ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର କେତେ ଜମି ଚାଷୀଙ୍କଠରୁ ଛଡ଼ାଇ ଆଣି ଶିଳ୍ପସଂସ୍ଥା ହାତକୁ ଟେକି ଦେଇଛନ୍ତି? କେତେ ଜମି ବ୍ୟବହାର ହୋଇ ନପାରି ଶିଳ୍ପ ସଂସ୍ଥାମାନଙ୍କ ପାଖରେ ପଡ଼ି ରହିଛି? ଅବ୍ୟବହୃତ ଜମିକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ଏ ସମ୍ପର୍କରେ ସ୍ପଷ୍ଟ ମତ ରଖି ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର।

ଏମ୍‌ସିଏଲ୍ ଅଧିନରେ ବ୍ୟବହୃତ ହୋଇ ନପାରି ପଡ଼ି ରହିଥିବା ଜମିକୁ ଚାଷୀମାନଙ୍କୁ ଫେରାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୪ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ୍ ଗୋଏଲଙ୍କୁ ଏକ ଚିଠି ଲେଖିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଶିଳ୍ପାୟନ ନାଁରେ ଚାଷୀଙ୍କଠାରୁ ହାତେଇଥିବା ହଜାର ହଜାର ଏକର ଚାଷଜମିକୁ ପୁନଃ ନିର୍ଦ୍ଧାରଣ କରି କାହିଁକି ଚାଷୀକୂଳକୁ ଫେରାଇ ଦେଉ ନାହାନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ଲେଖାଶ୍ରୀ କହିଛନ୍ତି ଯେ ଜମି ଅଧିଗ୍ରହଣ ଆଇନ-୨୦୧୩କୁ ଅପବ୍ୟବହାର କରି ରାଜ୍ୟ ସରକାର ୩୦ ହଜାର ୯ ଶହ  ଏକର ଚାଷ ଜମିକୁ ୫୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ୧୪ ହଜାର ୨ ଶହ ୯୬ ଏକର ଚାଷ ଜମି ‘ପବ୍ଲିକ ପ୍ରପୋଜ୍ କ୍ଲଜ୍’ ମାଧ୍ୟମରେ ଅଧିକୃତ କରିଥିଲେ। ସେହିପରି ୭ ହଜାର୨୫ ଏକର ଚାଷ ଜମିକୁ ‘ଏମରଜେନ୍ସି ପ୍ରୋଭିଜନ’ ମାଧ୍ୟମରେ ହାତେଇଥିଲେ।

ଏମଜିଏମ୍  ଷ୍ଟିଲ୍, ମୋନେଟ୍ ପାୱାର ଏବଂ ମୋନେଟ୍ ଏନର୍ଜି ଭଳି ଘରୋଇ ସଂସ୍ଥାମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଆବଶ୍ୟକତାଠାରୁ ଅଧିକ ୧ହଜାର ୩ଶହ ୨୪ ଏକର ଜମି ପ୍ରଦାନ କରିଥିଲେ। ଏ ସମସ୍ତ ଜମି ୬ ମାସ ମଧ୍ୟରେ ବ୍ୟବହାର କରିବାର ଜରୁରୀ ହୋଇଥିଲେ ସୁଦ୍ଧା ୬ ବର୍ଷ ପରେ ମଧ୍ୟ ତାହା ବ୍ୟବହାର ହୋଇ ନପାରି ପଡ଼ିରହିଥିବା ଲେଖାଶ୍ରୀ କହିଛନ୍ତି। ବ୍ୟବହାର ହୋଇ ନଥିବା ଚାଷଜମିକୁ ଫେରାଇ ଆଣି ଚାଷୀମାନଙ୍କୁ ଦେବା ପାଇଁ ସେ ଦାବି କରିଛନ୍ତି।

Comment