ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇନ ଅମାନ୍ୟ ଆନ୍ଦୋଳନ କରିବେ ଚାଷୀ।

“ପଦଯାତ୍ରାରେ ଆସିଥିବା ଚାଷୀମାନଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରେ ପୂରାଇ ଦେଲେନି। ଏହାର ପରିଣାମ ଆଗାମୀ ନିର୍ବାଚନରେ ପ୍ରତିଫଳନ ହେବ। ଗାଁ ଗାଁରେ ଚାଷୀ ଆନ୍ଦୋଳନ ଜୋରଦାର ହେବ। ଚାଷୀମାନଙ୍କୁ ଭୁବନେଶ୍ୱର ମନା କରିଥିବାରୁ ଗାଁରେ ନେତା ଓ ଅଫିସରଙ୍କୁ ପୂରାଇ ଦିଆଯିବନି”, କହିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱରରେ ଯେଉଁ ଅଭାବନୀୟ ପରିସ୍ଥିତି ଦେଖାଦେଲା ଚାଷୀ ଆନ୍ଦୋଳନ ଥମିବ ନାହିଁ। ଆନ୍ଦୋଳନର ତରିକା ବଦଳିବ। ଗାଁରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ। ବ୍ଲକ ଅଫିସ ଘେରାଉ କରାଯିବ।

ଗତ ୨୯ ତାରିଖରୁ ଚାଷୀମାନେ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ପଦଯାତ୍ରାରେ ଭୁବନେଶ୍ୱର ବାହାରିଥିଲେ। ହେଲେ ବଳ ପୂର୍ବକ ଚାଷୀଙ୍କୁ ଆଜି ଭୁବନେଶ୍ୱର ସହର ଭିତରେ ପୂରାଇ ଦିଆଯାଇନି। ତମାଣ୍ଡୋ ଏବଂ ହଂସପାଳ ଛକରେ ଚାଷୀଙ୍କୁ ଅଟକା ଯାଇଥିଲା। ଚାଷୀ ପୋଲିସ କର୍ଡନ ଭାଙ୍ଗିବାରୁ ପୋଲିସ ସେମାନଙ୍କୁ ଗିରଫ କରିଥିଲା।

ଯାଜପୁରର କୁଆଖିଆ ଏବଂ ଖୋର୍ଦ୍ଧା ବାଲୁଗାଁରୁ ଚାଷୀମାନେ ପଦଯାତ୍ରାରେ ଆସିଥିଲେ।

ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ଗ୍ରହଣ କରିବା, ଆତ୍ମହତ୍ୟାରେ ମୃତ୍ୟବରଣ କରୁଥିବା ଚାଷୀ ପରିବାରକୁ କ୍ଷତିପୂରଣ ଦେବା, ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା କରିବା, ୬୦ ବର୍ଷ ବୟସର ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବା ଆଦି ଦାବିରେ ଚାଷୀ ରାଜରାସ୍ତାକୁ ଆସିଥିଲେ।

Comment