ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଯୁକ୍ତ ଦୁଇ ପାସ୍ କରିବା ପରେ ଯୁକ୍ତ ତିନି ପାଠ ପଢ଼ିବା ପାଇଁ ନାଁ ଲେଖିଥିଲି। ହେଲେ ଅଧିକ ପାଠ ପଢ଼ିବା ପାଇଁ ମୋ ପରିବାର ପାଖରେ ସାମର୍ଥ୍ୟ ନଥିଲା। ପରିବାର ଚଳାଇବା ପାଇଁ ମୋ ମୁଣ୍ଡରେ ସେତେବେଳେ ବୋଝ ଲଦା ଯାଇଥିଲା। ଶେଷରେ ପାଠ ଛାଡ଼ି ଚାକିରୀ କରିବା ପାଇଁ ଚାହିଁଲି। ଚାକିରୀ ନମିଳିବାରୁ ପରିବାର ଚଳାଇବା ପାଇଁ ରାଜଧାନୀର ଗଳିକନ୍ଦି ବୁଲି ଅସନା ଜାଗାରୁ ମୁଁ ଜରି ଗୋଟାଉଛି”।

ରାଜଧାନୀର ଅଳିଆ ଗଦାରୁ ଜରି ଗୋଟାଉଥିବା ବେଳେ ଓଡ଼ିଶାଲାଇଭ୍‌କୁ କହିଛନ୍ତି ସୁଜାତା। କେବଳ ସୁଜାତା ନୁହନ୍ତି, ତାଙ୍କ ପରି ଅନେକ ପୁରୁଷ, ମହିଳା, ଛୋଟ ପିଲା ରାତି ପାହିଲେ ପେଟ ପୋଷିବା ପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରର ଅଳିଆ ଗଦାରୁ ଜରି ଗୋଟାଇ ଥାନ୍ତି।

ପିଠିରେ ଛିଣ୍ଡା ଅଖା। ହାତରେ ଲୁହା ରଡ୍ କିମ୍ବା ବାଡ଼ି ଧରି ସକାଳୁ ଘରୁ ବାହାରି ଆସନ୍ତି ସୁଜାତା, ରାଇମଣି, ପୂର୍ଣ୍ଣଙ୍କ ଭଳି ମହିଳା ଏବଂ ପୁରୁଷ। ରାଜଧାନୀର ଏକେଣା ଜାଗାରେ ଥିବା ଅଳିଗଦାରୁ ମୁକ୍ତା ଭଳି ସାଉଁଟି ଆଣନ୍ତି ଜରିଗୁଡ଼ିକୁ। ବସ୍ତାରେ ରଖି କବାଡ଼ିଆ ପାଖକୁ ଯାଆନ୍ତି। ଅଳିଆଗଦାରୁ ଦିନ ସାରା ସଂଗ୍ରହ କରିଥିବା ଜରି, କାଚ ଏବଂ କିଛି ଟୁକୁଡ଼ା ଜିନିଷ ଦେଇ ପଇସା ଆଣି ଘରକୁ ଆଣନ୍ତି। ସେହି ପଇସାରେ ଚଳେ ସେମାନଙ୍କର ତେଲ ଲୁଣର ସଂସାର।

“ଗାଁ ଛାଡ଼ି ଭୁବନେଶ୍ୱର ଆସିଥିଲି କାମ କରିବାକୁ। ହେଲେ କିଛି କାମ ମିଳିଲାନି। ବାଲି ସିମେଣ୍ଟ କାମ କରୁଥିଲି। କିନ୍ତୁ ବେଶି ଦିନ କରିପାରିଲି ନାହିଁ। ପେଟ ପୋଷିବା ପାଇଁ ଶେଷରେ ଏହି କାମ କରୁଛି। ଅସନା ଜାଗାରୁ ଜରି ଗୋଟାଇବା ଭଲ ନଲାଗିଲେ ବି ପେଟ ପାଇଁ ସବୁକିଛି କରିବାକୁ ପଡ଼ିବ”, ଆଖିରୁ ଦି ଟୋପା ଲୁହ ଗଡ଼ାଇ ଓଡ଼ିଶାଲାଇଭ୍‌କୁ କହିଛନ୍ତି ରାଇମଣୀ।

