ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ରେ ନବବିବାହିତଙ୍କ ସୁନାର ସଂସାରକୁ ଉଜାଡ଼ି ଦେଲା ପାର୍ସଲ ବୋମା। ଏହି ଘଟଣାକୁ ମାସେ ପୂରିଥିଲେ ବି ପୋଲିସ ଏହାର ଖିଅ ପାଉନି। ମାସେ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦିଆଯାଇଛି। ପୁଅକୁ ହରାଇ ମାଆ ଆଖିରୁ ଲୁହ ଶଖୁ ନଥିବା ବେଳେ ନବବଧୂ ରିମାରାଣୀ ବି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏପରିସ୍ଥଳେ କ୍ରାଇମବ୍ରାଞ୍ଚ ଏହି ପରିବାରକୁ ନ୍ୟାୟ ଦେବା ପାଇଁ କେତେ ସମୟ ନେଉଛି ତା’ ଉପରେ ଏବେ ସମସ୍ତଙ୍କ ନଜର।

  • ଫେବ୍ରୁଆରି ୨୩ରେ ଘଟିଥିଲା ବିସ୍ଫୋରଣ
  • ସେହି ୨୩ରୁ ଆରମ୍ଭ ହୋଇଥିଲା ତଦନ୍ତ
  • ସନ୍ଦେହରେ ବିଭିନ୍ନ ଲୋକଙ୍କୁ ଜେରା କରିଥିଲା ପୋଲିସ
  • ଆସାମୀଙ୍କୁ ଖୋଜିବାରେ ପୋଲିସ ହେଲାନି ସଫଳ
  • ଏବେ କ୍ରାଇମବ୍ରାଞ୍ଚ ଉପରେ ଭରସା

ଆଜି ହେଉଛି ମାର୍ଚ୍ଚ ୨୩। ଠିକ୍‌ ମାସକ ତଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା। ପାର୍ସଲ ବୋମା ବିସ୍ଫୋରଣ ହେବାରୁ ଉଜୁଡ଼ି ଯାଇଥିଲା ନୂଆକରି ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ନବବିବାହିତଙ୍କର। ଏହି ପାର୍ସଲ ବୋମା ନବବଧୂ ରିମାରାଣୀ ସାହୁଙ୍କଠାରୁ ତାଙ୍କ ସ୍ୱାମୀ ସୌମ୍ୟଶେଖରଙ୍କୁ ଛଡ଼ାଇ ନେଇଥିବା ବେଳେ ରିମାଙ୍କୁ ଦରମରା କରିଦେଇଥିଲା।

ଆଗକୁ ବାକି ଜୀବନ କେମିତି ଜୀଇଁବେ ତାକୁ ନେଇ ରିମା ଭାଳି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିସ୍ଫୋରଣର ରହସ୍ୟ ଉପରୁ ପରଦା ହଟିନି। ମାସେ ହେଲା ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରୁଛି। ଅନ୍ଧାରରେ ବାଡ଼ି ବୁଲାଇ ୟାକୁ ତାକୁ ଥାନାକୁ ଆଣୁଛି। ହେଲେ ପ୍ରକୃତରେ ଆସାମୀ କିଏ ଏବଂ ପାର୍ସଲ ବୋମା କେଉଁଠୁ ଆସିଥିଲା ତାହା ଉପରୁ ପରଦା ହଟାଇବାରେ ସମର୍ଥ ହୋଇନି। ନ୍ୟାୟ ପାଇଁ ଦୁଇଟି ପରିବାର ଅପେକ୍ଷା କରିଥିଲେ ହେଁ ପୋଲିସ ତାଙ୍କୁ ନିରାଶ କରିଛି।

ମୃତ ସୌମ୍ୟଶେଖରଙ୍କ ମାଆ ଏବଂ ନବବଧୂ ରିମାରାଣୀ ବିସ୍ଫୋରଣର ତଦନ୍ତକୁ ତ୍ୱରା୍ନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରି କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦିଆଯାଇଛି। ହେଲେ ଏବେ ବଲାଙ୍ଗିର ପୋଲିସର ତଦନ୍ତକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠୁଛି। ମାସେ ହେଲା ପୋଲିସ କ’ଣ କରୁଥିଲା? ଯଦି ଏହି ଘଟଣାଟି ଗମ୍ଭୀର ବୋଲି ପୋଲିସ ଅନୁମାନ କରୁଥିଲା ତାହାଲେ ଆଗୁଆ କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କଲା ନାହିଁ? ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାହିଁକି ଏକଥା ପକାଇଲେ? ଏହି ବିସ୍ଫୋରଣ ପଛରେ ଆନ୍ତଃରାଜ୍ୟ ଟେରର୍‌ଙ୍କର ହାତ ନାହିଁ ତ? ଏହି ପ୍ରଶ୍ନ ଏବେ ବଲାଙ୍ଗିର ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏବେ ତତ୍ପର ହୋଇ ଉଠିଛି। ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବା ପାଇଁ ୪ ଜଣିଆ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରିଛି। ହେଲେ କ୍ରାଇମବ୍ରାଞ୍ଚ ବିସ୍ଫୋରଣ ରହସ୍ୟ ଉପରୁ ପରଦା ହଟାଇ ପାରିବ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୁନ୍ଦୁଲି ଗଣବଳାତ୍କାର ଏବଂ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇନାହାନ୍ତି। ନ୍ୟାୟକୁ ଚାହିଁ ରହିଛନ୍ତି ପୀଡ଼ିତାଙ୍କ ପରିବାର। ତେବେ ଏହି ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ଅସଲ ଆସାମୀଙ୍କ ପାଖରେ କିପରି ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା।

