ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ଆର୍ଥିକ ସହାୟତା ଦେବାକୁ ବିଜେଡି ସରକାର ‘କାଳିଆ’ ଯୋଜନା କରିଥିଲେ। ଏବେ ଭୂମିହୀନ ଭାଗଚାଷୀଙ୍କୁ ସହଜ ଋଣ ଦେବା ପାଇଁ ‘ବଳରାମ’ ଯୋଜନାର ପରିକଳ୍ପନା।

ବର୍ତ୍ତମାନର କୋଭିଡ୍‌-୧୯ ମହାମାରୀ ସମୟରେ ରାଜ୍ୟର ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି। ରାଜ୍ୟର ଏଭଳି ଦୁଃସ୍ଥିତିରେ ଭାଗଚାଷୀଙ୍କ ପାଇଁ ଥିବା ବଳରାମ ଯୋଜନା କୃଷି କ୍ଷେତ୍ରରେ ଆୟ ସମ୍ଭାବନାକୁ ବଢ଼ାଇବା ସହ ରାଜ୍ୟର ଅର୍ଥନୀତିକୁ ନୂଆ ଦିଗ ଦେଇପାରିବ। ମହାମାରୀ ପ୍ରଭାବରେ ଯେଉଁ ପ୍ରବାସୀ ଶ୍ରମିକମାନେ ଗାଁକୁ ଲେଉଟି ଆସିଛନ୍ତି, ସେମାନଙ୍କୁ କୃଷି କ୍ଷେତ୍ରରେ ବିକଳ୍ପ ଜୀବିକା ଓ ଜୀବନଧାରଣର ମାନ ଯୋଗାଇଦେବାରେ ମଧ୍ୟ ଭଲ ସୁଯୋଗ ଦେବ ‘ବଳରାମ’।

ଘରୋଇ ଋଣଦାତାଙ୍କ ଚଢ଼ା ସୁଧ ବୋଝରୁ ଆଶ୍ୱସ୍ତ ହେବେ ଭାଗଚାଷୀ

ଭାଗଚାଷୀଙ୍କୁ ସହଜ ଓ ସୁବିଧାରେ ଋଣ ଯୋଗାଇଦେବା ପାଇଁ ନାବାର୍ଡ (ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ) ସହାୟତାରେ ‘ବଳରାମ’ ଯୋଜନାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଯେଉଁ ଭାଗଚାଷୀ ଘରୋଇ ଋଣଦାତା ଓ ଅନ୍ୟ ଅଣ-ଆନୁଷ୍ଠାନିକ ଉତ୍ସରୁ ଚଢ଼ା ସୁଧରେ ଋଣ ଆଣୁଥିଲେ, ‘ବଳରାମ’ ଆସିବା ପରେ ସେମାନେ ପୂର୍ବ ଉତ୍ସ ଉପରେ ଆଉ ନିର୍ଭର କରିବେ ନାହିଁ।

୫ ବର୍ଷ ଭିତରେ ୫ ଲକ୍ଷ ଭାଗଚାଷୀଙ୍କୁ ଋଣ

ଏହି ଯୋଜନାରେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଆତ୍ମା ଭିତ୍ତିଭୂମି ଉପଯୋଗ କରାଯାଇ ୫ ଲକ୍ଷ ଭାଗଚାଷୀଙ୍କୁ ନେଇ ୧ ଲକ୍ଷ ମିଳିତ ଦେୟ ଗୋଷ୍ଠୀ ଗଢ଼ାଯିବ। ଏହି କୃଷକ ଗୋଷ୍ଠୀ ପ୍ରତି ୫ ଜଣଙ୍କୁ ନେଇ କରାଯିବ। ୫-ଟି କାର୍ଯ୍ୟକ୍ରମ ପ୍ରୋତ୍ସାହନରେ ୫ ବର୍ଷ ଭିତରେ ୫ ଲକ୍ଷ ଭାଗଚାଷୀଙ୍କୁ ଋଣ ଦେବା ପାଇଁ ଏକ ଟାସ୍କ ଟିମ୍ କରାଯାଇଛି।

