ରିପୋର୍ଟ-ରାଧାଶ୍ୟାମ ପ୍ରଧାନ

ସାଧାରଣତଃ ଶୀତଦିନ ଆସିଲେ ପର୍ଯ୍ୟଟକମାନେ ନିଜର ସାଙ୍ଗସାଥୀମାନଙ୍କ ଗହଣରେ ପରିଭ୍ରମଣର ମଜା ନେଇଥାନ୍ତି। ସେ ଶିମିଳିପାଳ ଅଭୟାରଣ୍ୟ ହେଉ କିମ୍ବା ଶିମିଳିପାଳ ପାଦଦେଶରେ ଥିବା ଭିନ୍ନ ଭିନ୍ନ ପିକନିକ୍ ସ୍ପଟର ଆକର୍ଷଣ ହେଉ, ଜାତୀୟ ଉଦ୍ୟାନ ଶିମିଳିପାଳର ଆକର୍ଷଣ ବହୁ ଦେଶ ବିଦେଶର  ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ସେଥିପାଇଁ ପର୍ଯ୍ୟଟକମାନେ ଅପେକ୍ଷା କରିରହିଥାନ୍ତି କେବେ ଅଭୟାରଣ୍ୟ ବୁଲିବାର ସୁଯୋଗ ମିଳିବ। ଚଳିତବର୍ଷ ପାଇଁ ଶିମିଳିପାଳ  ଅଭୟାରଣ୍ୟକୁ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି।

ଜାତୀୟଉଦ୍ୟାନ ଶିମିଳିପାଳର ଆକର୍ଷଣ ନିଆରା। ପ୍ରାକୃତିକ ସମ୍ପଦଭରା ଏହି ଶିମିଳିପାଳରେ ବନ୍ଧୁ ପରିଜନମାନଙ୍କ ସହ ବୁଲି ବିଶାଳ ଘଞ୍ଚ ଜଙ୍ଗଲ ସହିତ ଅଭୟାରଣ୍ୟରେ ଥିବା ଭିନ୍ନ ଭିନ୍ନ ପ୍ରଜାତିର ଜୀବଜନ୍ତୁ ମାନଙ୍କୁ ଦେଖିବାର ଆଶା ଆକୃଷ୍ଟ କରିଥାଏ ପର୍ଯ୍ୟଟକମାନଙ୍କୁ। ଅନ୍ୟାନ୍ୟ ବର୍ଷମାନଙ୍କ ପରି ଏ ବର୍ଷ ବି ପର୍ଯ୍ୟଟକମାନେ ସକାଳୁ ଜଙ୍ଗଲକୁ ପଶିବାର ସୁଯୋଗକୁ ହାତଛଡା କରିନାହାନ୍ତି। ପର୍ଯ୍ୟଟକମାନଙ୍କର ଏହି ଆକର୍ଷଣ ସମଗ୍ର ନଭେମ୍ବର ମାସଠାରୁ ଆରମ୍ଭ କରି ଫେବୃଆରୀ ପର୍ଯ୍ୟନ୍ତ ଲାଗିରହିଥାଏ। ମନରେ ଅନେକ ଆଶା ଅକାଂକ୍ଷାକୁ ପାଥେୟକରି ଉଭୟ ଯଶୀପୁର ଲୁଲୁଂ ଗେଟରେ ପ୍ରବେଶ କରିଥାନ୍ତି ପର୍ଯ୍ୟଟକମାନେ। ଚଳିତବର୍ଷ ପାଇଁ ପ୍ରତିଦିନ ଯଶୀପୁର ର କାଳିଆଣି ଗେଟରୁ ୩୫ଟି ଗାଡି ଏବଂ ଲୁଲୁଂର ପିଠାବଟା ଗେଟରୁ ୨୫ଟି ଗାଡି ପ୍ରବେଶ କରିବାର ନିୟମ ରଖାଯାଇଛି। ପର୍ଯ୍ୟଟକମାନେ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଗେଟ ନିକଟରେ ସେମାନଙ୍କୁ ଟିକେଟ ଯୋଗାଇ ଦିଆଯାଇଥିବା ବେଳେ ଶିମିଳିପାଳ ଭିତରକୁ ଯିବାପାଇଁ ରଖାଯାଇଥିବା ନିୟମ କାନୁନ ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥାଏ।

ଏତଦ୍‌ବ୍ୟତିତ ପର୍ଯ୍ୟଟକମାଙ୍କ ପାଇଁ ଅଭୟାରଣ୍ୟ ମଧ୍ୟରେ ରଖାଯାଇଥିବା ବ୍ୟବସ୍ଥା ଏବଂ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦିଆଯାଇ ପ୍ରତି ଗାଡ଼ିରେ ଜଣେ ଜଣେ ଗାଇଡମାନଙ୍କୁ ମଧ୍ୟ ଯୋଗାଇ ଦିଆଯାଇଥାଏ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବାହାରକୁ ବାହାରିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଥାଏ। ଅଭୟାରଣ୍ୟ ମଧ୍ୟରେ ଥିବା ବରେହିପାଣି,ଚହଲା,ଯୋରନ୍ଦା,ଉସ୍କି ଏବଂ ଅଲକୁଦର ଜଳ ପ୍ରପାତର ଅ।କର୍ଷଣ ବିମୋହିତ କରିଥାଏ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଆକର୍ଷଣପାଇଁ ପାରମ୍ପାରିକ ଖାଦ୍ୟର ମଧ୍ୟ ବ୍ୟବସ୍ଥା ରଖାଯାଇଛି।

