ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ‘ବ୍ୟାଙ୍କର୍ସ’ ମିଟ୍‌
  • ଯୋଗଦେଲେ ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ
  • ଚାଷୀଙ୍କୁ ସହଜରେ କୃଷି ଋଣ ଦେବା ଉପରେ ସରକାର ଦେଲେ ଗୁରୁତ୍ୱ
  • ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ କୃଷି ୠଣର ପରିମାଣ ବୃଦ୍ଧି କରନ୍ତୁ – କୃଷି ମନ୍ତ୍ରୀ

“ବ୍ୟାଙ୍କମାନଙ୍କର ସାହାଯ୍ୟ, ସହଯୋଗ ବିନା କୃଷି ଏବଂ କୃଷକଙ୍କର ବିକାଶ କଥା ଚିନ୍ତା କରିହେବ ନାହିଁ। ରାଜ୍ୟରେ କୃଷି କ୍ଷେତ୍ରର ବିକାଶ ପାଇଁ ବ୍ୟାଙ୍କମାନଙ୍କର ସହଯୋଗ ନିହାତି ଆବଶ୍ୟକ”, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ବୁଧବାର ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନ ରହିଥିଲା। ତୃତୀୟ ଦିନର ପ୍ରଥମ ଅଧିବେଶନରେ ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ମ୍ୟାନେଜର, କର୍ମଚାରୀମାନଙ୍କୁ ନେଇ ‘ବ୍ୟାଙ୍କର୍ସ ମିଟ୍‌’ର ଆୟୋଜନ କରାଯାଇଥିଲା। କୃଷି କ୍ଷେତ୍ରର ବିକାଶରେ ବ୍ୟାଙ୍କମାନଙ୍କର ଭୂମିକା ଉପରେ ଆଲୋଚନା ହୋଇଥିଲା।

‘‘ଆମ ରାଜ୍ୟରେ କୃଷକମାନଙ୍କୁ ଋଣ ଦେବାରେ ଜାତୀୟ ସ୍ତରର ବ୍ୟାଙ୍କଗୁଡ଼ିକ ପଛରେ ରହିଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ କମ୍ କୃଷି ଋଣ ପ୍ରଦାନ କରୁଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡ଼ିକ ୯୦ ପ୍ରତିଶତ କୃଷିଋଣ ପ୍ରଦାନ କରୁଥିବା ବେଳେ ଓଡ଼ିଶାରେ ମାତ୍ର ୩୬ ପ୍ରତିଶତ କୃଷି ଋଣ ପ୍ରଦାନ କରିଛନ୍ତି। ଯଦି ଆମେ କୃଷକମାନଙ୍କ ଉନ୍ନତି ଚାହୁଁଛେ ତେବେ ଜାତୀୟ ସ୍ତରର ବ୍ୟାଙ୍କମାନେ ନିଜର କୃଷିଋଣର ପରିମାଣକୁ ବୃଦ୍ଧି କରିବା ନିହାତି ଦରକାର’’, କହିଥିଲେ ଡକ୍ଟର ଅରୁଣ କୁମାର ସାହୁ।

ମନ୍ତ୍ରୀ ଆହୁରି କହିଥିଲେ ଯେ, କୃଷିର ବିକାଶ ହେଲେ ଦେଶର ବିକାଶ ସମ୍ଭବପର। ଯେତେବେଳେ ଚାଷୀମାନେ ବ୍ୟାଙ୍କରୁ ସହଜରେ ୠଣ ନେଇ ଚାଷ କାମ କରିବେ ସେତେବେଳେ କୃଷି କ୍ଷେତ୍ରର ବିକାଶ ହୋଇପାରିବ।

ଏହି ଆଲୋଚନାରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତିର ଆବାହକ ସଞ୍ଜୟ କୁମାର ଯୋଗ ଦେଇଥିଲେ।

ସେ କହିଥିଲେ, ‘‘ରାଜ୍ୟର ସମସ୍ତ ବ୍ୟାଙ୍କ କୃଷକମାନଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି। ବ୍ୟାଙ୍କମାନେ କୃଷକମାନଙ୍କୁ କୃଷି ଋଣ ମଧ୍ୟ ପ୍ରଦାନ କରୁଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ସହଯୋଗ କଲେ ବ୍ୟାଙ୍କମାନେ ମଧ୍ୟ କୃଷକମାନଙ୍କୁ ଅଧିକ ପରିମାଣର କୃଷି ଋଣ ଦେଇପାରିବେ।’’

ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ଜେନେରାଲ୍ ମ୍ୟାନେଜର ସୋନାଲୀ ଦାସ ଯୋଗଦେଇ କହିଥିଲେ, “ଆରବିଆଇ ପ୍ରତିଟି ମୁହୂର୍ତ୍ତରେ କୃଷକଙ୍କ ଉନ୍ନତି କଥା ଚିନ୍ତା କରୁଛି। ରାଜ୍ୟ ସରକାର ମଧ୍ୟ କୃଷି ଋଣ ଦେବା କ୍ଷେତ୍ରରେ ଉପଜୁଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିସାରିଛନ୍ତି। ବ୍ୟାଙ୍କମାନେ ଏଣିକି କୃଷକମାନଙ୍କୁ ଋଣ ଦେବା କ୍ଷେତ୍ରରେ କୋହଳ ମନୋବୃତ୍ତି ଆପଣେଇବା ଉଚିତ।”

କୃଷି ଋଣ ପ୍ରଦାନରେ ବ୍ୟାଙ୍କମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଋଣ ସଠିକ୍ ସମୟରେ ପରିଶୋଧ ହୋଇପାରୁ ନଥିବା ସେମାନେ କହିଥିଲେ। ଏନେଇ ରାଜ୍ୟ ସରକାର ଚିନ୍ତା କରନ୍ତୁ ବୋଲି ସେମାନେ ମତ ଦେଇଥିଲେ।

ଶେଷରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେବା ସହ କୃଷିର ଉନ୍ନତି ପାଇଁ ସେମାନଙ୍କର ସହଯୋଗ ସମ୍ପର୍କରେ ବୁଝାଇଥିଲେ। ବ୍ୟାଙ୍କ ତରଫରୁ ସାହାଯ୍ୟ ସହଯୋଗ ବିନା ରାଜ୍ୟର କୃଷି ଆଗକୁ ବଢ଼ିପାରିବ ନାହିଁ କି ଏହି ‘କୃଷି ଓଡ଼ିଶା ୨୦୨୦’ ସଫଳ ହେବ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

କୃଷି ଓଡ଼ିଶାର ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସହ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ସୋନାଲି ଦାସ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତିର ଆବାହକ ସଞ୍ଜୟ କୁମାର, ମତ୍ସ୍ୟ ଓ ପଶୁପାଳନ ବିଭାଗର  କମିସନର ତଥା ସଚିବ ରଘୁପ୍ରସାଦ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଡକ୍ଟର ଏନ୍ ମୁଥୁକୁମାର, ନାବାର୍ଡର ଜେନେରାଲ ମ୍ୟାନେଜର ଯୋଗ ଦେଇଥିଲେ।

Comment