କ’ଣ ରହିଛି ଏହି ଯୋଜନାର ବିଶେଷତା

  • ମିଳିତ ଦେୟ ଗୋଷ୍ଠୀ ପ୍ରକାରେ ଚାଷ କରୁଥିବା ଚାଷୀଙ୍କୁ ଫସଲ ଋଣ ଯୋଗାଇ ଦିଆଯିବ।
  • ବ୍ୟାଙ୍କ ଦ୍ୱାରା ଗୋଷ୍ଠୀ ପ୍ରତି ସର୍ବାଧିକ ୧.୬୦ ଲକ୍ଷ ଟଙ୍କାର ଫସଲ ଋଣ (ଆର୍‌ବିଆଇ ନିୟମ ଅନୁସାରେ) ଯୋଗାଇ ଦିଆଯିବ।
  • କୃଷକ ସାଥିମାନେ ମିଳିତ ଦେୟ ଗୋଷ୍ଠୀ ଗଠନରେ ମୁଖ୍ୟ ଭୂମିକା ନେବେ।
  • ଏହାର ସଭ୍ୟମାନେ ବ୍ୟାଙ୍କକୁ ଲିଖିତ ପ୍ରମାଣ ଦେବାର ପ୍ରକ୍ରିୟାରେ ସହଯୋଗ କରିବେ ଓ ଫସଲ ଋଣ ପାଇଁ ବ୍ୟାଙ୍କ ସହ ସମ୍ପର୍କ ରଖିବେ।
  • କୃଷକ ସାଥି ନିଜ ପଞ୍ଚାୟତରେ ଭାଗଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ଋଣ ପରିମାଣ ଆକଳନ କରିବେ ଓ ସର୍ବନିମ୍ନ ୫ ଜଣ ଚାଷୀଙ୍କୁ ନେଇ ଏଭଳି ଏକ ଗୋଷ୍ଠୀ ଗଠନ କରିବେ।
  • ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମ୍ବନ୍ଧୀୟ ସୂଚନା ଉପଲବ୍ଧ ଡାଟାବେସ୍‌ କୃଷକ ସାଥିଙ୍କୁ ନେଇ ଯୋଗାଇ ଦିଆଯିବ। ଫଳରେ ସେମାନେ ଉପଯୁକ୍ତ ହିତାଧିକାରୀ ଚିହ୍ନଟ କରିପାରିବେ।
  • କ୍ଷେତ୍ର ପରିଦର୍ଶନ କରି ନିର୍ଦ୍ଦିଷ୍ଟ ଫର୍ମରେ ଗ୍ରାମ୍ୟ କୃଷି କର୍ମଚାରୀ/ କୃଷି ଅଧିଦର୍ଶକମାନେ ଭାଗଚାଷୀଙ୍କୁ ପ୍ରମାଣପତ୍ର ଦେବେ।
  • ଫସଲ ଅମଳ ପରେ ଓ ବଜାର କ୍ରୟ କେନ୍ଦ୍ରରେ ଉତ୍ପାଦ ବିକ୍ରି ବେଳେ ଋଣ ଠିକ୍ ସମୟରେ ପରିଶୋଧ ପାଇଁ କୃଷକ ସାଥି ପରାମର୍ଶ ଦେବେ।
  • ନାବାର୍ଡ ତିନିଥରରେ ପ୍ରତି କୃଷକ ସାଥିଙ୍କୁ ମିଳିତ ଦେୟ ଗୋଷ୍ଠୀ ପ୍ରତି ମୋଟ ୨ ହଜାର ଟଙ୍କା ପ୍ରଦାନ କରିବ। ଗୋଷ୍ଠୀ ଗଠନ ଓ ବ୍ୟାଙ୍କ ଦ୍ୱାରା ଋଣ ପ୍ରଦାନ ପରେ ୧ ହଜାର ଟଙ୍କା, ଗୋଷ୍ଠୀ ଋଣ ପ୍ରଦାନ ବେଳେ ୫୦୦ ଟଙ୍କା ଓ ଶେଷରେ ପୁନଃ ଋଣ ପ୍ରଦାନ ବେଳେ ୫୦୦ ଟଙ୍କା ପ୍ରଦାନ କରାଯିବ।

Comment