କୁଆଁରୀ, ଜାମୁଆଣୀ, ଗୁଡୁଗୁଡିଆ କିମ୍ବା ରାମତୀର୍ଥରେ ବାଉଁଶ ନିର୍ମିତ କଟେଜଗୁଡିକରେ ରାତ୍ରୀଯାପନର ମଜ୍ଜା ସାଙ୍ଗକୁ ମୁକ୍ତାପୁରର ଖାଦ୍ୟ ପର୍ଯ୍ୟଟକମାନଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି ବିଭାଗ ବେଶ୍ ଆଶାବାଦୀ। ତେବେ ସବୁଠାରୁ ବଡକଥା ହେଉଛି ଶିମିଳିପାଳ କର୍ତ୍ତୃପକ୍ଷ ଅଭୟାରଣ୍ୟ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ସ୍ଥାନୀୟ ମହିଳା ସ୍ଵୟଂସହାୟିକା ଗୋଷ୍ଠୀମାନଙ୍କର ସହାୟତା ନେଇ କେବଳ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିନି ବରଂ ସେ ଅଞ୍ଚଳର ଲୋକମାନଙ୍କର ଆର୍ଥିକ ବିକାଶ ଉପରେ ମଧ୍ୟ ଗୁରୁତ୍ଵ ଦେଇଛି।

ରାମତୀର୍ଥଠାରୁ ଆରମ୍ଭ କରି ଚହଲା ଯୋରନ୍ଦା ବରେହିପାଣିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଥିବା ଅର୍କିଟୋରିଅମର ଆକର୍ଷଣ, ଭିନ୍ନ ଭିନ୍ନ ପ୍ରଜାତିର ବନ୍ୟଜନ୍ତୁମାନଙ୍କର ସ୍ଵର, ଅଭୟାରଣ୍ୟ ମଧ୍ୟରେ ବାସକରୁଥିବା ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ ପରିବେଷଣ ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଥାଏ। ଶିମିଳିପାଳ ବ୍ୟତିତ ତା’ର ପାଦଦେଶରେ ଥିବା ଦେବକୁଣ୍ଡ ଭୀମକୁଣ୍ଡ ସୀତାକୁଣ୍ଡ ରାମତୀର୍ଥ ସମେତ ଖିଚିଂ ମନ୍ଦିରର ପରିସର ବି ଲୋକାରଣ୍ୟ ହୋଇପଡିଥାଏ। ଏହି ଜାତୀୟ ଉଦ୍ୟାନକୁ ବୁଲି ଦେଖିବା ସହିତ ଯଦି କୌଣସି ପର୍ଯ୍ୟଟକ ଜଙ୍ଗଲ ଭିତରେ ରାତ୍ରୀଯାପନର ମଜ୍ଜା ନେବାକୁ ଆଗ୍ରହ ପ୍ରକାଶ କରୁଥାନ୍ତି, ସେମାନେ ମଧ୍ୟ ଅନଲାଇନରେ ବୁକିଂ ସୁବିଧା ନେଇପାରିବେ।

ଏସବୁ ଦୃଷ୍ଟିରୁ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚଳିତବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଶିମିଳିପାଳ ଆସିପାରନ୍ତି ବୋଲି ଜାତୀୟଉଦ୍ୟାନ କର୍ତ୍ତୃପକ୍ଷ ବେଶ ଆଶାବାଦୀ ହେବା ସ୍ଵାଭାବିକ। ଶିଳ୍ପ ବିହିନ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ହିଁ ଜିଲ୍ଲାର ଅର୍ଥନିତିକୁ ପ୍ରଭାବିତ କରିଥାଏ। ଜିଲ୍ଲାର ହୋଟେଲ ଶିଳ୍ପ ଠାରୁ ଆରମ୍ଭ କରି ଟ୍ରାଭେଲ୍ସ ଏଜେନ୍ସିମାନେ ମଧ୍ୟ ବେଶ୍ ଦି ପଇସା ଉପାର୍ଜନ କରିଥାନ୍ତି। ତେଣୁ ସମଗ୍ର ଶୀତଋତୁରେ ବହୁ ପରିମାଣରେ ଦେଶୀ ବିଦେଶୀ ପର୍ଯ୍ୟଟକମାନେ ଏହି ଜିଲ୍ଲାର ବିଭିନ୍ନ କ୍ଷେତ୍ରକୁ ପରିଭ୍ରମଣ କରିବା ସହିତ ନିଜ ପରିଜନ ବନ୍ଧୁବାନ୍ଧବମାନଙ୍କ ସହିତ ପିକନିକ୍ ମଜ୍ଜା ନେଉଥିବାରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାପ୍ରତି କେବଳ ବନବିଭାଗ କାହିଁକି ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ବିଭାଗ ମଧ୍ୟ ସତର୍କଦୃଷ୍ଟି ରଖିଥାନ୍ତି ପର୍ଯ୍ୟଟକମାନଙ୍କ ସୁବିଧା ଅସୁବିଧା ଏବଂ ନିରାପତ୍ତା ଉପରେ।

Comment