“ଅଳିଆ ଆବର୍ଜନା ଗଦା ହୋଇଥିବା ରାସ୍ତା ଦେଇ ଯିବା ବେଳେ ଲୋକେ ନାକ ଓ ପାଟିରେ ହାତଦେଇ ଯାଇଥାନ୍ତି। କିନ୍ତୁ  ଆମେ ଏହି ଜାଗାକୁ ଭଲପାଇ ବସିଛୁ। ଆମ ପାଇଁ ଘର ପାଲଟି ଯାଇଛି ଅଳିଆଗଦା”, ରାଇମଣୀ କହିଛନ୍ତି।

ଦେଶ ସ୍ୱାଧୀନତାକୁ ବିତିଛି ୭୨ ବର୍ଷ। ଏହା ଭିତରେ ରାଜଧାନୀ ଭୁବନେଶ୍ୱରର କଳେବର ବି ବୃଦ୍ଧି ପାଇଛି। କିଏ କେତେ ସ୍ୱପ୍ନ ନେଇ ଭୁବନେଶ୍ୱରକୁ ଆସୁଛି। ହେଲେ ଏଠି କାହାର ସ୍ୱପ୍ନ ପୂରଣ ହେଉଛି ତ ଆଉ କାହାର ଭାଙ୍ଗି ଚୁର୍‌ମାର୍ ହୋଇଯାଉଛି। ମୁଠାଏ ଦାନା ପାଇଁ ଏଠି ସଂଘର୍ଷ କରୁଛନ୍ତି ଲୋକେ। କଲିକତା, କଟକ, ବାରିପଦା ଆଦି ଜାଗାରୁ ଆସି ଜରି ଗୋଟାଇ  ଜୀବନ ସହ ସଂଘର୍ଷ କରୁଛନ୍ତି ଲୋକେ।

ଜରି ଗୋଟାଉଥିବା ଲୋକେ ଯେଉଁ ବସ୍ତିରେ ରହୁଛନ୍ତି ତାର ଅବସ୍ଥା ନକହିବା ଭଲ। ଏଠି ବିଜୁଳି ସାତସପନ। ଦିନ ସାରା ମାଛି ଏବଂ ସଞ୍ଜ ନଇଁଲେ ମଶାଙ୍କ ଆତଙ୍କରେ ଜୀବନ ବିତାଉଛନ୍ତି ଏମାନେ। ଶୋଇବାକୁ ସୁବିଧା ବୋଲି କିଛି ନାହିଁ। ଶୌଚାଳୟ କଥା ନ କହିବା ଭଲ। ତଥାପି ସେମାନେ ସଂଘର୍ଷ ଜାରି ରଖିଛନ୍ତି।

ସକାଳ ୮ରୁ ଆରମ୍ଭ ହୁଏ ଜରି ଗୋଟା। ଜରି, କାଚ ଏବଂ କିଛି ଟୁକୁଡ଼ା ସାମଗ୍ରୀ ସଂଗ୍ରହ କରିବା ପାଇଁ ପୂରା ଦିନ ଲାଗିଯାଏ। ବସ୍ତା ଫୁଲ୍ ହେବା ପରେ  କବାଡ଼ିଆ ଦୋକାଦରେ ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର ତାହା ସେମାନଙ୍କର ଦିନକର ଖର୍ଚ୍ଚ। ଜରି ଗୋଟାଇବାକୁ ଯାଇ ନପାରିଲେ ଘରେ ଚୁଲି ଜଳେନି।

“ଅସନା କାମ ହେଲେ ବି କରିବାକୁ ପଡ଼ୁଛି। କ’ଣ ବା ଆଉ କରିବୁ? କିଛି ତ ମଳୁନି। ଏଥିରୁ ଯାହା ଆସୁଛି ସେଥିରେ ଚଳିବା କଥା। ପିଲାମାନଙ୍କୁ ପଢ଼େଇ ପାରିଲିନି। ବୁଢ଼ାବୁଢ଼ି ହେଲୁଣି। ବାର୍ଦ୍ଧକ୍ୟ ଭତା, ସରକାରୀ ସହାୟତା କ’ଣ ଆମେ ଜାଣିନୁ। ସରକାର ଆମ ଦୁଃଖ ଶୁଣୁନାହାନ୍ତି”, କହିଛନ୍ତି ଜରି ଗୋଟାଳି ପୂର୍ଣ୍ଣ ସିଂ।

Comment