ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ ବିଶ୍ଵ ବ୍ୟାଙ୍କର ସହାୟତା ମିଳିବାକୁ ଯାଉଛି। ଏନେଇ ବିଶ୍ଵ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପାଇଁ ୧୦୦ ମିଲିୟନ ଡଲାର ବା ପ୍ରାୟ ୮୦୦ କୋଟି ଟଙ୍କାର ଋଣକୁ ମଞ୍ଜୁର କରାଯାଇଛି। ବୁଧବାର ବିଶ୍ଵ ବ୍ୟାଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।

ଏହି ଅର୍ଥ ଜରିଆରେ ଓଡ଼ିଶାର ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଥିବା ଭିତ୍ତିଭୂମିକୁ ଆହୁରି ମଜବୁତ କରାଯିବ। ଏହି ଅଞ୍ଚଳରେ ରହୁଥିବା ଗରିବ ତଥା ଅସୁରକ୍ଷିତ ପରିବାର ବର୍ଗଙ୍କୁ ମିଳୁଥିବା ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରାଯିବ। ଏହା ବିପର୍ଯ୍ୟୟ ସମୟରେ ଧନଜୀବନ ବଞ୍ଚାଇବାରେ ସହାୟ ହେବ।

ଏହି ଋଣ ମାଧ୍ୟମରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମର ବିକାଶ କରାଯିବ। ଏହା ଦ୍ଵାରା ସେମାନଙ୍କୁ ବାତ୍ୟା ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ପୂର୍ବରୁ ସତର୍କ କରାଯାଇ ପାରିବ। ଏହାଛଡ଼ା ଏହା ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରୁ ବିପର୍ଯ୍ୟୟ ସମ୍ବନ୍ଧୀୟ ବିଭିନ୍ନ ଡାଟା ସଂଗ୍ରହ କରାଯିବ।

ଓଡ଼ିଶାକୁ ଏହି ଋଣ ସୁଝିବାକୁ ସାଢ଼େ ୧୨ ବର୍ଷର ସମୟ ମିଳିବ। ପରବର୍ତ୍ତୀ ସମୟରେ ଏହି ଅବଧିକୁ ଆଉ ୩ ବର୍ଷ ପାଇଁ ବଢ଼ା ଯାଇପାରିବ।

ଓଡ଼ିଶାରେ ୪୮୦ କିଲୋମିଟରର ଉପକୂଳ ରହିଛି। ପ୍ରତିବର୍ଷ ଏହି ଅଞ୍ଚଳ ଅନେକ ବାତ୍ୟାର ସାମନା କରେ। ବାତ୍ୟା ଦ୍ଵାରା ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥାଏ। ଏଠାରେ ସମୁଦ୍ର କୂଳ ଲଙ୍ଘି ଜନବସତି ଆଡ଼କୁ ମାଡି ଆସିବାର ମଧ୍ୟ ପରିଲକ୍ଷିତ ହୋଇଛି।

ତେବେ ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନାକୁ ବ୍ୟାପାକ କରିବାର ଆବଶ୍ୟକତା ରହିଛି। ସେଥିଲାଗି ବିଭିନ୍ନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଜରୁରୀ ଅଟେ।

Tags: #DisasterResponse #Odisha #WorldBank #Loan #InfrastructureDevelopment

Comment