ଓଡ଼ିଶାଲାଇଭ୍‌ ବ୍ୟୁରୋ

ନକ୍ସଲଗଡ଼ ବସ୍ତରରେ ନିର୍ବାଚନୀ ସଭା କରି ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୋଦି।

“ଛତିଶଗଡ଼କୁ ପୂରିଲାଣି ୧୮ ବର୍ଷ। ୧୮ ବର୍ଷର ଯୁବକ ପାଇଁ ଯାହା ଦରକାର ତାହା ଏବେ ଛତିଶଗଡ଼ ପାଇଁ ଦରକାର ହେଉଛି। ଛତିଶଗଡ଼ବାସୀଙ୍କ ସବୁ ସ୍ୱପ୍ନ ପୂରଣ କରିବା ପାଇଁ ଆମେ ପ୍ରସ୍ତୁତ”, ବସ୍ତରରେ ଆୟୋଜିତ ନିର୍ବାଚନୀ ସଭାରେ ଏହା କହିଛନ୍ତି ନରେନ୍ଦ୍ର ମୋଦି।

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନ ସରଗରମ ହୋଇଯାଇଛି। କଂଗ୍ରେସ ଏବଂ ବିଜେପିର ତୁଙ୍ଗ ନେତାମାନେ ପ୍ରଚାର କରି ରାଜନୀତି ପାଣିପାଗକୁ ଗରମ କରିଛନ୍ତି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବସ୍ତରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ମୋଦି କହିଛନ୍ତି, “ପୂର୍ବରୁ ଯେଉଁମାନେ ସରକାରରେ ଥିଲେ ସେମାନେ ନିଜର ସ୍ୱାର୍ଥ ଦେଖୁଥିଲେ। ହେଲେ ଏବେ ସମସ୍ତଙ୍କ ବିକାଶ ପାଇଁ ‘ସବ୍‌କା ସାଥ୍, ସବ୍‌କା ବିକାଶ’ର ନାରା ଦିଆଯାଇଛି। ମୁଁ ଯେବେ ବି ଛତିଶଗଡ଼ ଆସିଛି କିଛି ନା କିଛି ନୂଆ ଯୋଜନା ସାଙ୍ଗରେ ନେଇ ଆସିଛି। ଯେଉଁମାନେ ବିକାଶ କରିପାରୁ ନଥିଲେ ସେମାନେ ମାଓବାଦୀଙ୍କ ଉପରେ ଦୋଷ ଲଦି ଖସି ଯାଉଥିଲେ।”

କିଛି ଲୋକ କହୁଥିଲେ କି ଛତିଶଗଡ଼ର ବିକାଶ ହୋଇପାରିବ ନାହିଁ। କିନ୍ତୁ ଆମ ସରକାର ଏହାକୁ ଭୁଲ୍ ପ୍ରମାଣିତ କରିଥିବା ମୋଦି କହିଛନ୍ତି। ଏସି ଘରେ ବସି ବିକାଶ ହୋଇପାରିବନି ବୋଲି କହୁଥିବା ଲୋକଙ୍କୁ ମୋଦି ‘ଅର୍ବାନ ମାଓବାଦୀ’ କହି ସମାଲୋଚନା କରିଛନ୍ତି।

“ଛତିଶଗଡ଼ ମଧ୍ୟପ୍ରଦେଶ ରାଜ୍ୟ ସହ ମିଶିକି ରହିଥିଲା। ହେଲେ ଛତିଶଗଡ଼ର ଆଜି ଯେଉଁ ବିକାଶ ହୋଇଛି ତାହା ପୂର୍ବରୁ ହୋଇ ନଥିଲା। ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଛତିଶଗଡ ମଧ୍ୟପ୍ରଦେଶରୁ ଅଲଗା ହୋଇଥିଲା ଏବଂ ନୂଆ ରାଜ୍ୟର ବାନ୍ୟତା ପାଇଥିଲା। ବାଜପେୟୀ ଯେଉଁ ସ୍ୱପ୍ନ ଦେଖିଥିଲେ ଆମେ ତାହାକୁ ପୂରଣ କରିବୁ”, କହିଛନ୍ତି ମୋଦି।

ବିଜେପି ପାଇଁ ଚାଲେଞ୍ଜ ବସ୍ତର!

ଛତିଶଗଡ଼ର ବସ୍ତର ଏବେ ବିଜେପି ପାଇଁ ଚାଲେଞ୍ଜ ହୋଇଛି। ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି ବସ୍ତରର ୧୨ଟି ଆସନରୁ ୪ଟିରେ ଏବଂ ସରଗୁଜା ଅଞ୍ଚଳରେ ୧୪ଟି ଆସନରୁ ୭ଟିରେ ବିଜେପି ବିଜୟୀ ହୋଇଥିଲା। କିନ୍ତୁ ଏହି ଅଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ଏଥିପାଇଁ ମୋଦି ବସ୍ତର ଗସ୍ତରେ ଆସି ନିର୍ବାଚନ ସଭା କରିଛନ୍ତି।

Comment