ବଲାଙ୍ଗିର ପାଟଣାଗଡ଼ରେ ଯେଉଁ ପାର୍ସଲ ବୋମା ବିସ୍ଫୋରଣ ହୋଇଛି ତାହାକୁ ଅତି ହାଲ୍‌କା ଭାବେ ଗ୍ରହଣ କରିବା ଠିକ୍ ନୁହେଁ। କାରଣ ଯେଉଁ ପାର୍ସଲ ବୋମାଟି ଆସିଥିଲା ତାହା ଗୋଟିଏ ପରିବାରକୁ ଛାରଖାର କରିବା ପାଇଁ ନା ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ତାହା ତଦନ୍ତ ପରିସରକୁ ଆସିବା ଦରକାର।

କେମିତି ଘଟିଲା ଘଟଣା?

ଫେବ୍ରୁଆରି ୨୩ ତାରିଖର ଘଟଣା। ୧୮ ତାରିଖରେ ପାଟଣାଗଡ଼ର ରବିନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା ଧୁମ୍‌ଧାମରେ। ବେଙ୍ଗାଳୁରରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିମାଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ବଡ଼ ଜାକଜମକରେ ହୋଇଥିଲା ରିସେପ୍‌ସନ୍। ବାହାଘରର ସବୁ କାମରୁ ଫୁରସତ୍ ପାଇ ଶୁକ୍ରବାର ଦିନବେଳେ ଖୋଲା ଯାଇଥିଲା ଗିଫ୍ଟ ପ୍ୟାକେଟ୍। ଏହି ସମୟରେ ରାୟପୁରରୁ ଶୁକ୍ରବାର ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା। କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିମା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟି ଗିଫ୍ଟ ଖୋଲି ଖୁସି ମନାଉଥିଲେ। ଆଉ ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ପାର୍ସଲରେ ଆସିଥିବା ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜେମାମଣି ଏବଂ ସୌମ୍ୟଶେଖର ଆଗ ପଛ ହୋଇ ଚାଲି ଯାଇଥିଲେ। ରିମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏବେ ରିମା କଟକ ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଅଛନ୍ତି।

ଆରମ୍ଭ ହେଲା ତଦନ୍ତ

ଯେଉଁଦିନ ଏହି ଶକ୍ତିଶାଳି ବିସ୍ଫୋରଣ ଘଟିଲା ସେହିଦିନ ହିଁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କରିଥିଲେ ପାଟଣାଗଡ଼ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍। ଗିଫ୍ଟ ପ୍ୟାକେଟ୍ କେଉଁଠୁ ଆସିଥିଲା ତାକୁ ନେଇ ପୋଲିସ ଖୋଳତାଡ଼ କରିଥିଲା। ଏହି ଗିଫ୍ଟ ପ୍ୟାକଟି ରାୟପୁରରୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା। ଫେବ୍ରୁଆରି ୨୪ରେ ଜୋରଦାର ହୋଇଥିଲା ତଦନ୍ତ। ସମ୍ବଲପୁରରୁ ବୋମା ବିଶେଷଜ୍ଞ ଏବଂ ଫେରେନ୍‌ସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିଲେ। ଯେଉଁ କୋରିଅର୍ ସଂସ୍ଥାରେ ପାର୍ସଲ ଆସିଥିଲା ସେହି ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୋଲିସ ଡାକି ପଚରାଉଚରା କରିଥିଲା। କିନ୍ତୁ କୌଣସି ସୁରାକ୍ ପାଇ ନଥିଲା ତଦନ୍ତକାରୀ ଦଳ।

ଫେବ୍ରୁଆରି ୨୬ରେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓ ଏହାକୁ ଦୃଢ଼ ନିନ୍ଦା କରିଥିଲେ। ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଥିଲେ। ଏହାପରେ ବଲାଙ୍ଗିର ପୋଲିସ ସୋନପୁର ଯାଇଥିଲା। ସେଠାରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଥିଲା।

ବେଙ୍ଗଳୁର ବି ଯାଇଥିଲା ପୋଲିସ। ସୌମ୍ୟଶେଖରଙ୍କ ସାଙ୍ଗଙ୍କୁ ପଚରା ଉଚରା କରିଥିଲା। ଲାପଟପ୍‌ ଏବଂ ମୋବାଇଲ ଜବତ କରି ଫେରି ଆସିଲା। ହେଲେ ଘଟଣାର ସୁରାକ୍ ପାଇଲାନି।

