ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଇ ଏହି ମେଡିକାଲ କଲେଜର ଉଦଘାଟନ କରିଛନ୍ତି। ଏହାଛଡା ସେ ମେଡିକାଲ କଲେଜ ପରିସରରେ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

“ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ। ଏହି ନୀତିରେ ଆମ ସରକାର ରାଜ୍ୟରେ ସ୍ଵାସ୍ଥ୍ୟସେବାର ବିକାଶ କରୁଛି। ଆଜି ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନାରେ ରାଜ୍ୟର ଅନେକ ଲୋକ ଉପକୃତ ହେଉଛନ୍ତି। ଏହି ମେଡିକାଲ କଲେଜ ହେବା ଦ୍ଵାରା ଅଞ୍ଚଳରେ ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ। ଜିଲ୍ଲାବାସୀଙ୍କୁ ଆଉ ଦୂରକୁ ଯାଇ ଚିକିତ୍ସା କରିବାକୁ ପଡ଼ିବ ନାହିଁ”,କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଧରଣୀଧର ମେଡିକାଲ କଲେଜ ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ପ୍ରଥମ ବର୍ଷରେ ୧୦୦ଟି ଡାକ୍ତରୀ ସିଟରେ ନାମଲେଖା ହୋଇଛି। ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହି ମେଡିକାଲ କଲେଜ ନିର୍ମାଣ କରିବାପାଇଁ ଶିଳାନ୍ୟାସ କରିଥିଲେ।

ସୋମବାର କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୪ ହଜାର ୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଲୋକର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ମହାବିଦ୍ୟଳୟକୁ ବିଶ୍ୱବିଦ୍ୟଳୟରେ ପରିଣତ କରିବାର ନିର୍ଦ୍ଦେଶନାମାକୁ ଲୋକଙ୍କୁ ଦେଖାଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅର୍ଥ ଓ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ନିରଞ୍ଚନ ପୂଜାରୀ, ୫-ଟି ସଚିବ ଭି କେ ପାଣ୍ଡିଆନ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #DharanidharMedicalCollege #Keonjhar #CmNaveenPatnaik #Odisha

Comment