଲାଦ।

ବଡ଼ ମେଡିକାଲର କାଜୁଆଲିଟି, ଅର୍ଥପେଡିକ୍‍, ବ୍ଲଡ ବ୍ୟାଙ୍କ, ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନକୁ ବହୁ ଦୂର ଦୂରାନ୍ତରୁ ଆସୁଥିବା ଗରିବ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି ପ୍ରହଲ୍ଲାଦ।

କେଉଁ ରୋଗୀର ରକ୍ତ ଆବଶ୍ୟକ ପଡ଼ିଲେ ପ୍ରହଲ୍ଲାଦ ବ୍ଲଡ ବ୍ୟାଙ୍କରୁ ରକ୍ତ ଯୋଗାଡ଼ କରିଥାନ୍ତି। ଆଉ କାହାର ଖାଇବା ପିଇବା ଅସୁବିଧା ହେଲେ ସେ ନିଜ ପକେଟରୁ ଖାଇବାକୁ ଦେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କର ପ୍ରିୟଭାଜନ ହୋଇପାରିଛନ୍ତି।

ପ୍ରହଲ୍ଲାଦ କହିଛନ୍ତି, “ମୁଁ ମୋ’ ସ୍ତ୍ରୀକୁ ହରାଇ ଏକୁଟିଆ ହୋଇଯାଇଛି। ହେଲେ ଗରିବ ଏବଂ ଅସହାୟ ରୋଗୀଙ୍କ ସେବା କରି ଯେଉଁ ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ଆଶୀର୍ବାଦ ମିଳୁଛି ତାକୁ ନେଇ ମୁଁ ବଞ୍ଚୁଛି।”

ପ୍ରହଲ୍ଲାଦ ନିଃସ୍ୱାର୍ଥପର ଭାବେ ଅସହାୟ ରୋଗୀଙ୍କୁ ସାହା ହୋଇ ଅନ୍ୟମାନଙ୍କ ପାଇଁ ଉଦହାରଣ ପାଲଟିଛନ୍ତି।

Comment