ଓଡ଼ିଶାଲାଇଭ୍ ବ୍ୟୁରୋ

ବେକାରୀ ସମସ୍ୟା ଦୂର କରିବାରେ ରାଜ୍ୟ ସରକାର ବିଫଳ।

ଓଡ଼ିଶାରେ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି ଯୁବ ମୋର୍ଚ୍ଚା। ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ପ୍ରହସନ ଚଳାଇଥିବା ଅଭିଯୋଗ କରି ବିଜେପି ସୋମବାର ଦିନ ରାଜ୍ୟର ସବୁ ଏମ୍ପ୍ଳଏମେଣ୍ଟ ଏକ୍ସଚେଞ୍ଜ ଅଫିସରେ ତାଲା ଠୁଙ୍କିଛି।

ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ ସବ୍‌ଡିଭିଜନ ସ୍ତରରେ ଥିବା ଏମ୍ପ୍ଳଏମେଣ୍ଟ ଏକ୍ସଚେଞ୍ଜ ଅଫିସରେ ତାଲା ପକାଇ ପ୍ରତିବାଦ କରିଛି ବିଜେପି।

ଭୁବନେଶ୍ୱର ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଥିଲା। ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟ ସରକାର ତୁରନ୍ତ ନିଯୁକ୍ତି ସୃଷ୍ଟି କରନ୍ତୁ ବୋଲି ଦାବି କରାଯାଇଥିଲା।

ଟଙ୍କଧର ତ୍ରିପାଠୀ କହିଛନ୍ତି, “୨୦୦୮ ମସିହାରେ ଶିଳ୍ପମାନଙ୍କରେ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ ଅର୍ଦ୍ଧ କୁଶଳୀ ଏବଂ ୩୦ ପ୍ରତିଶତ କୁଶଳୀ ପଦବୀରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ଏହାକୁ ଲାଗୁ କରିବାରେ ବିଫଳ ହୋଇଛନ୍ତି। ସେହିପରି ବଡ଼ ବଡ଼ କମ୍ପାନିମାନଙ୍କ ସହ ରାଜ୍ୟ ସରକାର କରିଥିବା ଏମଓୟୁରେ କେଉଁ କେଉଁ ଶିଳ୍ପରେ କେତେଜଣ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି?”

ଟଙ୍କଧର ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ହେଲେ ରାଜ୍ୟ ସରକାର ବାଧକ ସାଜୁଛନ୍ତି। ରାଜ୍ୟରେ ଆର୍ଥିକ ଗତିବିଧି ନଥିବାରୁ ଯୁବକ ଯୁବତୀମାନେ ରୋଜଗାରରୁ ଦୂରରେ ଅଛନ୍ତି। ରାଜ୍ୟରେ ଶିଳ୍ପଗୁଡ଼ିକରେ ବିକାଶ ହେଉନାହିଁ। ୧୯ ବର୍ଷର ଶାସନରେ ସ୍ଥାଣୁତା ଓ ଅପାରଗତା କାରଣରୁ ସାଧାରଣ ଓଡ଼ିଆ ଯୁବକ ଯୁବତୀ ସେମାନଙ୍କର ହକରୁ ବଞ୍ଚିତ ହେଉଛନ୍ତି।

ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ କେତେ ଜଣ ପିଲା ନିଜ ନାଁ ପଞ୍ଜୀକରଣ କରିଛନ୍ତି ଏବଂ କେତେ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଟଙ୍କଧର ଦାବି କରିଛନ୍ତି।

Comment