ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ଦଳ ସମ୍ପର୍କରେ ସୂଚନା ଦେଲେ ଡାକ୍ତର ଦାମୋଦର ରାଉତ।

କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତାଙ୍କ ନୂଆ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ବିଜୁ ସମତା କ୍ରାନ୍ତି ଦଳ ଗଠନ କରିବେ ବୋଲି ପାରାଦୀପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନୂଆ ଦଳର କ’ଣ ଆଭିମୁଖ୍ୟ ରହିବ ସେ ସମ୍ପର୍କରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଦାମ କହିଛନ୍ତି।

ଦଳ ବିରୋଧୀ କାର୍ଯ୍ୟକ୍ରମ ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଦାମ। ବିଜେଡିରୁ ବିଦା ହେବା ପରେ ସେ ବିଭିନ୍ନ ସ୍ଥାନରେ ଦୁର୍ନୀତି ବିରୋଧୀ ସମାବେଶ ଆୟୋଜନ କରୁଛନ୍ତି। ଏହି ସମାବେଶରେ ସେ ଶାସକ ବିଜେଡିକୁ ଟାର୍ଗେଟ କରୁଛନ୍ତି। ତେବେ ଦାମ କୌଣସି ଦଳରେ ଯୋଗ ଦେଇ ନଥିବାରୁ ତାଙ୍କ ରାଜନୀତି ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା।

ଦାମ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ। ସମସ୍ତ ବିଜୁ ଅନୁଗତଙ୍କୁ ଏକାଠି କରି ଦଳ ଗଠନ କରିବା ପାଇଁ ଦାମ ସୂଚନା ଦେଇଥିଲେ। କିନ୍ତୁ ଦଳର ନାଁ କ’ଣ ରହିବ ସେନେଇ କୌଣସି ସୂଚନା ଦେଇ ନଥିଲେ। ଆଜି ଦାମ ପାରାଦୀପରେ ତାଙ୍କ ଦଳର ନାଁ ସମ୍ପର୍କରେ ସୂଚନା ଦେଇଛନ୍ତି।

“ନୂଆ ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରଖାଯିବା ନେଇ ନିଷ୍ପତ୍ତି ହୋଇଛି। ତିନିରୁ ଚାରି ଦିନ ଭିତରେ ନୂଆ ଦଳ ନାଁ ଘୋଷଣା କରାଯିବ। କେଉଁମାନେ ଏଥିରେ ସଦସ୍ୟ ରହିବେ ସେ ସମ୍ପର୍କରେ ଘୋଷଣା କରାଯିବ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

Comment