ମାର୍ଚ୍ଚ ୫ରେ ଆସିଲା ବଡ଼ ଖବର

ପୋଲିସ ହାତରେ ଲାଗିଲା ଆଉ ଏକ ସୁରାକ୍। ମୃତ ସୌମ୍ୟଶେଖରଙ୍କ ଭଣଜା ପପୁ ପୋଲିସକୁ ଦେଇଥିଲେ ସାଂଘାତିକ ତଥ୍ୟ। କହିଥିଲେ, ସୌମ୍ୟଶେଖର ଏବଂ ରିମାଙ୍କ ନିର୍ବନ୍ଧ ପୂର୍ବରୁ ସୌମ୍ୟଶେଖରଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ରିମାଙ୍କୁ ବାହା ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଫେନରେ କେହି ଧମକ ଦେଇଥିବା ପପୁ ପୋଲିସ କହିଥିଲା। ଏହାପରେ ପୋଲିସ ଫୋନକଲକୁ ନେଇ ଯେମିତି ତଦନ୍ତ କରିବା କଥା ତାହା କରି ନଥିଲା।

ବୌଦ୍ଧ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ଏହାସହ ବଲାଙ୍ଗିର ମେଡିକାଲରେ ଅଟକ ରହିଥିବା ଯୁବକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାର ଦୁଇଦିନ ପୂର୍ବରୁ ପୋଲିସ କଟକ ଏସ୍‌ସିବି ମେଡିକାଲରେ ସିଆର୍‌ପିସି ଧାରା ୧୬୧ରେ ବିଚାରପତିଙ୍କ ଉପସ୍ଥିତିରେ ରିମାଙ୍କ ବୟାନ ରେକର୍ଡ କରିଥିଲା। ସେପର୍ଯ୍ୟନ୍ତ ରିମା ଜାଣି ନଥିଲେ ଯେ ଯାହାର ହାତ ଧରି ସେ ଶଶୁଘରକୁ ଆସିଥିଲେ ସେ ବୋମା ବିସ୍ଫୋରଣରେ ଆରପାରିକୁ ଚାଲି ଯାଇଛନ୍ତି। ବୟାନ ରେକର୍ଡ ପରେ ବଲାଙ୍ଗିର ପୋଲିସ ତଦନ୍ତ ଜାରି ରଖିଥିଲା। ହେଲେ ବୋମା ବିସ୍ଫୋରଣର ପରଦା ପଛର କାହାଣୀକୁ ଲୋକଙ୍କ ସାମ୍ନାକୁ ଆଣିବାରେ ସମର୍ଥ ହୋଇ ନଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି

ବଲାଙ୍ଗିର ପୋଲିସ ନ୍ୟାୟ ଦେବାରେ ବିଳମ୍ବ କରିବାରୁ ମୃତ ସୌମ୍ୟଶେଖରଙ୍କ ମାଆ ଏବଂ ରିମାଙ୍କ ବାପା ମାର୍ଚ୍ଚ ୨୦ରେ ଆସିଥିଲେ ଭୁବନେଶ୍ବର। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଥିଲେ। ଆସାମୀକୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବାକୁ ନିବେଦନ କରିଥିଲେ ସେମାନେ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କଥା ପଡ଼ିବା ପୂର୍ବରୁ ନବବଧୂ ରିମାରାଣୀ ପୁରୁଣା ଖବରକାଗଜରୁ ସୌମ୍ୟଶେଖରଙ୍କ ମୃତ୍ୟୁ କଥା ଜାଣିପାରିଥିଲେ। କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଜଳଖିଆ ଖାଇବା ବେଳେ ରିମାରାଣୀ ପୁରୁଣା ଖବରକାଜ ଉପରେ ନଜର ପକାଉ ପକାଉ ଏହି ଖବର ତାଙ୍କ ଆଖିରେ ପଡ଼ିଥିଲା। ଫଳରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଶେଷରେ ରିମାରାଣୀ ମଧ୍ୟ ମାର୍ଚ୍ଚ ୨୧ରେ ମଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ। କିଏ ଏବଂ କେଉଁ ଉଦ୍ଦେଶ୍ୟ ରଖି ପାର୍ସଲ ବୋମା ଗିଫ୍ଟ ଦେଇଥିଲା ତାର ଖୁଲାସା କରିବାକୁ ଅନୁରୋଧ କରିଥିଲେ।

ମାର୍ଚ୍ଚ ୨୨ରେ ମୁଖ୍ୟମନ୍ତ୍ରୀ ଦେଇଥିଲେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ। ଏହାପରେ ୨୩ ତାରିଖରେ କ୍ରାଇମବ୍ରାଞ୍ଚ ଗଠନ କରିଛି ୪ ଜଣିଆ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍। ଏହି ଟିମ୍‌ ଆଜି ଏସ୍‌ସିବି ମେଡିକାଲରେ ରିମାଙ୍କୁ ପଚରାଉଚରା କରିଛି।

Comment