ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ବଗାମୁଣ୍ଡା ଗାଁରେ ମହିଳାମାନେ ଟସରରୁ ଶାଢ଼ୀ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି।

ଟସର ଶିଳ୍ପ ମହିଳାଙ୍କୁ ଦେଇଛି କିଛି ନୂଆ କରି ଦେଖାଇବାର ସ୍ୱପ୍ନ। ଟସର ଶିଳ୍ପକୁ ନିଜର କରି ମହିଳାମାନେ ହୋଇଛନ୍ତି ସ୍ୱାବଲମ୍ବୀ। ଟସରରୁ ସୂତା ଓ ଏହାପରେ ପରେ ସେଥିରୁ ଶାଢ଼ୀ ପ୍ରସ୍ତୁତ କରି ମହିଳାମାନେ ହୋଇପାରିଛନ୍ତି ରୋଜଗାରକ୍ଷମ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଗାମୁଣ୍ଡା ଗାଁର ମହିଳାମାନେ ନିଜକୁ ଏହି ଟସର ଶିଳ୍ପ ସହ ଯୋଡ଼ିପାରିଛନ୍ତି। ଏପରିକି ସେଠାରେ ଥିବା ବଗାମୁଣ୍ଡା ଟସର ସମବାୟ ସମିତିରେ ସାମିଲ ହୋଇ ମାସକୁ ଦୁଇ ପଇସା ରୋଜଗାର କରିବାକୁ ମଧ୍ୟ ସମର୍ଥ ହୋଇପାରିଛନ୍ତି।

ସେହି ଅଞ୍ଚଳର ଚାଷୀଭାଇମାନେ ମଧ୍ୟ ଟସର ଚାଷ କରି ଲାଭବାନ ହୋଇପାରୁଛନ୍ତି। ସମବାୟ ସମିତିରୁ ରିହାତି ଦରରେ ମଞ୍ଜି ନେଇ ସେମାନେ ସେଠାରେ ଟସର ଚାଷ କରିବାକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଉଛନ୍ତି। ସେଠାକାର ପ୍ରାୟ ୩ ହଜାର ଚାଷୀ ଏହି ଚାଷରେ ନିଜକୁ ନିୟୋଜିତ କରିଛନ୍ତି। ଯାହା ଫଳରେ ଚାଷୀମାନେ ବର୍ଷକୁ ୮୦ରୁ ୯୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି।

ଟସର ଚାଷୀମାନେ ଟସରକୁ ନେଇ ସମିତିରେ ବିକ୍ରି କରିବା ପରେ ମହିଳାମାନେ ସେଥିରୁ ଟସର ସୂତା ବାହାର କରିଥାନ୍ତି। ଏହିଠାରୁ ହିଁ ଆରମ୍ଭ ହୋଇଥାଏ ଶାଢ଼ୀ ତିଆରି କରିବାର ପକ୍ରିୟା। ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ମହିଳାମାନେ ବେଶ୍ ଆରାମର ସହ ଟସରରୁ ସୂତା ସଂଗ୍ରହ କରିଥାନ୍ତି। ଏପରି କରି ଘରର ଗୃହିଣୀମାନେ ମଧ୍ୟ ଦିନକୁ ଦୁଇ ଶହରୁ ଅଢ଼େଇ ଶହ ଟଙ୍କା ରୋଜଗାର କରିପାରୁଛନ୍ତି।

ସୂତା ସଂଗ୍ରହ କରିବା ପରେ ଏହାକୁ ସୁନ୍ଦର ଶାଢ଼ୀର ରୂପ ଦେଇଥାନ୍ତି ବୁଣାକାରମାନେ। ଟସର ସୂତାରେ ସୁନ୍ଦର ଶାଢ଼ୀ ପ୍ରସ୍ତୁତ କରିବା ସହ ଏହା ଉପରେ ଡିଜିଟାଲ ଛାପ ଦେଇଥାନ୍ତି କାରିଗରମାନେ। ଯାହାକୁ କିଣିବା ପାଇଁ ବଜାରରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥାଏ। ଗୋଟିଏ ଶାଢ଼ୀ ପାଇଁ ପ୍ରାୟ ଦୁଇରୁ ଅଢ଼େଇ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ଶାଢ଼ୀକୁ ବଜାରରେ ୩ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ। ଫଳରେ ଶାଢ଼ୀର ନିର୍ମାତାଠୁ ଆରମ୍ଭ କରି ସମବାୟ ସମିତି ପର୍ଯ୍ୟନ୍ତ ସମସ୍ତେ ଏହାଦ୍ୱାରା ଲାଭବାନ ହୋଇପାରିଥାନ୍ତି। ଏହି ବଗାମୁଣ୍ଡା ଟସର ସମବାୟ ସମିତିରେ ପ୍ରାୟ ୨୦୦ ମହିଳା କାମ କରୁଥିବାବେଳେ ୧୦୦ରୁ ଅଧିକ ପୁରୁଷ ବୁଣାକାର ଭାବେ କାର୍ଯ୍ୟ କରୁଛନ୍ତି।ରାଜ୍ୟର ବିଭିନ୍ନ ମେଳା, ମହୋତ୍ସବରେ କେନ୍ଦୁଝର ଜିଲ୍ଲାର ଏହି ମହିଳାମାନଙ୍କୁ ଦେଖିବାକୁ ମିଳିଥାଏ। ସେମାନେ ନିଜ ହାତ ତିଆରି ଶାଢ଼ୀକୁ ନେଇ ଏହି ମେଳାକୁ ଆସିଥାନ୍ତି। ସେଠାରେ ନିଜ ଶାଢ଼ୀକୁ ବିକ୍ରି କରିଥାନ୍ତି। କେବଳ ଶାଢ଼ୀ ନୁହେଁ ଟସରରୁ ସାର୍ଟ, ଜ୍ୟାକେଟ୍ ଓ କୋଟ୍ ମଧ୍ୟ ପ୍ରସ୍ତୁତ କରିଥାନ୍ତି ବଗାମୁଣ୍ଡା ସମବାୟ ସମିତିର ମହିଳାମାନେ। ଯାହା ଆଜି ସେମାନଙ୍କୁ ଅନ୍ୟମାନଙ୍କ ଆଗରେ ପରିଚିତ କରିବା ସହିତ ରୋଜଗାରକ୍ଷମ କରିପାରିଛି।

Comment