ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଦିଲ୍ଲୀବାସୀ।

ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଥିସହ ଏଠାରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। ସେଥିପାଇଁ ଏବେ ଚିନ୍ତାରେ ଦିଲ୍ଲୀବାସୀ। ପ୍ରଦୂଷଣର କୁହୁଡ଼ି ଓ ଧୂଆଁ ଘେରରେ ଏବେ ରାଜଧାନୀ ଦିଲ୍ଲୀ।

ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାର ଲାଗିଛି। ଏଭଳି ପରିସ୍ଥିତି ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ପ୍ରକାଶ ପାଇଛି। ପ୍ରଦୂଷଣ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଦିଲ୍ଲୀ ବାସିନ୍ଦା ମାସ୍କ ପିନ୍ଧି ଘରୁ ବାହାରକୁ ବାହାରୁଛନ୍ତି। 

ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଗାଡ଼ି ମଟର ସଂଖ୍ୟା ବୃଦ୍ଧି ହେଉଛି ଏହାର ମୁଖ୍ୟ କାରଣ। ଏଥିସହ ଜଙ୍ଗଲ କ୍ଷୟ ଓ ଅଧିକ ସଂଖ୍ୟାରେ କଳକାରଖାନା ସ୍ଥାପନ କରିବା ଦିଲ୍ଲୀ ପ୍ରଦୂଷଣ ସ୍ଥିତିକୁ ଆହୁରି ଖରାପ କରିବାରେ ଲାଗିଛି।

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ସେପଟେ ଦିଲ୍ଲୀର ଜଙ୍ଗପୁରା ଜଙ୍ଗଲରେ ରବିବାର ରାତିରେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ବାହାରିଥିବା ଧୂଆଁ ଦିଲ୍ଲୀକୁ ଆହୁରି ବାୟୁ ପ୍ରଦୂଷଣ ଭିତରକୁ ଠେଲି ଦେଇଛି। ସେପଟେ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି।

ଏହାଛଡ଼ା ଆସନ୍ତା ବୁଧବାର ହେଉଛି ଦୀପାବଳି। ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଦିଲ୍ଲୀବାସୀ। ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଯେ ଆହୁରି ଭୟଙ୍କର ହେବ ଏଥିରେ କୌଣସି ସନ୍ଦେହ ନାହିଁ।

କାହିଁକି ବଢ଼ୁଛି ଦିଲ୍ଲୀରେ ପ୍ରଦୂଷଣ ଏବଂ କେବେ ମିଳିବ ଏଥିରୁ ମୁକ୍ତି? ଏଭଳି ପ୍ରଶ୍ନ ଦିଲ୍ଲୀବାସୀଙ୍କ ମନରେ ଉଙ୍କି ମାରୁଛି। ଏହି ପ୍ରଦୂଷଣ ଲାଗି ଲୋକମାନେ ବାହାରକୁ ବାହାରିବା ମୁସ୍‌କିଲ୍‌ ହୋଇପଡ଼ିଛି। ଫଳରେ ଦିଲ୍ଲୀବାସୀ ଶ୍ୱାସକ୍ରିୟାଜନିତ ରୋଗର ଶିକାର ହେଉଛନ୍ତି। ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଆଶଙ୍କା ଆହୁରି ଘନେଇବ ବୋଲି ଡାକ୍ତରମାନେ କହିଛନ୍ତି। ଏମିତି କି ଡାକ୍ତରମାନେ ପ୍ରଦୂଷଣକୁ ‘ମୃତ୍ୟୁଦଣ୍ଡ’ ବୋଲି ମଧ୍ୟ ଅଭିହିତ କରିଛନ୍ତି।

ଏଥିରୁ ରକ୍ଷା ପାଇବାର ଉପାୟ…

  • ଘରୁ ବାହାରିବା ବେଳେ ମୁହଁରେ ମାସ୍କ ଲଗାନ୍ତୁ। ତା’ଛଡ଼ା ଆଖିରେ ଚଷମା ମଧ୍ୟ ଲଗାନ୍ତୁ। ମନେ ରଖନ୍ତୁ ମୁହଁରେ ଲାଗିଥିବା ମାସ୍କକୁ ବାରମ୍ବାର ଛୁଅନ୍ତୁ ନାହିଁ।
  • ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଭାଇରସ ଓ ଅନ୍ୟ କେତେକ ପ୍ରକାରର ସଂକ୍ରମଣର ଶିକାର ହୋଇପାରନ୍ତି।
  • ଘରର ପାଖାପାଖି ଅଞ୍ଚଳକୁ ଓଦା ରଖନ୍ତୁ। ଏହାଦ୍ୱାରା ଧୂଳିକଣା ଘରେ ପ୍ରବେଶ କରିବ ନାହିଁ କି ଆପଣ ପ୍ରଦୂଷଣ ଗ୍ରସ୍ତ ହେବେ ନାହିଁ। ଏହାଛଡ଼ା ଘରର ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ।
  • ଯଦି ପ୍ରଦୂଷଣରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ଅଳ୍ପ ଗୁଡ଼ ନିଶ୍ଚିତ ଖାଆନ୍ତୁ।
  • ସେହିପରି ପ୍ରତିଦିନ ଏକ ଗ୍ଲାସ ଗରମ କ୍ଷୀର ପିଅନ୍ତୁ।
  • ପ୍ରଦୂଷଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଅଧିକ ପରିମାଣରେ ପାଣି ପିଅନ୍ତୁ।
  • ଏହାଛଡ଼ା ତୁଳସୀପତ୍ରକୁ ପାଣିରେ ମିଶାଇ ପିଇଲେ ମଧ୍ୟ ପ୍ରଦୂଷଣର କୁପ୍ରଭାବ ଶରୀର ଉପରେ ପଡ଼ିନଥାଏ।
  • ସେହିପରି ଉଷୁମ ପାଣି ପିଇଲେ ବି ସେହି ସମାନ ଲାଭ ମିଳିଥାଏ।

Comment